ବାପ ଘରକୁ ଝିଅ ବୁଲି ଆସିଛି ମା’ଙ୍କ ଘଟ, ପ୍ରଥମେ ଯାଇ ପହଞ୍ଚିଥାଏ ମହୁରୀ ରଜାଙ୍କ ରାଜବାଟୀ

0 109

ବ୍ରହ୍ମପୁର, : ବ୍ରହ୍ମପୁର ସହରକୁ ଏବେ ଉତ୍ସବମୁଖର କରି ଦେଇଛି ବୁଢ଼ୀ ସାଆନ୍ତାଣୀଙ୍କ ଯାତ୍ରା । ବାପ ଘରକୁ ଝିଅ ବୁଲି ଆସିଛି । ଆଉ ଏଥିପାଇଁ ଆୟୋଜିତ ହୋଇଛି ଯାତ୍ରାର । ତେବେ କିମ୍ବଦନ୍ତି ଅନୁସାରେ ମାଁ ହେଉଛନ୍ତି ମହୁରୀ ରଜାଙ୍କ ଇଷ୍ଟଦେବୀ । ଆଉ ସେଥି ପାଇଁ ଯାତ୍ରା ସମୟରେ ଘଟ ପରିକ୍ରମା ବେଳେ ମାଁଙ୍କ ଘଟ ପ୍ରଥମେ ଯାଇ ପହଞ୍ଚିଥାଏ ମହୁରୀ ରଜାଙ୍କ ରାଜବାଟୀରେ । ମାଁଙ୍କୁ ପାଛୋଟି ନେବା ପାଇଁ ସେଠାରେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥାନ୍ତି ମହୁରୀ ରାଜ ବଂଶର ଦାୟାଦ ଅଶୋକ କୁମାର ନାରୟଣ ଦେ । ପୂଜାର୍ଚ୍ଚନା ସାଙ୍ଗକୁ ଆରତୀ ଓ ଭୋଗ ଲାଗିବା ପରେ ମାଁ ବାହାରିଥାନ୍ତି ଅନ୍ୟ ସାହି ପରିକ୍ରମାରେ । ବ୍ରହ୍ମପୁରର ପ୍ରସିଦ୍ଧ ଦ୍ୱିବାର୍ଷିକ ଠାକୁରାଣୀ ଯାତ୍ରା କେବେଠାରୁ ଆରମ୍ଭ ହେଲା ସେ ସଂପର୍କରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ । ତେବେ ଐତିହାସିକଙ୍କ ମତରେ ଉନବିଂଶ ଶତାଦ୍ଧୀରୁ ଆରମ୍ଭ ହୋଇଛି ଏହି ଯାତ୍ରା । ମହୁରୀ ଗଡ଼ର ତତ୍କାଳୀନ ରାଜା ହରିହର ନରେନ୍ଦ୍ରଦେବ ଦାକ୍ଷିଣାତ୍ୟ ଭ୍ରମଣରେ ଯାଇଥିବା ବେଳେ ରାଜମହେନ୍ଦ୍ରୀ ଓ ତାନ୍‌ଜୋରରେ ସେ ବୁଣାକାରଙ୍କ ହସ୍ତକଳାରେ ମୁଗ୍ଧ ହୋଇଥିଲେ । ଆଉ ନିମନ୍ତ୍ରଣ କରିଥିଲେ କିଛି ଡେରା ସଂପ୍ରଦାୟର ବୁଣାକାରଙ୍କୁ । ରାଜାଙ୍କ ନିମନ୍ତ୍ରଣକୁ ରକ୍ଷା କରି ମହୁରୀଗଡ଼ରେ ଆସି ରହିଲେ ଡେରା ସଂପ୍ରଦାୟ ବ୍ରହ୍ମପୁରର ଶେଷ ମୁଣ୍ଡରେ ପୂଜା ପାଉଥିବା ଗ୍ରାମ୍ୟ ଦେବତୀଙ୍କୁ ଉଭୟ ମହୁରୀ ରାଜା ଓ ଡେରା ସଂପ୍ରଦାୟ ଦେଲେ ଇଷ୍ଟଦେବୀର ମାନ୍ୟତା । ଆଉ ତାପରେଆରମ୍ଭ କରିଥିଲେ ଘଟଯାତ୍ରା । ତେଣୁ ଯାତ୍ରା ସମୟରେ ପ୍ରତ୍ୟେକ ଦିନ ଘଟ ପରିକ୍ରମା ବେଳେ ପ୍ରଥମେ ମାଁ ରାଜବାଟୀ ଯାଇଥାନ୍ତି । ଡେରା ସଂପ୍ରଦାୟଙ୍କ ମହୁରୀ ରାଜା ବ୍ରହ୍ମପୁର ଆଣିବା ପରେ ସେମାନଙ୍କୁ ୧୮ଟି ବସ୍ତିରେ ବସତି ସ୍ଥାପନା କରାଯାଇଥିଲା । ପ୍ରତି ବସ୍ତିର ଡେରାମାନଙ୍କ ମୁଖିଆକୁ ସେନାପତି ଆଖ୍ୟା ଦିଆଯାଉଥିବା ବେଳେ ସେମାନଙ୍କ ମୁଖିଆକୁ ରାଜା ଦେଶୀ ବେହେରା ଉପାଧିରେ ଭୁଷିତ କରିଥିଲେ । ସମୁଦାୟ ପ୍ରକ୍ରିୟାରେ ମହୁରୀ ରାଜାଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜାଙ୍କ ପ୍ରତ୍ୟକ୍ଷ ନିର୍ବେଶରେ ହିଁ ଦେଶୀବେହେରା ସମସ୍ତ ପୂଜାର୍ଚ୍ଚନା କରିବାର ପରମ୍ପରା ରହିଛି । ତେଣୁ ପ୍ରତ୍ୟେକ ଦିନ ମାଁଙ୍କ ଘଟ ପ୍ରଥମେ ଆସି ପହଞ୍ଚେ ରାଜବାଟୀରେ । ସେଠାରେ ମାଁଙ୍କ ପାଦଧୋଇ ପୂଜାର୍ଚ୍ଚନା କରାଯାଏ । ଭୋଗରାଗ ସାଙ୍ଗକୁ ଆରତୀ ସରିବା ପରେ ବିଧି ମୁତାବକ ମାଁ ଅନ୍ୟ ସାହିକୁ ବୁଲି ବାହାରିଥାନ୍ତି ।

Leave A Reply

Your email address will not be published.