ଚଳିତ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବ ତାତ

0 71

ନୂଆଦିଲ୍ଲୀ, : ତତଲା ତାୱାରେ ଫୁଟୁଛି ଗାଁଠୁ ସହର । ଚଳିତ ବର୍ଷର ତାତି ସବୁ ପୁରୁଣା ରେକର୍ଡ ଭାଙ୍ଗିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉତ୍ତର ଏବଂ ପଶ୍ଚିମ ଭାରତରେ ତାତି ପାଇଁ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ । ପାଣିପାଗ ବିଜ୍ଞାନୀଙ୍କ କହିବାନୁସାରେ, ୧୯୦୧ ମସିହା ପରେ ୨୦୨୪ ଥିଲା ସବୁଠୁ ଉତ୍ତପ୍ତ ମସିହା । ମାତ୍ର ୨୦୨୪ ଅପେକ୍ଷା ୨୦୨୫ ତାତିର ସବୁ ରେକର୍ଡ କାଟି ତତଲା ବର୍ଷ ବା ଉତ୍ତପ୍ତ ମସିହା ହେବ ବୋଲି ଆକଳନ କରାଯାଉଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଗରମ ଗୁଳୁଗୁଳି ଏବଂ ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କ ସୂଚନା ଜାରି କରିଛନ୍ତି ପାଣିପାଗୀ ବିଜ୍ଞାନୀ । ଏପ୍ରିଲର ମୁଣ୍ଡଫଟା ଖରା ଦେଖି ଆଗାମୀ ମାସର ଖରା ଏବଂ ଗ୍ରୀଷ୍ମ ପ୍ରବାହକୁ ଏବେଠୁ ଆକଳନ କରାଗଲାଣି । ଯଦି ୨୦୨୫ ସବୁଠୁ ଉତ୍ତପ୍ତ ବର୍ଷ ହୁଏ ତେବେ ନିତିଦିନିଆ ଜୀବନରେ ମଣିଷ ପାଇଁ ବଞ୍ଚିବା କଠିନ ହୋଇପଡ଼ିବ । ରାଜସ୍ଥାନର ବାଡ଼ମେରରେ ଏପ୍ରିଲ ମାସର ଗରମ ଗତ ୨୬ ବର୍ଷର ରେକର୍ଡ ଭାଙ୍ଗିଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ଚଳିତ ସପ୍ତାହରେ ଦିଲ୍ଲୀର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବ । ୟୁରୋପରେ ମାର୍ଚ୍ଚ ମାସରେ ସବୁଠାରୁ ଅଧିକ ଗରମ ରେକର୍ଡ କରାଯାଇଛି । ଗତ ବର୍ଷ ୨୦୨୪କୁ ସବୁଠାରୁ ଉତ୍ତପ୍ତ ବର୍ଷ ଭାବେ ବିବେଚନା କରାଯାଇଥିଲା । କିନ୍ତୁ, ୨୦୨୫ର ଗରମ ୨୦୨୪ର ରେକର୍ଡ ଭାଙ୍ଗିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗ ଅନୁଯାୟୀ, ଉତ୍ତର-ପଶ୍ଚିମ ଭାରତରେ ୧୦ ଏପ୍ରିଲରୁ ଗରମ ପ୍ରବାହରୁ ମୁକ୍ତି ମିଳିବ ବୋଲି ଅନୁମାନ କରାଯାଉଛି । ସେହିପିର ଗୁଜୁରାଟ ଓ ମଧ୍ୟପ୍ରଦେଶରେ ୧୧ ଏପ୍ରିଲରୁ ଗ୍ରୀଷ୍ମପ୍ରବାହରୁ ମୁକ୍ତି ମିଳିବ । ମଧ୍ୟପ୍ରଦେଶର ନର୍ମଦାନଗରରେ ଏପ୍ରିଲ ୭ରେ ପାରଦ ୪୪ ଡିଗ୍ରୀ ଅତିକ୍ରମ କରିଥିଲା । ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ସବୁଠାରୁ ଅଧିକ ତାତି ଅନୁଭୂତ ହୋଇଛି । ବୁଧବାର ସର୍ବନିମ୍ନ ତାପମାତ୍ରା ୨୫.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ପାଣିପାଗ ବିଭାଗ ଦିଲ୍ଲୀରେ ୟୋଲୋ ୱାର୍ଣ୍ଣିଂ ଜାରି କରିଛି । ରାଜଧାନୀ ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ପାଖାପାଖି ରହିବାର ଅନୁମାନ କରାଯାଉଛି । ପାଣିପାଗ ବିଭାଗ ଅନୁଯାୟୀ, ରାଜସ୍ଥାନରେ ୩ ଦିନ ଧରି ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିବ ୟ ପରେ ଝଡ଼ ଓ ବର୍ଷା ଯୋଗୁଁ ତାତିରୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିବ । ବର୍ତ୍ତମାନ ଜୟେସାଲମେର, ବାଡ଼ମେର, ଚିତୋଡ଼ଗଡ଼, କାଟୋ ଜିଲ୍ଲାରେ ତାପମାତ୍ରା ୪୪ରୁ ୪୬ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିଛି । ସୋମବାର ବାଡ଼ମେରରେ ସର୍ବାଧିକ ତାପମାତ୍ରା ୪୫.୬ ଡିଗ୍ରୀ ରେକର୍ଡ ହୋଇଥିଲା ।

Leave A Reply

Your email address will not be published.