୨୪ ଫୁଟ ବାଉଁଶକୁ ଧର୍ମଝଣ୍ଡା ଭାବେ ପୂଜାର୍ଚ୍ଚନା

0 134

ବ୍ରହ୍ମପୁର, ବ୍ରହ୍ମପୁର ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀଙ୍କ ଯାତ୍ରାକୁ ନେଇ ଏବେ ବେଶ୍‌ ଚଳଚଞ୍ଚଳ ହୋଇ ଉଠିଛି ରେଶମ ସହର ବ୍ରହ୍ମପୁର । ମାଁଙ୍କ ଏହି ଯାତ୍ରା ଯେତେ ପ୍ରସିଦ୍ଧ ଆଉ ପରମ୍ପରା ମଧ୍ୟ ସେତେ ନିଆରା । ସେଥିମଧ୍ୟରୁ ଅନ୍ୟତମ ହେଉଛି ମାଁଙ୍କ ଧର୍ମଝଣ୍ଡା । ମାଁ ଅସ୍ଥାୟୀ ମନ୍ଦିରକୁ ଆସିବାର ଚତୁର୍ଥ ଦିନ ମାଁଙ୍କ ଅସ୍ଥାୟୀ ପୀଠ ସମ୍ମୁଖରେ ଏହି ଧର୍ମଝଣ୍ଡା ସ୍ଥାପନ କରାଯାଇଥାଏ । ଭକ୍ତମାନେ ପ୍ରଥମେ ଧର୍ମଝଣ୍ଡାକୁ ପୂଜା କରିବା ପରେ ମାଁଙ୍କୁ ପୂଜା କରିବାର ବିଧି ରହିଛି । ଆଉ ଏଠାରେ ପୂଜା ହେଉଥିବା ହଳଦୀ ପାଣି ମାତାଙ୍କ ଦେହରେ ଲେପନ କଲେ ଚର୍ମ ରୋଗରୁ ମକ୍ତି ମିଳେ ବୋଲି ଦୃଢ ବିଶ୍ୱାସ ରହିଛି । ବ୍ରହ୍ମପୁର ସହରରେ କେଉଁ କାଳରୁ ପାଳିତ ହେଉଛି ମାଁ ବୁଢୀ ଠାକୁରାଣୀଙ୍କ ପ୍ରସିଦ୍ଧ ଦ୍ୱିବାର୍ଷିକ ଯାତ୍ରା । ଏହି ଯାତ୍ରାର ପରମ୍ପରା ବେଶ ନିଆରା । ଯାତ୍ରା ଆରମ୍ଭ ଅର୍ଥାତ ମାଁଙ୍କ ଘଟ ଅସ୍ଥାୟୀ ମଣ୍ଡପରେ ସ୍ଥାପନ ହେବା ପର ଦିନ ମାଁ ବିଶ୍ରାମ ନେଇଥାନ୍ତି । ଏହାପରେ ଦ୍ୱିତୀୟ ଦିନ ମାଁଙ୍କ ଘଟ ସାହି ପରିକ୍ରମାରେ ବାହାରିବାର ପରମ୍ପରା ରହିଛି । ଘଟ ପରିକ୍ରମାର ପ୍ରଥମ ଦିନ ମାଁ କେବଳ ମହୁରୀ ରାଜବାଟିକୁ ଯାଇ ଅସ୍ଥାୟୀ ମଣ୍ଡପକୁ ଫେରିଥାନ୍ତି । ଏହା ପରଦିନ କମଳାୱାରୀ ସାହି ଅଭିମୁଖେ ଯାଇ ଧର୍ମଝଣ୍ଡାକୁ ଆମନ୍ତ୍ରିତ କରିଥାନ୍ତି । ଏହାପରେ କମଳାୱାରି ସାହି ବାସିନ୍ଦା ଏକ ବିରାଟ ପଟୁଆରରେ ଆସି ଏହି ଧର୍ମଝଣ୍ଡାକୁ ସ୍ଥାପନ କରିଥାନ୍ତି । ଧର୍ମଝଣ୍ଡା ସ୍ଥାପନ ପରେ ହିଁ ବିଭିନ୍ନ ବେଶ ବାହାରିବ । ଆଉ ଧର୍ମଝଣ୍ଡା ସ୍ଥାପନ ବେଳେ ସାହି ବାସିନ୍ଦା ଉପସ୍ଥିତ ରହି ଆର୍ଶିବାଦ ନେଇଥାନ୍ତି । ତେବ ଏହି ଧର୍ମଝଣ୍ଡାକୁ ଡ଼େରା ସମ୍ପ୍ରଦାୟର ଲୋକମାନେ ପ୍ରସ୍ତୁତ କରିବାର ପରମ୍ପରା ରହିଛି । ପ୍ରଥମେ ଦୁଇଟି ବାଉଁଶ ଖୁଣ୍ଟ ଆଣିବା ପରେ ଗୋଟିଏ ବାଉଁଶକୁ ଧର୍ମଝଣ୍ଡା ଭାବେ ପୂଜାର୍ଚ୍ଚନା କରିବା ସହିତ ଅନ୍ୟ ଏକ ବାଉଁଶ ଖୁଣ୍ଟକୁ ସେହି ସାହିର ଏକ ଗଛର ଚତୁଃପାର୍ଶ୍ୱରେ ବୁଲାଯାଇ ସେଠାରେ ସ୍ଥାପନ କରାଯାଇଥାଏ । ଏହି ଧର୍ମ ଝଣ୍ଡାର ଉଚ୍ଛତା ୨୪ ଫୁଟ ରହିଥାଏ । ମାଁଙ୍କ ଯାତ୍ରାରେ ଏହି ଧର୍ମଝଣ୍ଡା ବେଶ ଗୁରୁତ୍ୱ ବହନ କରିଥାଏ । ହିଞ୍ଜିଳିର ସାଉଁଳେଇ ବଣରୁ ୨୧ ଗଣ୍ଠି ବିଶିଷ୍ଟ ଏକ ବାଉଁଶ ଦଣ୍ଡକୁ ଅଣାଯାଇଥାଏ । ଏହାପରେ ପଞ୍ଚାମୃତ, ହଳଦି, ଲିମପତ୍ର ବାଟି ପୂର୍ବରୁ ରହିଥିବା ବିଧି ଅନୁସାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ମହିଳାମାନେ ହଳଦି, ପଣାପାଣି ଏଠାରେ ପକାଇ ପ୍ରତ୍ୟେକ ଦିନ ପୂଜା କରିବାର ପରମ୍ପରା ମଧ୍ୟ ରହିଛି । ଏହାଛଡ଼ା ଛୋଟ ଛୋଟ ପିଲାମାନଙ୍କୁ ଚର୍ମରୋଗ ହୋଇଥିଲେ ଏହି ଧର୍ମଝଣ୍ଡାରେ ଲାଗିଥିବା ହଳଦୀବଟା ପୂଜା କରି ନେଇ ଲଗାଇଲେ ଆରୋଗ୍ୟ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେବେ ଧର୍ମଝଣ୍ଡା କମଳାୱାରୀ ସାହିରୁ ବାହରି ମାଁଙ୍କ ଅସ୍ଥାୟୀ ମଣ୍ଡପକୁ ଆସିବା ପରେ ମାଁଙ୍କୁ ଧର୍ମଝଣ୍ଡା ଆସିବା ନେଇ କହିବା ପରେ ଧର୍ମଝଣ୍ଡା ସ୍ଥାପନ ହୋଇଥାଏ । ଏହାପରେ ମାଁଙ୍କ ଅସ୍ଥାୟୀ ପୀଠରେ ଧର୍ମଝଣ୍ଡାକୁ ପୂଜାର୍ଚ୍ଛନା କରିଥାନ୍ତି ଭକ୍ତ ।

Leave A Reply

Your email address will not be published.