ନୂଆଦିଲ୍ଲୀ/ଭୁବନେଶ୍ୱର, : ପବିତ୍ର ଶ୍ରୀରାମ ନବମୀ ଅବସରରେ ଉତ୍ସବ ମୁଖର ଦିଲ୍ଲୀରୁ ପଲ୍ଲୀ । ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କୁ ଦର୍ଶନ କରି ସାନିଧ୍ୟ୍ୟ ସାଉଁଟିଛନ୍ତି ଶ୍ରଦ୍ଧାଳୁ । ରାମଧ୍ୱନୀରେ କମ୍ପୁଛି ଗଗନ ପବନ । ରାମଜନ୍ମ ଭୂମି ଅଯୋଧ୍ୟାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଶ୍ରୀରାମ ନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ସୋସିଆଲ ମଡ଼ିଆ ଏକ୍ସରେ ରାମ ନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି କହିଛନ୍ତି, ‘ଏହି ଉତ୍ସବ ଧର୍ମ, ନ୍ୟାୟ ଏବଂ କର୍ତ୍ତବ୍ୟପରାୟଣତା ହେବାକୁ ସନ୍ଦେଶ ଦେଇଥାଏ । ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ ମାନବ ଜାତି ପାଇଁ ତ୍ୟାଗ, ପ୍ରତିଶ୍ରୁତିବଦ୍ଧ ଏବଂ ଶୌର୍ଯ୍ୟର ଆଦର୍ଶ ପ୍ରସ୍ତୁତ କରିଛନ୍ତି । ତାଙ୍କର ସୁଶାସନ ଅର୍ଥାତ ରାମରାଜ୍ୟର ଅବଧାରଣକୁ ଆଦର୍ଶ ଭାବେ ଗଣନା କରାଯାଏ । ଏହି ଶୁଭ ଅବସରରେ ଦେଶବାସୀ ବିକଶିତ ଭାରତ ନିର୍ମାଣ ପାଇଁ ଏକଜୁଟ୍ ହୋଇ କାର୍ଯ୍ୟ କରିବାକୁ ସଂକଳ୍ପ ନିଅନ୍ତୁ ।\’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମନବମୀ ଶୁଭେଚ୍ଛା ଜଣାଇ କହିଛନ୍ତି, ‘ସମସ୍ତ ଦେଶବାସୀଙ୍କୁ ରାମ ନବମୀ ଅବସରରେ ଶୁଭକାମନା । ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବର ଏହି ପବିତ୍ର ଅବସର ତୁମ ସମସ୍ତଙ୍କ ଜୀବନରେ ନୂଆ ଚେତନା ଏବଂ ନୂଆ ଉତ୍ସାହ ଆଣୁ । ଯାହା ଶସକ୍ତ, ସମୃଦ୍ଧ ଏବଂ ସମର୍ଥ ଭାରତର ସଂକଳ୍ପକୁ ନିରନ୍ତର ନୂଆ ଉର୍ଜା ପ୍ରଦାନ କରୁ ।\’ ପବିତ୍ର ଶ୍ରୀରାମ ନବମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ସତ୍ୟ, ଧର୍ମ, ନ୍ୟାୟ ଓ ଆଦର୍ଶକୁ ପାଥେୟ କରି ସମାଜର ମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ପରିପୂର୍ଣ୍ଣ ହେଉ କାମନା କରିଛନ୍ତି ମଖ୍ୟମନ୍ତ୍ରୀ । ଏନେଇ ସେ ନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାମନବମୀ ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ‘ପବିତ୍ର ରାମନବମୀ ଅବସରରେ ଦେଶବାସୀଙ୍କୁ ଶୁଭକାମନା । ପ୍ରଭୁ ଶ୍ରୀରାମଙ୍କ ଜୀବନ ସତ୍ୟ, ସେବା ଏବଂ ମାନବ ମୂଲ୍ୟର ରକ୍ଷାର ପ୍ରେରଣା ଦେଇଥାନ୍ତି । ପ୍ରଭୁଙ୍କ ନିକଟରେ ସମସ୍ତଙ୍କ ସ୍ୱାସ୍ଥ୍ୟ, ସୁଦୀର୍ଘ ଏବ ସମୃଦ୍ଧ ଜୀବନ କାମନା କରୁଛି ।\’ ଅନ୍ୟପଟେ ଭୁବନେଶ୍ୱର ରାମ ମନ୍ଦିରରେ ମହା ଆଡମ୍ୱରରେ ପାଳିତ ହେଉଛି ରାମ ନବମୀ । ଘଣ୍ଟ ଘଣ୍ଟି ସାଙ୍ଗକୁ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ପରିବେଶ । ରାମ ମନ୍ଦିରରେ ଅନେକ ଭକ୍ତ ଓ ଶ୍ରଦ୍ଧାଳୁ ଆସିଥିବା ବେଳେ ଶ୍ରୀ ରାମ ଚରିତ ମାନସ ପାଠ କରାଯାଉଛି । ଭୋର ୫ଟାରୁ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଛି । ସେପଟେ ମନ୍ଦିର ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମନ୍ଦିରରେ ଶୃଙ୍ଖଳା ଦର୍ଶନ ପାଇଁ ଧାଡ଼ି ବାନ୍ଧି ଶ୍ରଦ୍ଧାଳୁ ଦର୍ଶନ କରୁଥିବା ବେଳେ ପୋଲିସ ମୁତୟନ କରାଯାଇଛି ।