ଆଉ ନାହାନ୍ତି ପ୍ରସିଦ୍ଧ ଅଭିନେତା ମନୋଜ କୁମାର

0 87

ମୁମ୍ବାଇ,: ଦେଶାତ୍ମବୋଧ ଫିଲ୍ମ ପାଇଁ ଜଣାଶୁଣା ପ୍ରଖ୍ୟାତ ଅଭିନେତା ମନୋଜ କୁମାର ଆଉ ନାହାନ୍ତି । ଅଭିନେତା ସହ ସେ ଜଣେ ଫିଲ୍ମ ନିର୍ମାତା ମଧ୍ୟ । ଶୁକ୍ରବାର ମୁମ୍ବାଇର କୋକିଳାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ମନୋଜ କୁମାରଙ୍କ ଦେହାନ୍ତ ଖବରକୁ ତାଙ୍କ ପୁଅ କୁନାଲ ଗୋସ୍ୱାମୀ ନିଶ୍ଚିତ କରିଛନ୍ତି । ଦୀର୍ଘ ଦିନ ଧରି ମନୋଜ କୁମାର ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ । ଶୁକ୍ରବାର ଭୋର ୩.୩୦ରେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି । ପୂରବ ଅର ପଶ୍ଚିମ, କ୍ରାନ୍ତି ଓ ରୁଟି, କପଡ଼ା ଅର ମକାନ ଭଳି ସିନେମା ପାଇଁ ସେ ବେଶ ପରିଚିତ । ୧୯୬୫ରେ ରିଲିଜ ହୋଇଥିବା ସହିଦ ଫିଲ୍ମ ତାଙ୍କୁ ରାତାରାତି ଷ୍ଟାର ବନାଇ ଦେଇଥିଲା । ଦେହାନ୍ତ ପରେ ତାଙ୍କ ପାର୍ଥିବ ଶରୀରକୁ ଜୁହୁ ସ୍ଥିତ ବାସଭବନରେ ଅନ୍ତିମ ଦର୍ଶନ ପାଇଁ ରଖାଯାଇଛି । ଶନିବାର ଦିନ ୧୨ଟା ସମୟରେ ପବନ ହଂସ ଶଶ୍ମାନରେ ତାଙ୍କର ଅନ୍ତିମ ସଂସ୍କାର ହେବ । ସବୁବେଳେ ଦେଶାତ୍ମବୋଧ ସିନେମା କରୁଥିବା ମନୋଜ କୁମାର ଭାରତ କୁମାର ନାଁରେ ଖ୍ୟାତି ଅର୍ଜନ କରିଥିଲେ । ସେ ଗୋଟିଏ ଥର ଜାତୀୟ ଫିଲ୍ମ ଆୱାର୍ଡ ଓ ୭ଥର ଫିଲ୍ମ ଫେୟାର ଆୱାର୍ଡ ଜିତିଥିଲେ । ଆଜି ତାଙ୍କ ବିୟୋଗରେ ଅନେକ ପୁରୁଣା ସ୍ମୃତି ତାଜା ହୋଇ ଯାଇଛି । ପୂରା ଦେଶ ମନୋଜ କୁମାରଙ୍କୁ ମନେ ପକାଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦିଙ୍କ ଠାରୁ ସିନେମା ଜଗତ ଓ ବିଭିନ୍ନ ବର୍ଗର ଲୋକ ମନୋଜ କୁମାରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । ମନୋଜ କୁମାର କେବଳ ଜଣେ ଅଭିନେତା କିମ୍ବା ନିର୍ଦ୍ଦେଶକ ନଥିଲେ, ବରଂ ସେ ସ୍କ୍ରିନ ରାଇଟର, ସଂଳାପକାର ଓ ଏଡିଟର ଭାବେ ମଧ୍ୟ ଅନେକ ସିନେମାରେ ନିଜ ପାରଦର୍ଶିତା ଦେଖାଇଛନ୍ତି । ୧୯୯୨ରେ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ଓ ୨୦୧୫ରେ ଭାରତୀୟ ସିନେମା ପ୍ରତି ତାଙ୍କ ଅବଦାନ ପାଇଁ ସମ୍ମାନଜନକ ଦାଦା ସାହେବ ଫାଲକେ ସମ୍ମାନ ଦେଇଥିଲେ । ୧୯୩୭ରେ ପାକିସ୍ତାନର ଅବ୍ଦୋଟାବାଦରେ ମନୋଜ କୁମାର ହରିକ୍ରିଷ୍ଣ ଗିରି ଗୋସ୍ୱାମୀ ନାମରେ ଜନ୍ମ ଗ୍ରହଣ କରିଥିଲେ । ବିଭାଜନ ପରେ ସେ ପରିବାର ସହ ଦିଲ୍ଲୀ ଚାଲି ଆସିଥିଲେ । ୧୯୫୭ରେ ଫିଲ୍ମ ଫ୍ୟାଶନ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିଥିଲେ । କିନ୍ତୁ ତାଙ୍କୁ ସେତେଟା ସଫଳତା ମିଳି ନଥିଲା । ୧୯୬୧ରେ ରିଲିଜ
ହୋଇଥିବା କାଚ କି ଗୁଡିୟା ଜରିଆରେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରି ଥିଲେ । ଏହାପରେ ସେ ଗୋଟିଏ ପରେ ଗୋଟିଏ ହିଟ ସିନେମା ଦର୍ଶକଙ୍କୁ ଭେଟି ଦେଇଥିଲେ । ଅଭିନୟ ବ୍ୟତୀତ ସେ ଉପକାର, ଶୋର, ଜୟ ହିନ୍ଦୀ ଭଳି ସିନେମାର ନିର୍ଦ୍ଦେଶନା ଦେବା ସହ ଏଡିଂ କରିଛନ୍ତି । ପ୍ରେମ ନାଥ, ପ୍ରେମ ଚୋପ୍ରା, କାମିନୀ କୌଶଲ, ହେମା ମାଳିନୀ ଓ ଆହୁରି ଅନେକ କଳାକାରଙ୍କ ସହ ମନୋଜ କୁମାର କାମ କରିଥିଲେ ।

Leave A Reply

Your email address will not be published.