ପାରାଦୀପ ସହର ମୁଖ୍ୟ ଜଳ ନିଷ୍କାସନ ପଥ ଏନଆରଏଲ୍ ଦ୍ୱାରା ଅବରୋଧ

0 119

ପାରାଦୀପ,: ପାରାଦୀପ ବନ୍ଦର ସହରର ଏକମାତ୍ର ବର୍ଜ୍ୟ ଜଳ ନିଷ୍କାସନ ମୁଖ୍ୟ ପଥ ହେଉଛି ମଧୁବନର କପିଳ ଜୋର । ଏହି ଜୋରଟି ବଡ଼ପଡ଼ିଆ ଠାରୁ ଆରମ୍ଭ ହୋଇ ମଧୁବନ ଅଫିସର୍ସ କ୍ଲବ ଓ ଜଗନ୍ନାଥ ମନ୍ଦିର ପାଶ୍ୱର୍ରେ ଯାଇ ସମୁଦ୍ରରେ ମିଶିଛି । ତେବେ ବର୍ଜ୍ୟ ପାଣି ସୁନିଷ୍କାସନ ପାଇଁ ତତ୍କାଳୀନ ବନ୍ଦର ଅଧ୍ୟକ୍ଷ ସନ୍ତୋଷ ମହାପାତ୍ର ଏହି ଜୋରକୁ ଗଭୀର ଭାବେ ଖନନ କରାଇ ଷଣ୍ଢକୁଦ ନିକଟସ୍ଥ ସମୁଦ୍ରରେ ମିଶାଇଥିଲେ । ଯାହାଫଳରେ ଏହି ବର୍ଜ୍ୟ ପାଣି ସୁବିଧାରେ ନିଷ୍କାସିତ ହେବା ସହ ସମୁଦ୍ର ଜୁଆରର ଲୁଣା ପାଣି ପଶି ମତ୍ସ୍ୟ ବଂଶ ବୃଦ୍ଧିରେ ସହାୟକ ହେଉଥିଲା । ଏହି ଜୋରର ପାଣି ସର୍ବଦା ଚଳପ୍ରଚଳ କରୁଥିବା ଯୋଗୁଁ ଏଥିରେ ଦଳ କିମ୍ବା ଅନ୍ୟ କୌଣସି ଲଟାପତ୍ର ମାଡି ପାରୁ ନଥିଲା । ତେବେ ନିକଟରେ ଷଣ୍ଡକୁଦ ବସ୍ତି ନିକଟରେ ନିର୍ମାଣଧୀନ ନୁମାଲୀଗଡ଼ ତୈଳ ଭଣ୍ଡାର (ଏନଆରଏଲ) ପ୍ରକଳ୍ପ ଯୋଗୁଁ ପାରିପାଶ୍ୱର୍ିକ ଅଞ୍ଚଳ ଏବେ କ୍ଷତିଗ୍ରସ୍ତ ଆଡକୁ ଗତି କରୁଥିବା ଦେଖିବାକୁ ମିଳୁଛି । ନିକଟ ଅତୀତରେ ପ୍ରକଳ୍ପ ପାଇଁ ଆବଶ୍ୟକୀୟ ଜଳ ପାଇଁ ବସ୍ତି ଅଞ୍ଚଳରୁ ଭୁତଳ ଜଳକୁ ପମ୍ପ ଯୋଗେ ବାହାର କରି ବ୍ୟବହାର କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ବେଳେ ଏବେ ସହରର ମୁଖ୍ୟ ଜଳ ନିଷ୍କାସନ ପଥକୁ ଅବରୋଧ କରିବା ଘଟଣା ସାମ୍ନାକୁ ଆସିଛି । ଏହି କପିଳ ଜୋର ଅବରୋଧ ଯୋଗୁଁ ପାଣି ନିଷ୍କାସନରେ ବ୍ୟାଘାତ ସୃଷ୍ଟି ହୋଇ ଏହା ଉପରେ ଦଳ ମାଡି ଗଲାଣି । ଅନ୍ୟପକ୍ଷରେ ଜୋର ନିକଟସ୍ଥ ହାଉସିଂ ବୋର୍ଡ କଲୋନୀ, ଜଗନ୍ନାଥ କଲୋନୀ ସମେତ ବିଭିନ୍ନ ବସ୍ତିରେ ଏହି ଜୋରରୁ ବିଷାକ୍ତ ସାପ, ଜୋକ ଓ ଅନ୍ୟାନ୍ୟ କୀଟମାନେ ଘର ମାନଙ୍କରେ ପଶି ଏକ ଆତଙ୍କର ବାତାବରଣ ସୃଷ୍ଟି କଲେଣି । ସେହିପରି ପାଣି ଜମା ହେବା ଓ ଦଳ ଭର୍ତ୍ତି ରହିବା କାରଣରୁ ଏଠାରେ ମଶାଙ୍କ ବଂଶ ବୃଦ୍ଧି ପାଇ ସହର ବାସୀଙ୍କୁ ଅସ୍ତବ୍ୟସ୍ତ କଲାଣି । ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା ସହରର ଏହି ବର୍ଜ୍ୟ ପାଣି ନିଷ୍କାସିତ ନହୋଇପାରିଲେ ଏହା ପରିବେଶକୁ ପ୍ରଦୂଷିତ କରିବ ବୋଲି ବରିଷ୍ଠ ନାଗରିକ ଲକ୍ଷ୍ମୀଧର ନାୟକ ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତରେ ପ୍ରତିକାର ପାଇଁ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଇଥିଲେ ମଧ୍ୟ ଏଥିରେ କୌଣସି ସୁଫଳ ମିଳୁନାହିଁ ବୋଲି ଅଭିଯୋଗ କରି ଏଭଳି ଗମ୍ଭୀର ସମସ୍ୟାକୁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି । ସେହିପରି ଏଭଳି ଜନ ବିରୋଧୀ ପ୍ରକଳ୍ପ ପାଇଁ ପ୍ରଶାସନ ର ଏତେ
ଅନୁକମ୍ପା କାହିଁକି ବୋଲି ଶ୍ରୀ ନାୟକ ପ୍ରଶ୍ନ ଉଠାଇବା ସହ ଏହି ସମସ୍ୟାର ତୁରନ୍ତ ସମାଧାନ ନହେଲେ ସମସ୍ତ ପ୍ରଭାବିତ ଜନସାଧାରଣ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବେ ବୋଲି ଶ୍ରୀ ନାୟକ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.