ପାରାଦୀପ,: ୨୪- ୨୫ ଆର୍ଥିକ ବର୍ଷରେ ୧୫୦.୪୧ ମିଲିୟନ ମେଟ୍ରିକ ଟନ (ଏମଏମଟି) ପଣ୍ୟ ପରିଚାଳନା କରି ଲଗାତାର ଦ୍ୱିତୀୟ ବର୍ଷ ପାଇଁ ପାରାଦୀପ ବନ୍ଦର ଭାରତୀୟ ବୃହତ ବନ୍ଦର ମଧ୍ୟରେ ପୁନର୍ବାର ଏକ ନମ୍ବର ସ୍ଥାନ ବଜାୟ ରଖିଛି । ଆଇରନ ଓର ଏବଂ ଜାଳେଣି କୋଇଲା ରପ୍ତାନିରେ ମାନ୍ଦାବସ୍ଥା ସତ୍ତ୍ୱେ ପାରାଦୀପ ବନ୍ଦର ପଣ୍ୟ ପରିଚାଳନା କ୍ଷେତ୍ରରେ ଏହି ସ୍ଥାନ ଅଧିକାର କରିପାରିଛି । ସମୁଦାୟ ପଣ୍ୟ ପରିଚାଳନାରେ ସହ ରେଳ ରେକରେ ୮୧.୦୧
ଏମଏମଟି ପଣ୍ୟ ପରିଚାଳନା କରି ୫.୨୧ % ଅଭିବୃଦ୍ଧି ଘଟି ବୃହତ ବନ୍ଦର କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛି । ସେହିପରି ଗତ ବର୍ଷ ଏକଜିମ କଣ୍ଟେନର ପରିଚାଳନାରେ ୧୨.୭୧୧ ଟିଇୟୁ ଅଭିବୃଦ୍ଧି, ବର୍ଥରେ ଦୈନିକ ରେକର୍ଡ ୩୪.୨୮୩ ମେଟ୍ରିକ ଟନ ପଣ୍ୟ ପରିଚାଳନା କ୍ଷମତା, ଯାନ୍ତ୍ରିକ ଟର୍ମୀନାଲ କୋଇଲା ପରିଚାଳନାରେ ୧୨.୫୩ % ଅଭିବୃଦ୍ଧି ଘଟି ପାରାଦୀପ ବନ୍ଦର ଏକ ନମ୍ବର ସ୍ଥାନରେ ପହଞ୍ଚି ପାରିଛି । ପାରାଦୀପ ବନ୍ଦରର ୨୫ ଏମଏମଟିପିଏ ୱେଷ୍ଟର୍ଣ୍ଣ ଡ଼କ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ୨୦୨୬ରେ ସମ୍ପୂର୍ଣ୍ଣ ହେଲେ ନୂତନ ଗ୍ରୀନ ହାଇଡ୍ରୋଜେନ ବା ଆମୋନିଆ ଏକ୍ସପୋର୍ଟ ଟର୍ମୀନାଲ ପାଇପଲାଇନ କାର୍ଯ୍ୟକ୍ଷମ ହୋଇ ବନ୍ଦରର କାରବାରରେ ଦ୍ରୁତ ଅଭିବୃଦ୍ଧି ଘଟିବ । ତେବେ ବନ୍ଦରର ଏହି ସଫଳତା ପାଇଁ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ବନ୍ଦର ଅଧିକାରୀ, କର୍ମଚାରୀଙ୍କ ସମେତ ସମସ୍ତ ସହଯୋଗକାରୀ ସମସ୍ତ ରପ୍ତାନିକାରୀ ଓ ଆମଦାନକାରୀ ସଂସ୍ଥା, ବନ୍ଦରର ସମସ୍ତ ଅଧିକାରୀ, ଶ୍ରମିକ ସଂଘ, ପିପିଏ ଅପରେଟର,
ଷ୍ଟିଭେଡୋର୍ସ, ସିପିଙ୍ଗ ଏଜେଣ୍ଟ ପ୍ରମୁଖଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ସଫଳତା ପାଇଁ ବନ୍ଦରାଧ୍ୟକ୍ଷ ଶ୍ରୀ ହରନାଦ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଓ ଶାନ୍ତନୁ ଠାକୁରଙ୍କ ମାର୍ଗଦର୍ଶନ ପାଇଁ ତାଙ୍କୁ କୃତଜ୍ଞତା ଜଣାଇବା ସହ ରେଳ ମନ୍ତ୍ରଣାଳୟ, ଓଡିଶା ରାଜ୍ୟ ସରକାର ଓ କଷ୍ଟମ ବିଭାଗ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ବନ୍ଦର ପ୍ରଶାସନିକ ଭବନ ସଭା ଗୃହରେ ବୁଧବାର ଦିନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବନ୍ଦରାଧ୍ୟକ୍ଷ ଶ୍ରୀ ହରନାଦ ପାରାଦୀପ ବନ୍ଦରର ସଫଳତା ବିଷୟରେ ଉଲ୍ଲେଖ କରିବା ସହ କେକ୍ କାଟି ବରିଷ୍ଠ ଅଧିକାରୀମାନଙ୍କ ସହ ସଫଳତାର ଉତ୍ସବ ପଲିଥିଲେ ।