ଏଲଓସି ପାର କରିବାକୁ ପାକ୍ ସେନାର ପ୍ରୟାସ

0 105

ଶ୍ରୀନଗର, : ବେଶ କିଛି ଦିନର ନୀରବତା ପରେ ସୀମା ଲଙ୍ଘିଛି ପାକିସ୍ତାନ ସେନା । ନିଜ ଦେଶରେ ବିଦ୍ରୋହୀଙ୍କ ଆକ୍ରମଣ ଓ ଲୋକଙ୍କ ବିକ୍ଷୋଭକୁ ପ୍ରଶମିତ କରିବାରେ ବିଫଳ ହୋଇଥିବା ପାକିସ୍ତାନ ସେନା ଏପ୍ରିଲ ୧ରେ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଛି । ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାର ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ସେନା ପ୍ରଥମେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା । ଏହାପରେ ପଞ୍ଚୁ ସ୍ଥିତ କ୍ରିଷ୍ଣା ଘାଟିରେ କିଛି ପାକିସ୍ତାନ ସେନା ଓ ଆତଙ୍କବାଦୀ ଭାରତକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ । ହେଲେ ଭାରତୀୟ ସେନା ପକ୍ଷରୁ ଏହାର ଦୃଢ ଜବାବ ଦିଆଯାଇଥିଲା । ଗୁଳି ମାଡ଼ରେ ଅନୁପ୍ରବେଶ ପାଇଁ ଉଦ୍ୟମକ କରୁଥିବା ୪ରୁ ୫ ଜଣ ପାକିସ୍ତାନୀ ନିହତ ହୋଇଥିବା ଜଣାପଡ଼ିଛି । ଭାରତୀୟ ସେନାର ଗୋଟିଏ ସୂତ୍ରରେ କୁହାଯାଇଛି ଯେ ମଙ୍ଗଳବାର ବିଳମ୍ବିତ ରାତିରେ ପାକିସ୍ତାନୀ ସୈନ୍ୟ ଓ ଅନୁପ୍ରବେଶକାରୀ ସୀମାରେ ଗୁଳି ମାଡ଼ କରିଥିଲେ । ଭାରତୀୟ ଯବାନମାନେ ବି ଏହାର ଦୃଢ ଜବାବ ଦେଇଥିଲେ । ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ମାଡ଼ରେ ପାକିସ୍ତାନ ଭୟଙ୍କର କ୍ଷତିର ସମ୍ମୁଖୀନ ହୋଇଛି । ୪ରୁ ୫ଜଣ ପାକିସ୍ତାନୀ ନିହତ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କ ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ପଣ୍ଡ କରି ଦେଇଛନ୍ତି । ଚଳିତ ବର୍ଷ ଫେବ୍ରୁଆରୀ ପର ଠାରୁ ପାକିସ୍ତାନ ସୀମାରେ କୌଣସି ପ୍ରକାରର ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ନଥିଲା । ଫେବ୍ରୁଆରୀ ମାସରେ ପାକିସ୍ତାନ ଏହି କ୍ରିଷ୍ଣା ଘାଟିରେ ଗୁଳି ମାଡ଼ କରିଥିଲା । ଏବେ ପୁଣି ଗୋଟିଏ ମାସର ନୀରବତା ପରେ ପାକିସ୍ତାନ ସେନା ସୀମା ଲଙ୍ଘିଛନ୍ତି । ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା । କିନ୍ତୁ ଏଥିରେ ଭାରତର କୌଣସି କ୍ଷୟକ୍ଷତି ହୋଇନାହିଁ । କ୍ରିଷ୍ଣା ଘାଟିରେ ଏବେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କଡ଼ି କରାଯାଇଛି । ଦୁଇ ମାସ ମଧ୍ୟରେ ପାକିସ୍ତାନ ସେନା ଦ୍ୱିତୀୟ ଥର ପାଇଁ ଏପରି ଗୁଳି ମାଡ଼ କରିଛି । ବିଶେଷ କରି ପିର ପଞ୍ଜଲ ରିଜନରେ ପାକିସ୍ତାନ ସୀମା ଲଙ୍ଘିବାକୁ ଚେଷ୍ଟା କରିଛି । ପାକିସ୍ତାନ ପକ୍ଷରୁ ଅନୁପ୍ରବେଶ ଠାରୁ ଆରମ୍ଭ କରି ଗୁଳି ମାଡ଼ କରାଯାଉଛି । ହେଲେ ପାକିସ୍ତାନ ସେନାର ସବ ପ୍ରକାରର ହରକତକୁ ଭାରତୀୟ ଯବାନମାନେ ବେଶ ଦମଦାର ଢଙ୍ଗରେ ପଣ୍ଡ କରି ଦେଉଛନ୍ତି । ଆର୍ମି ସୂତ୍ର ଅନୁସାରେ, ପାକିସ୍ତାନୀ ଫୋର୍ସ ଓ ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରର କ୍ରିଷ୍ଣା ଘାଟି ସେକ୍ଟରରେ ବାରମ୍ବାର ଅନୁପ୍ରବେଶ ଉଦ୍ୟମ କରି ବିଫଳ ହେଉଛନ୍ତି । ଅନୁପ୍ରବେଶ ଉଦ୍ୟମ ବେଳେ ସେମାନଙ୍କୁ ବିପୁଳ କ୍ଷତି ସହିବାକୁ ବି ପଡ଼ୁଛି । ଫେବ୍ରୁଆରୀ ମାସ ଆରମ୍ଭରେ ପାକିସ୍ତାନ ଟ୍ରୁପ୍ସ ପକ୍ଷରୁ ଛୋଟ ଧରଣର ଗୁଳି ମାଡ଼ କରାଯିବା ସହ ଏଲଓସିରେ ବିସ୍ଫୋରକ ଖଞ୍ଜି ଅନୁପ୍ରବେଶ ଉଦ୍ୟମ ହୋଇଥିଲା । ଏ ସମ୍ପର୍କରେ ଭାରତ ପକ୍ଷରୁ ପାକିସ୍ତାନକୁ ଅବଗତ କରାଯାଇ ଆପତ୍ତି ଦାଖଲ କରାଯାଇଥିଲା । ତଥାପି ସୀମା ଲଙ୍ଘିବା କାମ ପାକିସ୍ତାନ ବନ୍ଦ କରୁନାହିଁ । ପାକିସ୍ତାନ ବର୍ତ୍ତମାନ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଦେଶର ବେଲୁଚିସ୍ତାନ ଓ ଖାୟବର ପାଖତୁନଖ୍ୱାରୁ ବିରୋଧର ସ୍ୱର ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସେଠାରେ ଲୋକଙ୍କ ସ୍ୱର ଚାପି ଦେବାକୁ ପାକିସ୍ତାନ ସେନା ବଳ ପ୍ରୟୋଗ କରୁଛି । ଏହା ବିରୋଧରେ ଅନ୍ତର୍ଜାତୀୟ ସ୍ତରରେ ସ୍ୱର ଉଠିବା ପାକିସ୍ତାନ ସମସ୍ୟାକୁ ଆହୁରି ବୃଦ୍ଧି କରୁଛି । ଆର୍ଥିକ ସଙ୍କଟ ଓ ବିଦ୍ରୋହ ତୀବ୍ର ହେଉଥିବାରୁ ଏଥିରୁ ବର୍ତ୍ତିବା ପାଇଁ ପାକିସ୍ତାନ ଏଭଳି କାରନାମା କରୁଥିବା କୁହାଯାଉଛି । ସେହିପରି ଭାରତରେ ପ୍ରବେଶ କରି ଜମ୍ମୁ-କଶ୍ମୀରରେ ହିଂସା ସୃଷ୍ଟି କରିବା ଲକ୍ଷ୍ୟରେ ପାକିସ୍ତାନ ଏପରି ଅନୁପ୍ରବେଶ କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.