ଆଜିଠୁ ଯୁକ୍ତ ଦୁଇ ଖାତା ଦେଖା

0 122

ଭୁବନେଶ୍ୱର, : ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ବୁଧବାର ଅର୍ଥାତ ଏପ୍ରିଲ ୨ ଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ ହେବ । ମେ ୧୫ ସୁଦ୍ଧା ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ, ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି । ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ଅନୁସାରେ, ଚଳିତ ବର୍ଷ ଏପ୍ରିଲ ୨ଠାରୁ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ । ମେ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରାଯିବ । ଏକ ସଙ୍ଗେ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ କରାଯିବ । ଏହା ସହ ସେ ଆହୁରି କହିଛନ୍ତି, ଖାତା ଦେଖା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ ହୋଇଛନ୍ତି । ସେମାନଙ୍କ ସୁବିଧା ଦୃଷ୍ଟିରୁ ନିଜ ଜିଲ୍ଲାରେ ହୋଇଥିବା ମୂଲ୍ୟାଙ୍କନ କେନ୍ଦ୍ରରେ ଖାତା ଦେଖିବା ପାଇଁ ନିୟୋଜିତ କରାଯାଇଛି । ଖାଲି ସେତିକି ନୁହେଁ ଖରାକୁ ଦୃଷ୍ଟିରେ ରଖି ଦୁଇଟି ସିଫ୍ଟରେ ଖାତା ଦେଖା ହେବ । ଅତ୍ୟଧିକ ଖରା ଓ ମୂଲ୍ୟାଙ୍କନ କେନ୍ଦ୍ରର ଦୂରତା ଯୋଗୁଁ ଯେପରି କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିବାକୁ ଆସିବା ଅସୁବିଧା ନ ହେବ ସେଥିପାଇଁ ମୂଲ୍ୟାଙ୍କନ କେନ୍ଦ୍ର ବଢାଯାଇଛି । ସେ ଆହୁରି କହିଛନ୍ତି ଯଦି କୌଣସି ଭୁଲ ନ ଥାଇ ତ୍ରୁଟିପୂର୍ଣ୍ଣ ଭାବେ କେହି ଛାତ୍ର ମାଲପ୍ରାକ୍ଟିସରେ ବୁକ ହୋଇଥିବେ ତେବେ ସେମାନଙ୍କ ପରୀକ୍ଷା ଫଳ ସାଧାରଣ ପରୀକ୍ଷାର୍ଥୀଙ୍କ ସହ ଏକାସାଙ୍ଗରେ ପ୍ରକାଶ ପାଇବ । କାଉନସିଲ ଦ୍ୱାରା ଗଠିତ ସ୍ୱତନ୍ତ୍ର କମିଟିର ଯାଞ୍ଚରେ ଏହି ଛାତ୍ରୀଛାତ୍ର ନିଜର ପକ୍ଷ ରଖିବାକୁ ସୁଯୋଗ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ । ସୂଚନା ଥାଉକି ପ୍ରାୟ ୩ ଲକ୍ଷ ୯୩ ହଜାର ୬୧୬ ପରୀକ୍ଷାର୍ଥୀ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି ।

Leave A Reply

Your email address will not be published.