ଭୁବନେଶ୍ୱର, : ଭୁବନେଶ୍ୱର ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କଲେ ଜଗମୋହନ ମିନା । ସେ ପୋଲିସ କମିସନରଙ୍କ ଉପସ୍ଥିତିରେ ପିନାକ ମିଶ୍ରଙ୍କ ଠାରୁ ଏହି ଦାୟିତ୍ୱ ନେଇଛନ୍ତି । ସୂଚନାଯୋଗ୍ୟ, ୨୦୨୪ ସେପ୍ଟେମ୍ବରରେ ଭୁବନେଶ୍ୱରକୁ ଆସିଥିଲେ ନୂଆ ଡିସିପି । ୨୦୧୪ ବ୍ୟାଚ୍ ଆଇପିଏସ୍ ପ୍ରତୀକ ସିଂଙ୍କ ସ୍ଥାନରେ ୨୦୧୧ବ୍ୟାଚ୍ ଆଇପିଏସ୍ ପିନାକ ମିଶ୍ର ଏହି ପଦବିରେ ଅବସ୍ଥାପିତ ହୋଇଥିଲେ । କିନ୍ତୁ ମାତ୍ର ୫ମାସ ପରେ ପିନାକ ମିଶ୍ରଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ୨୦୧୩ ବ୍ୟାଚ୍ ଆଇପିଏସ୍ ତଥା କଟକ ଡିସିପି ଜଗମୋହନ ମିନାଙ୍କୁ ଭୁବନେଶ୍ୱର ଡିସିପି ଦାୟିତ୍ୱ ଦିଆଯାଇଛି । ରାଜଧାନୀର ଆଇନଶୃଙ୍ଖଳା ଠାରୁ ଆରମ୍ଭ କରି ଟ୍ରାଫିକ୍ ସମସ୍ୟା, ନିଶା କାରବାର, ଅପରାଧ ନିୟନ୍ତ୍ରଣ, ଭିଭିଆଇପି ସୁରକ୍ଷା ଆଦି ପ୍ରସଙ୍ଗ ନୂଆ ଡିସିପିଙ୍କ ପାଇଁ ବଡ଼ ଆହ୍ୱାନ ହେବ । ରାଜଧାନୀରେ ଭିଭିଆଇପି ସୁରକ୍ଷା ଓ ବିଭିନ୍ନ ରାଜନୈତିକ ଦଳର ବିକ୍ଷୋଭ ଆଦିକୁ ସମ୍ଭାଳିବା ମଧ୍ୟ ନୂଆ ଡିସିପିଙ୍କ ପାଇଁ ଚ୍ୟାଲେଞ୍ଜ୍ ସୃଷ୍ଟି କରିବ । ୧୯୮୯ ମସିହାରେ ରାଜସ୍ଥାନରେ
ଜନ୍ମିତ ଶ୍ରୀ ମିନା ୨୦୦୬ ମସିହାରେ ଦିଲ୍ଲୀ କେନ୍ଦ୍ରୀୟ ବିଦ୍ୟାଳୟରୁ ଦ୍ୱାଦଶ ପାସ୍ କରିଥିଲେ । ଏହାପରେ ସେ ଇଂଜିନିୟରିଂ ପଢିଥିଲେ ଏବଂ
ଆଇଆଇଟି କାନପୁରରେ ଯୋଗଦେଇଥିଲେ । ୨୦୧୧ରେ ସେ ଏମଟେକ୍ ଡିଗ୍ରୀ ହାସଲ କରିଥିଲେ । ସେହି ବର୍ଷ ସେ ଆଇପିଏସ୍ ପରୀକ୍ଷାରେ ସଫଳ ହୋଇପାରିନଥିଲେ । କିନ୍ତୁ ୨୦୧୨ରେ ସେ ଆଇପିଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହେଲେ । ୨୦୧୩ରେ ସେ କଳାହାଣ୍ଡି ଜିଲ୍ଲାରେ ଏସଡିପିଓ ଭାବେ ନିଯୁକ୍ତି ପାଇଥିଲେ । ଏହାପରେ ୨୦୧୭ ମସିହାରେ ଏସପି ଭାବେ ପ୍ରଥମେ ମାଲକାନଗିରିରେ ଯୋଗଦେଇଥିଲେ । ସେଠାରେ ଦୁଇବର୍ଷ କାର୍ଯ୍ୟ ତୁଲାଇବା ପରେ ୨୦୧୯ ମସିହାରେ ଅନୁଗୁଳ ଜିଲ୍ଲା ଏସପି ଭାବେ ଯୋଗଦେଇଥିଲେ ।
୨୦୨୩ରେ ସେ ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଇଥିଲେ । ସେଠାରେ ବର୍ଷେ ୯ମାସ କାର୍ଯ୍ୟ କରିବା ପରେ ଗତ ସେପ୍ଟେମ୍ବରରେ କଟକ ଡିସିପି ଭାବେ ଯୋଗଦେଇଥିଲେ ।