ଓଡ଼ିଶା ମାଟି ତଳେ ଗ୍ରାଫାଇଟ୍‌, ନିକେଲ୍‌ କ୍ରିଟିକାଲ୍ ମିନେରାଲ୍ ଖୋଜୁଛି ଜିଏସ୍‌ଆଇ

0 101

ଭୁବନେଶ୍ୱର, : ଖଣି ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶାରେ କ୍ରିଟିକାଲ୍ ମିନେରାଲ୍ ମଧ୍ୟ ରହିଛି । ଗ୍ରାଫାଇଟ୍‌, ନିକେଲ୍‌, କ୍ରୋମିୟମ୍‌ ଆଦି ଓଡ଼ିଶା ମାଟି ତଳେ ରହିଛି । ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଜିଏସ୍‌ଆଇ) ସେଗୁଡ଼ିକର ସନ୍ଧାନ କରୁଛି । ଖୁବ୍‌ଶୀଘ୍ର ଗ୍ରାଫାଇଟ୍ର ସନ୍ଧାନ ମିଳିବ ବୋଲି ଜିଏସ୍‌ଆଇର ଉପ ମହାନିର୍ଦେଶକ (ଓଡ଼ିଶା ରାଜ୍ୟ ୟୁନିଟ୍‌) ପଙ୍କଜ କୁମାର କହିଛନ୍ତି । ଶ୍ରୀ କୁମାର କହିଛନ୍ତି ଯେ କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ଜିଏସ୍‌ଆଇ ବହୁତ କାମ କରୁଛି । ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ କ୍ରିଟିକାଲ୍ ମିନେରାଲ୍‌ ସନ୍ଧାନ କରିବା ଉପରେ ଜୋର ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ଯଦିଓ କିଛି ଠୋସ୍ ସନ୍ଧାନ ମିଳିନାହିଁ, କିନ୍ତୁ ଖୁବ୍‌ଶୀଘ୍ର ଗ୍ରାଫାଇଟ୍ ମିଳିଯିବ ବୋଲି ଆମେ ଆଶା କରୁଛୁ ବୋଲି ସେ କହିଛନ୍ତି । ଓଡ଼ିଶା ଏହାର କୋଇଲା, ଲୁହାପଥର, ମାଙ୍ଗାନିଜ ଭଳି ଖଣିଜ ପଦାର୍ଥ ଲାଗି ଯେଭଳି ପରିଚିତ, ଆଗାମୀ ଦିନରେ କ୍ରିଟିକାଲ୍‌ ମିନେରାଲ୍ କ୍ଷେତ୍ରରେ ମଧ୍ୟ ସେଭଳି ପ୍ରତିଷ୍ଠା ହାସଲ କରିବାର ପ୍ରବଳ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି । ରାଜ୍ୟରେ ଭୂପୃଷ୍ଠର ସ୍ଥିତି ସେଭଳି କିଛି ରହିଥିବା ସେ ଜଣାଇଛନ୍ତି । ଗ୍ରାଫାଇଟ୍କୁ ଏକ କ୍ରିଟିକାଲ୍ ମିନେରାଲ୍ ଭାବେ ବିଚାର କରାଯାଉଛି ଯାହା ବର୍ତ୍ତମାନ ସମୟରେ ଇଲେକ୍ଟ୍ରିକ୍ ଯାନର ବ୍ୟାଟେରିରେ ବ୍ୟବହାର ହେଉଛିୟ ଏହା ବ୍ୟତୀତ ଇସ୍ପାତ ଉତ୍ପାଦନ,
ବ୍ରେକ୍ ଲାଇନିଂ, ଲୁବ୍ରିକ୍ୟାଣ୍ଟ ଓ ଆଣବିକ ରିଆକ୍ଟରରେ ମଧ୍ୟ ତାହା ବ୍ୟବହାର ହେଉଛି । ଗ୍ରାଫାଇଟ୍ର ସନ୍ଧାନ ମିଳିଲେ ରାଜ୍ୟ ଅର୍ଥନୀତି
ବିଶେଷ ଭାବେ ଉପକୃତ ହୋଇପାରିବ । କେନ୍ଦୁଝର ଜିଲ୍ଲାରେ ମିଳିଥିବା ସୁନା ଖଣି ସମ୍ପର୍କରେ ଶ୍ରୀ କୁମାର କହିଛନ୍ତି ଯେ ମାଟିତଳେ କେଣସି ଖଣିଜ ପଦାର୍ଥ ଅଛି ନା ନାହିଁ, ତାହା ସ୍ପଷ୍ଟ ଭାବେ କହିବା ପୂର୍ବରୁ ବହୁ ପ୍ରକ୍ରିୟା ଦେଇ ଗତି କରିବାକୁ ହୁଏ । ପ୍ରଥମେ ଜି୪ ସ୍ତର ପର୍ଯ୍ୟନ୍ତ ପହଞ୍ଚିବାକୁ ପଡ଼େ ଓ ତା\’ ପରେ ଡ୍ରିଲିଂ ଆରମ୍ଭ ହୋଇଥାଏୟ କେନ୍ଦୁଝରରେ ଏବେ ଡ୍ରିଲିଂ କାମ ଚାଲିଛି । ସେଥିରୁ ପଥରଗୁଡ଼ିକୁ ହଟାଇବା ପରେ ଯାହା କିଛି ମିଳିବ, ତାହାକୁ ଅନୁଧ୍ୟାନ କରାଯିବ । ତା\’ପରେ ସେଠାରେ ସୁନା ଅଛି ନା ନାହିଁ, ଯଦି ଅଛି କେତେ ପରିମାଣର ଅଛି, ତାହା କହିହେବ ବୋଲି ସେ କହିଛନ୍ତି । ଚଳିତ ବର୍ଷ ଜାନୁଆରି ଅନୁଷ୍ଠିତ କେନ୍ଦ୍ରୀୟ ଭୂତତ୍ତ୍ୱ ପ୍ରୋଗ୍ରାମିଂ ବୋର୍ଡ (ସିଜିପିବି)ର ୬୪ତମ ବେଠକରେ କେନ୍ଦ୍ର ଖଣି ସଚିବ ଭି ଏଲ୍ କାନ୍ତା ରାଓ ସୂଚନା ଦେଇଥିଲେ ଯେ ରାଜ୍ୟ ମାଟି ତଳେ ଲିଥିୟମ୍ ରହିଛି । ନୟାଗଡ଼ରେ ତାହା ଥିବା ଅନୁମାନ କରାଯାଉଛି । ଜିଏସ୍‌ଆଇ ତରଫରୁ ତାହାର ଅନ୍ୱେଷଣ ଜାରି ରହିଛି । ରାଜ୍ୟରେ ନୂତନ ଖଣି ସନ୍ଧାନ କରିବା ଲାଗି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ), ଡ୍ରୋନ୍ ପ୍ରଯୁକ୍ତି ବ୍ୟବହାର କରାଯାଉଛି । ସୁନ୍ଦରଗଡ଼, କନ୍ଧମାଳ ଓ ମାଲକାନଗିରିରେ ସେହି ପଦ୍ଧତିରେ ଖଣି ସନ୍ଧାନ ଜାରି ରହିଛି ।

Leave A Reply

Your email address will not be published.