ଭୁବନେଶ୍ୱର,: ଓଡ଼ିଶାର ସମସ୍ତ ବ୍ଲକରେ ଷ୍ଟାଡିୟମ ନିର୍ମାଣ କରିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଏହି ପରିପ୍ରେକ୍ଷୀରେ ବ୍ଲକ ଗୁଡ଼ିକରେ ହେବାକୁ ଥିବା ଷ୍ଟାଡିୟମ ନିମନ୍ତେ ଉପଯୁକ୍ତ ସ୍ଥାନ ନିରୂପଣ କରିବା ପାଇଁ ଆଜି କ୍ରୀଡ଼ା ଓ ଯୁବସେବା ବିଭାଗ ତରଫରୁ ଏକ ବୈଠକର ଆୟୋଜନ କରାଯାଇଥିଲା । କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଜିଲ୍ଲା କ୍ରୀଡ଼ା
ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ । ବୈଠକର ପ୍ରାରମ୍ଭରେ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା ବ୍ଲକ ସ୍ତରରେ ହେବାକୁ ଥିବା ଷ୍ଟାଡିୟମର ରୂପରେଖ, ବୈଶିଷ୍ଟ୍ୟ ଓ ବିଶେଷତା ସମ୍ବନ୍ଧରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ । ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ନିଜ ଜିଲ୍ଲା ଅଧୀନରେ ଆସୁଥିବା ବ୍ଲକଗୁଡ଼ିକରେ ଷ୍ଟାଡିୟମ ନିର୍ମାଣ ପାଇଁ ସ୍ଥିରୀକୃତ ହୋଇଥିବା ଉପଯୁକ୍ତ ସ୍ଥାନ ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥିଲେ । ଏଥିସହିତ ଯେଉଁ ବ୍ଲକ ଗୁଡ଼ିକରେ ଏଯାବତ ସ୍ଥାନ ନିରୂପଣ ହୋଇପାରିନାହିଁ, ସେହି ବ୍ଲକ ଗୁଡ଼ିକରେ ଉପଯୁକ୍ତ ସ୍ଥାନ ଚି଼ହ୍ନଟ କରି ଆସନ୍ତା ଫେବୃଆରୀ ୨୦ ତାରିଖ ସୁଦ୍ଧା ଜିଲ୍ଲା ପ୍ରଶାସନ କ୍ରୀଡ଼ା ଓ ଯୁବସେବା ବିଭାଗକୁ ଅବଗତ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏଥିସହିତ ସମସ୍ତ ଜନସାଧାରଣ ଓ କ୍ରୀଡ଼ାବିତମାନଙ୍କ
ସୁବିଧା ନିମନ୍ତେ ଷ୍ଟାଡ଼ିୟମଗୁଡ଼ିକୁ ଯଥା ସମ୍ଭବ ବ୍ଲକ ହେଡ଼ କ୍ୱାର୍ଟର ପାଖରେ ରହିଥିବା ସ୍ଥାନରେ ନିର୍ମାଣ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ଆମ ସରକାର ବିକଶିତ ଓଡ଼ିଶା୨୦୩୬ର ଲକ୍ଷ୍ୟ ରଖିଛନ୍ତି । ବିକଶିତ ଓଡ଼ିଶା ଗଠନ ପାଇଁ ଓଡ଼ିଶାରେ କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କର ସାମଗ୍ରିକ ବିକାଶ କରିବା ହେଉଛି ଆମର ପ୍ରାଥମିକତା । ତୃଣମୂଳ ସ୍ତରରେ ସୁଦୃଢ଼ କ୍ରୀଡ଼ା ଭିତିଭୂମିର ନିର୍ମାଣ କରିବା ସହ ଓଡ଼ିଶାର ପ୍ରତିଟି ବ୍ଲକ, ପ୍ରତିଟି ଗାଁରେ ଯେପରି କ୍ରୀଡ଼ା ପ୍ରତିଭାର ବିକାଶ ହୋଇପାରିବ ସେ ଲକ୍ଷ୍ୟ ନେଇ ବ୍ଲକ ସ୍ତରୀୟ ଷ୍ଟାଡିୟମର ନିର୍ମାଣ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଆଗାମୀ ଦିନରେ ଷ୍ଟାଡିୟମର ନିର୍ମାଣ କରିବା ସହ ଏହାର ସୁପରିଚାଳନା ଏବଂ
କ୍ରୀଡ଼ାବିତମାନଙ୍କୁ ଯେପରି ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରାଯାଇପାରିବ ସେ ଦିଗରେ ଗୁରୁତ୍ୱାରୋପ କରାଯିବ ।ଏଥିସହିତ ତୃଣମୂଳ ସ୍ତରର କ୍ରୀଡ଼ାବିତମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଯେପରି ଓଡ଼ିଶା ପାଇଁ ସୁନାମ ଅର୍ଜନ
କରିପାରିବେ ତାହା ଲକ୍ଷ୍ୟ ରଖା ଯାଇଛି ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ଆଜିର ବୈଠକରେ ମତପ୍ରକାଶ କରିଥିଲେ ।
ତୃଣମୂଳସ୍ତରରେ କ୍ରୀଡ଼ା ଭିତ୍ତିଭୂମି ଓ କ୍ରୀଡ଼ାପ୍ରତିଭା ବିକାଶ କରିବା ଆମ ଲକ୍ଷ୍ୟ : କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
Next Post