ପୁରୀ,: ବୁଧବାର ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ଶ୍ରୀବିଗ୍ରହମାନଙ୍କ ଗଜ ଉଦ୍ଧାରଣ ବେଶ । ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିର ରତ୍ନସିଂହାସନରେ ବିରାଜମାନ କରୁଥିବା ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦେଖିବାକୁ ଭକ୍ତମାନଙ୍କର ପ୍ରବଳ ସମାଗମ ହୋଇଥିଲା । ହଜର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କର ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିଥିଲେ । ଏହି ଠାକୁରମାନେ ଏହି ବେଶରେ ଚୂଳ, କିରୀଟ, କର୍ଣ୍ଣ କୁଣ୍ଡଳ, ସୂର୍ଯ୍ୟ ଚନ୍ଦ୍ର, ଅଣ୍ଟାପଟି, ହାତ, ବାଜୁବନ୍ଧ, ହାତଫେର, ସାଙ୍ଗକୁ ଶଙ୍ଖ, ଚକ୍ର, ଗଦା, ପଦ୍ମ, ହଳ, ମୂଷଳ, ଅଣ୍ଟାପିଠି, ବାଙ୍କି, ପାହୁଡ, ଗୋଡ଼ ଖଡ଼ୁ, ହାତମାଳ, ନାକଚଣା, ପଦ୍ମ କଢି ପ୍ରଭୃତି ସୋଲ, ଜରି, ଜମ୍ବୁରା, କନା, କଇଥ ଅଠା ଦ୍ୱାରା ନିର୍ମିତ ଅଭୁଷଣରେ ବିଭୂଷିତ ହୋଇଥିଲେ । ଭିତରଚ୍ଛ, ତଳିଚ୍ଛ, ପୁଷ୍ପାଳକ, ଖୁଣ୍ଟିଆ ଓ ମେକାପ ସେବକମାନଙ୍କ ଦ୍ୱାରା ଏହି ବେଶ କରାଯାଇଥିଲା ।
ଏହି ବେଶରେ ପ୍ରଭୁ ବଳଭଦ୍ର ଓ ମହାପ୍ରଭୁ ଜଗନ୍ନାଥ ଚାରିଭୁଜ ଧାରଣ କରିଥିଲେ । ଶ୍ରୀଜଗନ୍ନାଥ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରଣ କରି ଗରୁଡ ଉପରେ ବସିବା ଭଙ୍ଗୀରେ ଦୃଶ୍ୟମାନ ହେଇଥିବା ବେଳେ ତାଙ୍କ କୋଳରେ ମା\’ଲକ୍ଷ୍ମୀ ପ୍ରତିମା ବିରାଜମାନ କରିଥିଲେ । ମହାପ୍ରଭୁଙ୍କୁ ଚୂଳ, କିରୀଟ ଓ ଅଳଙ୍କାର ମାନ ଲାଗି ହୋଇଥିଲା । ସେହିପରି ବଳଭଦ୍ର ଶଙ୍ଖ, ଚକ୍ର, ହଳ, ମୂଷଳ, ଧରି ବାସୁଦେବ ରୂପରେ ବିରାଜମାନ କରିଥିବା ବେଳେ ଦେବୀ ସୁଭଦ୍ରା କୃଷ୍ଣଙ୍କ ପରି ପାଦକୁ ଛନ୍ଦି ଏକ ପଦ୍ମ କଢି ଧରି ବିରାଜିତ ହୋଇଥିଲେ । ଦୁଇଟି ହସ୍ତୀ ଶୁଣ୍ଢରେ ପଦ୍ମ କଳିକା ଧରି ଶ୍ରୀଜିଉଙ୍କ ସମୀପରେ ଦଣ୍ଡାୟମାନ ଅବସ୍ଥାରେ ଦୃଶ୍ୟମାନ ହୋଇଥିଲେ । ହସ୍ତୀର ଶରୀରକୁ ଆକ୍ରମଣ ଭଙ୍ଗୀରେ ଏକ କୁମ୍ଭୀର ମୂର୍ତ୍ତି ରହିଥିଲା । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଠାକୁରମାନଙ୍କ ଗଜ ଉଦ୍ଧାରଣ ବେଶ ସଂପୂର୍ଣ୍ଣ ହେବାପରେ କ୍ଷୀରି ଓ ଅମାଲୁ ଭୋଗ ଓ ସନ୍ଧ୍ୟାଧୂପ ପୂଜା ହୋଇଥିଲା । ସନ୍ଧ୍ୟାଧୂପ ଶେଷ ପରେ ଶ୍ରାଦ୍ଧମାନେ ମହାପ୍ରଭୁଙ୍କର ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିଥିଲେ ।