ବ୍ରହ୍ମପୁର,: ସ୍ଥାନୀୟ ରେଡ୍ଡୀ ଗ୍ୟାରେଜ ଛକ ତୁଳସୀ ନଗର ଷଷ୍ଠ ସରଣୀସ୍ଥ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ତ୍ରୟୋବିଂଶତିତମ ବାର୍ଷିକୋତ୍ସବ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପବିତ୍ର ଜୟନ୍ତି ଅବସରରେ ଅନୁଷ୍ଠିତ ହୋଇଯାଇଛି । ଶିଶୁ
ମନ୍ଦିର ସଭାପତି ତଥା ବରିଷ୍ଠ ଆଇନଜୀବୀ ସୁଧୀର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡାକ୍ତର ତିରୁପତି ସାହୁ ମୁଖ୍ୟଅତିଥି, ବ୍ରହ୍ମପୁର ଅର୍ବାନ ବ୍ୟାଙ୍କ ସଭାପତି ଆର.ମୂରଲୀ ମୋହନ ବରେଣ୍ୟ ଅତିଥି, ବ୍ରହ୍ମପୁର ମହାନଗର ନିଗମ ୧୫ନଂ ୱାର୍ଡ କର୍ପୋରେଟର ଆର.ପାବନୀ ବିଶିଷ୍ଟ ଅତିଥି, ବରିଷ୍ଠ ଶିକ୍ଷାବିତ ତଥା ଶିଶୁ ସାହିତ୍ୟିକ ଡଃ.ବିଜୟ ଚନ୍ଦ୍ର ମହାରଣା ମୁଖ୍ୟବକ୍ତା ଏବଂ ନାଟ୍ୟକାର ପ୍ରଫୁଲ୍ଲ ବେହେରା ଓ ନୃତ୍ୟାଚାର୍ଯ୍ୟ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଠାକୁରଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ଦୁଇ ସ୍ୱାଧୀନତା ସଂଗ୍ରାମୀଙ୍କ ତୈଳ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ସହ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ଶିଶୁ ମନ୍ଦିର ଭଳି ମଣିଷ ତିଆରି କାରଖାନା ଗୁଡିକର ସଫଳତା ଉକ୍ତ ଅନୁଷ୍ଠାନର ଆଚାର୍ଯ୍ୟ-ଆଚାର୍ଯ୍ୟା ତଥା ଅନ୍ୟାନ୍ୟ ସମସ୍ତ କର୍ମଚାରୀଙ୍କ ନିଷ୍ଠା ଓ ତ୍ୟାଗ ଉପରେ ନିର୍ଭର କରୁଥିବା ହେତୁ ସେମାନେ ଅତୀବ ପ୍ରଶଂଶାର୍ହ ବୋଲି ମତବ୍ୟକ୍ତ କରିଥିଲେ । ନୃତ୍ୟାଚାର୍ଯ୍ୟ ପ୍ରଶାନ୍ତ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶିଶୁ ମନ୍ଦିର ସମ୍ପାଦକ ତଥା ପ୍ରଧାନଚାର୍ଯ୍ୟ ବରୁଣ କୁମାର ଚୌଧୁରୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଅତିଥିମାନଙ୍କ ଦ୍ୱାରା କୃତି ଛାତ୍ର-ଛାତ୍ରୀଙ୍କ ପୁରସ୍କାର ବିତରଣ କରାଯିବା ପରେ ଶିଶୁ ଭାଇ-ଭଉଣୀ ମାନଙ୍କ ଦ୍ୱାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା ।