ଧର୍ମଗଡ, : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଡଙ୍ଗରିଗୁଡା ଉପ ମଣ୍ଡି ରବିବାର ଉଦଘାଟିତ ହୋଇଯାଇଛି । ପୂର୍ବରୁ ଚାଷୀମାନେ କୋକସରା ମଣ୍ଡିରେ ଧାନ ବିକ୍ରି କରୁଥିଲେ । ତେବେ ଅନେକ ସମୟରେ ମଣ୍ଡିରେ ଧାନ ବିକ୍ରି ସମୟରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଏନେଇ ଚାଷୀମାନେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀଙ୍କୁ ଡ଼ଙ୍ଗରିଗୁଡା ଠାରେ ଆବଶ୍ୟକ ଭିତ୍ତିଭୂମି ଓ ଚାଷୀଙ୍କ ପାଇଁ ଧାନ ପରିବହନରେ ସୁବିଧା ରହିଥିବା ନେଇ ସ୍ୱତନ୍ତ୍ର ଉପମଣ୍ଡି ଡଙ୍ଗରିଗୁଡାରେ ଖୋଲିବାକୁ ଲିଖିତ ଅଭିଯୋଗ କରିଥିଲେ । ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରେଙ୍ଗାଳପାଲି ପଞ୍ଚାୟତର ରେଙ୍ଗାଳପାଲି, ଝରିଆଗୁଡା, ଡଙ୍ଗରିଗୁଡାରେ ମଣ୍ଡି ଆରମ୍ଭ ହୋଇଛି । ରବିବାର ଡଙ୍ଗରିଗୁଡାରେ ମଣ୍ଡି ଆରମ୍ଭ ହୋଇଥିବା ବେଳେ ରେଙ୍ଗାଳପାଲି ସରପଞ୍ଚ ପଦ୍ମିନୀ ପାତ୍ର, ବିଜେପି ନେତା ତ୍ରିନାଥ ଶବର, ସ୍ଥାନୀୟ ସଚେତନ ଚାଷୀ କେତନ ପାତ୍ର ସମିତି ସଭ୍ୟ ମୁକ୍ତେଶ୍ୱର ନାଏକ, ନାଏବ ସରପଞ୍ଚ ଅଶୋକ ଭୋଇ, ସମେତ ଶତାଧିକ ଚାଷୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ପରେ ମଣ୍ଡିରେ ଧାନ କ୍ରୟ ଆରମ୍ଭ ହୋଇଛି । ଏହି ଅବସରରେ ଅଞ୍ଚଳର ଚାଷୀ ଯଶୋବନ୍ତ ନାଏକ, ହେମନ୍ତ କୁମାର ନାଏକ, ବାଳକୃଷ୍ଣ ନାଏକ, ଅନିରୁଦ୍ଧ ପାତ୍ର, ବିପିନ ମହାରଣା, ଧବଳେଶ୍ୱର ମାଝୀ, ସନ୍ଥ ନାଏକ, ବନମାଳୀ ବାଗ, ଚତୁର୍ଭୁଜ ମାଝୀ, ମୁକୁନ୍ଦ ପଟ୍ଟନାୟକ, ରାଜ କିଶୋର ସାହୁ, ହୀରାଲାଲ ସରାଫ ଦୁର୍ଜନ ଯାନୀ ପ୍ରମୁଖ ଚାଷି ଉପସ୍ଥିତ ଥିଲେ । ମଣ୍ଡି ପରିଚାଳନା ପାଇଁ କୋକସରା ପେକ୍ସ ସମ୍ପାଦକ ନିରଞ୍ଜନ ପ୍ରସାଦ ବାଗ, ଆରଏମସି କର୍ମଚାରୀ ଓ ମିଲ ମାଲିକଙ୍କ ପ୍ରତିନିଧିମାନେ ଉପସ୍ଥିତ ରହି ଧାନ କ୍ରୟ କରିଛନ୍ତି । ମଣ୍ଡି ପାଇଁ ଧର୍ମଗଡ ବିଧାୟକ ଶ୍ରୀ ପାଟ୍ଟଯୋଶୀଙ୍କୁ ଚାଷୀମାନେ କୃତଜ୍ଞତା ଜଣାଇଛନ୍ତି ।