ଭୁବନେଶ୍ୱର,: ରାଜ୍ୟ ସରକାର \”ଅଦିନିଆ ବର୍ଷା\’କୁ ରାଜ୍ୟ ପ୍ରାକୃତିକ ଦୁର୍ବିପାକ ଭାବେ ଘୋଷଣା କରିଛନ୍ତି । ଗତମାସରେ ଅଦିନିଆବର୍ଷରେ ବ୍ୟାପକ ଫସଲ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଏହି ନିଷ୍ପତ୍ତି ଫଳରେ ରାଜ୍ୟରେ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ୧୬ଟି ଜିଲ୍ଲାର ପ୍ରାୟ ୬ଲକ୍ଷ ୬୬ହଜାର ୭୨୦ଜଣ ଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆଠାରେ \”କୃଷି ଓଡ଼ିଶା କନକ୍ଲେଭ-୨୦୨୫\’କୁ ଉଦଘାଟନ କରି କହିଛନ୍ତି ଯେ, ଗତମାସରେ ଅଦିନିଆ ବର୍ଷାରେ ଯେଉଁ ଚାଷୀମାନଙ୍କର ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷୟକ୍ଷତି ହୋଇଛି ସେମାନଙ୍କୁ ରାଜ୍ୟ ସରକାରଙ୍କ ରିଲିଫ କୋଡ୍ ପ୍ରାବଧାନ ଆଧାରରେ ସହାୟତା ପ୍ରଦାନ କରାଯିବ । ଏଥିପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ)ରୁ ୨୯୧କୋଟି ୫୯ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଜିଲ୍ଲାପାଳମାନଙ୍କ ରିପୋର୍ଟ ଅନୁସାରେ ଗତ ଡିସେମ୍ବର ୨୦ରୁ ୨୮ତାରିଖ ମଧ୍ୟରେ ହୋଇଥିବା ଅଦିନିଆ ବର୍ଷାରେ ୧୬ଟି ଜିଲ୍ଲାର ୬ଲକ୍ଷ ୬୬ହଜାର ୭୨୦ଜଣ
ଚାଷୀଙ୍କର ୨ଲକ୍ଷ ୨୬ହଜାର ୭୯୧ ହେକ୍ଟର ଚାଷଜମିରେ ୩୩ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବ୍ୟତୀତ ଯେଉଁ ଚାଷୀମାନେ କପା ଓ ପନିପରିବା ଚାଷ କରିଛନ୍ତି ଓ ଭାଗ ଚାଷୀ ସେମାନଙ୍କୁ ମଧ୍ୟ ସହାୟତା ଦେବାକୁ ସରକାର ପଦକ୍ଷେପ ନେଇଛନ୍ତି । ଚାଷୀମାନେ କ୍ଷତିପୂରଣ ଆକାରରେ ଏହି ୨୯୧.୫୯କୋଟି ଟଙ୍କାର ଆର୍ଥିକ ସହାୟତା ପାଇବେ । ସେହିପରି ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ୨ଲକ୍ଷ ୬୧ହଜାର ଚାଷୀଙ୍କ ଆବେଦନ ସରକାରଙ୍କ ହସ୍ତଗତ ହୋଇଛି । ବୀମାଭୁକ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଜିଠାରୁ ଡିବିଟି ମାଧ୍ୟମରେ କ୍ଷତିପୂରଣ ପ୍ରଦାନ କରାଯାଉଛି । ସବୁ ବୀମାଭୁକ୍ତ ଚାଷୀମାନଙ୍କୁ ଆବେଦନ
କରିବାର ସୁଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରାଯାଇ ଏହି ଆବେଦନ ସମୟକୁ ୩ଦିନ ବୃଦ୍ଧି କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ପ୍ରଚଳିତ ରିଲିଫ କୋଡ୍ ପ୍ରାବଧାନ ଆଧାରରେ \”ପ୍ରାକୃତିକ ଦୁର୍ବିପାକ\’ ତାଲିକାରେ ଅଦିନିଆ ବର୍ଷା ସାମିଲ ନଥିଲା । କିନ୍ତୁ ରାଜ୍ୟର ଚାଷୀମାନଙ୍କ ବ୍ୟାପକ ଫସଲ କ୍ଷତି ଓ ସେମାନଙ୍କର ଦାବିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେମାନଙ୍କୁ ଏସଡିଆରଏଫ ପାଣ୍ଠିରୁ ଆବଶ୍ୟକ ପରିମାଣର କ୍ଷତିପୂରଣ ପ୍ରଦାନ କରିବା ପାଇଁ \”ଅଦିନିଆ ବର୍ଷା\’କୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା କୃଷି ଓଡ଼ିଶା-୨୦୨୫
Next Post