ଭୁବନେଶ୍ୱର,୩/୧/୨୦୨୫ : ଆଇଏସଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ । ସଚିବସ୍ତରରେ ୫ ଅଫିସରଙ୍କ ଅଦଳବଦଳ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦରୁ ଅରବିନ୍ଦ ଡାକୁଆଙ୍କୁ ବଦଳି କରାଯାଇଛି । ଅରବିନ୍ଦ ଡାକୁଆଙ୍କୁ ପୌର ପ୍ରଶାସକ ଏବଂ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ମିଳିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦ କାହାକୁ ଦିଆଯିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ରାଜ୍ୟ ସରକାର ପ୍ରେମଚାନ୍ଦ ଚୌଧୁରୀଙ୍କୁ ବୟନ ଶିଳ୍ପର ନିର୍ଦ୍ଦେଶକ ଦାୟିତ୍ୱ ଦେଇଛନ୍ତି । ଟି.ୱାପଙ୍ଗ ରାଓଙ୍କ ଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ,ଏନବିଏସ୍ ରାଜପୁତଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ଭୂପେନ୍ଦର ସିଂହ ପୁନିଆଙ୍କୁ ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେଭଳି ଓଏଏସ୍ସ୍ତରରେ ମଧ୍ୟ ଅଦଳବଦଳ କରାଯାଇଛି । ଦେବାଶିଷ ସିଂ ଗୃହ ଓ ନଗର ଉନ୍ନୟନ ବିଭାଗ ସ୍ୱତନ୍ତ୍ର ସଚିବ ଭାବରେ ଦାୟିତ୍ୱ ପାଇଁଛନ୍ତି । ପୂର୍ବରୁ ସେ ମ୍ୟୁନିସିପାଲ ଆଡମିନିଷ୍ଟ୍ରେସନ୍ ଆଣ୍ଡ ଏକ୍ସ-ଅଫିସିଆଲ୍ ସ୍ପେଶାଲ ସେକ୍ରେଟରୀ ଭାବରେ କାର୍ଯ୍ୟ ତୁଲାଉଥିଲେ । ପୂର୍ବରୁ ଇସ୍ପାତ ଏବଂ ଖଣି ବିଭାଗର ଅତିରିକ୍ତ ସଚିବ ଥିବା ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ମହିଳା ଏବଂ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଭାବରେ ପ୍ରଦାନ କରାଯାଇଛି ଦାୟିତ୍ୱ । ତାଙ୍କ ସ୍ଥାନରେ ଇସ୍ପାତ ଏବଂ ଖଣି ବିଭାଗର ଅତିରିକ୍ତ ସଚିବ ଭାବରେ ଗୌତମ ଚୌଧୁରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।