୩ଟି ଟ୍ରେନର ଶୁଭାରମ୍ଭ କଲେ ରାଷ୍ଟ୍ରପତ

President launched 3 trains

0 183

ଭୁବନେଶ୍ୱର,୨୧ା୧୧ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ମଙ୍ଗଳବାର) ବାଦାମପାହାଡ଼ ରେଳ ଷ୍ଟେସନରୁ ତିନୋଟି ନୂଆ ଟ୍ରେନ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନଗୁଡ଼ିକ ହେଲା ବାଦାମପାହାଡ଼ଟାଟାନଗର ମେମୁ, ବାଦାମପାହାଡ଼ରାଉରକେଲା ସାପ୍ତାହିକ ଏକ୍ସପ୍ରେସ୍‌; ଏବଂ ବାଦାମପାହାଡ଼- ଶାଲିମାର ସାପ୍ତାହିକ ଏକ୍ସପ୍ରେସ । ଏହି ଅବସରରେ ସେ ବାଦାମପାହାଡ଼ ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଶିଳାନ୍ୟାସ କରିଥିଲେ । ନୂଆ ରାଇରଙ୍ଗପୁର ଡାକ ଡିଭିଜନକୁ ମଧ୍ୟ ସେ ଭର୍ଚୁଆଲ ଭାବେ ଉଦଘାଟନ କରିଥିଲେ ଏବଂ ରାଇରଙ୍ଗପୁର ଡାକ ବିଭାଗର ସ୍ୱତନ୍ତ୍ର ସ୍ମାରକୀ ଲଫାପା ଉନ୍ମୋଚନ କରିଥିଲେ । ସଭାକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ, ଯେକୌଣସି ଅଞ୍ଚଳର ବିକାଶ ସେହି ଅଞ୍ଚଳର ଯୋଗାଯୋଗ ଉପରେ ନିର୍ଭର କରେ । ରେଳ ହେଉ, ସଡ଼କ ହେଉ କି ଡାକ ସେବା- ଏସବୁ ସେବା ଲୋକଙ୍କ ଜୀବନକୁ ସହଜ କରିଥାଏ । ଆଜି ଶୁଭାରମ୍ଭ ହୋଇଥିବା ୩ଟି ଟ୍ରେନ୍‌ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଭଳି ପଡେ଼ାଶୀ ରାଜ୍ୟକୁ ଯାତ୍ରା କରିବାରେ ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ କରିବ । ଓଡ଼ିଶାର ଶିଳ୍ପ ନଗରୀ ରାଉରକେଲା ଯିବା ପାଇଁ ଲୋକମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ସେ କହିଛନ୍ତି । ରାଷ୍ଟ୍ରପତି କହିଥିଲେ ଯେ ସେଲ୍‌ ଫୋନ୍‌ ଏବଂ କୋରିଅର୍‌ ସେବାର ବୃଦ୍ଧି ପାଉଥିବା ଧାରା ସତ୍ତେ୍ୱ ଭାରତୀୟ ଡାକ ଏହାର ପ୍ରାସଙ୍ଗିକତା ହରାଇ ନାହିଁ । ରାଇରଙ୍ଗପୁରଠାରେ ଏକ ନୂତନ ଡାକ ବିଭାଗର ଉଦଘାଟନ ଏହି ଅଞ୍ଚଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ଏହି ଅଞ୍ଚଳର ଲୋକମାନେ ଏବେ ସହଜରେ ଡାକ ସେବା ପାଇପାରିବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ।ଜନଜାତି ସମ୍ପ୍ରଦାୟର ବିକାଶ ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ବୋଲି ରାଷ୍ଟ୍ରପତି କହିଥିଲେ । ୨୦୧୩-୧୪ ଆର୍ôଥକ ବର୍ଷର ବଜେଟ୍‌ ତୁଳନାରେ ଚଳିତ ବଜେଟ୍‌ରେ ପ୍ରାୟ ୩ ଗୁଣ ବୃଦ୍ଧି ଘଟିଛି । ଆଦିବାସୀଙ୍କ ବିକାଶ ବିନା ସାମଗ୍ରିକ ବିକାଶ ଅସମ୍ପୂର୍ଣ୍ଣ ବୋଲି ସେ କହିଥିଲେ । ସେଥିପାଇଁ ସରକାର ଆଦିବାସୀ ସମ୍ପ୍ରଦାୟର ବିକାଶକୁ ପ୍ରାଥମିକତା ଦେଉଛନ୍ତି । ଆଦିବାସୀ ଯୁବକଯୁବତୀମାନେ ସରକାରଙ୍କ ଯୋଜନାର ଲାଭ ଉଠାଇବାକୁ ସେ ଅନୁରୋଧ କରିଛନ୍ତି । ଆତ୍ମବିକାଶ ପାଇଁ ମଧ୍ୟ ପ୍ରୟାସ ଜରୁରୀ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ତେଣୁ ଯୁବପିଢ଼ି ନିଜ ଜୀବନରେ ଆଗକୁ ବଢ଼ିବାକୁ ଚେଷ୍ଟା କରିବା ଉଚିତ । ରାଷ୍ଟ୍ରପତି କହିଥିଲେ ଯେ ପିଭିଟିଜି ବା ଅତି ପଛୁଆ ଆଦିବାସୀ ସମାଜର ବିକାଶ ପାଇଁ କେନ୍ଦ୍ର ସରକାର ଚଳିତ ବର୍ଷ ଜନଜାତୀୟ ଗୌରବ ଦିବସ ଅବସରରେ ପିଏମ୍‌ ଜନମନ (ପ୍ରଧାନମନ୍ତ୍ରୀ- ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ) ଆରମ୍ଭ କରିଛନ୍ତି । ଆଦିବାସୀ ଭାଇ ଭଉଣୀଙ୍କ ଉନ୍ନତି ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଛନ୍ତି । ଏହି ପଦକ୍ଷେପ ଅମୃତ କାଳରେ ଲୋକଙ୍କୁ ବିକାଶ ସହିତ ଯୋଡ଼ିବା ସହ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ବାଦାମପାହାଡ଼-ଶାଲିମାର ଏକ୍ସପ୍ରେସରେ ବାଦାମପାହାଡ଼ରୁ ରାଇରଙ୍ଗପୁର ଅଭିମୁଖେ ଯାତ୍ରା କରିଥିଲେ ।

Leave A Reply

Your email address will not be published.