ରଣକ୍ଷେତ୍ର ପାଲଟିଲା ଲୋୟର ପିଏମ୍‌ଜି, ୨୧ ପୋଲିସ ଲହୁଲୁହାଣ

0 218

ଭୁବନେଶ୍ୱର : ରଣକ୍ଷେତ୍ର ପାଲଟିଲା ଲୋୟର ପିଏମ୍‌ଜି । ପୋଲିସ ଉପରେ ବିଜେପି କର୍ମୀଙ୍କ ଆକ୍ରମଣ । ଇଟାପଥର, ଅଣ୍ଡା ଓ ପାଣି ବୋତଲ ମାଡରେ ଲହୁଲୁହାଣ ପୋଲିସ । ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ତୁମୁଳକାଣ୍ଡରେ କମ୍ପିଲା ଲୋୟାର ପିଏମ୍‌ଜି । ବ୍ୟାରିକେଡ୍‌ ଭାଙ୍ଗିବା ବେଳେ ବିଜେପି କର୍ମୀଙ୍କୁ ଅଟକାଇଥିଲା । ଫଳରେ ମୁହାଁମୁହିଁ ହୋଇଥିଲେ ବିଜେପି ଯୁବମୋର୍ଚ୍ଚା ଓ ପୋଲିସ । ଏହାପରେ ହିଂସ୍ର ହୋଇଥିଲେ ବିଜେପି କର୍ମୀ । ଉତ୍ତ୍ୟକ୍ତ କର୍ମୀମାନେ ପୋଲିସ ଉପରକୁ ପାଣି ବୋତଲ, ପଥର, ଅଣ୍ଡା ଓ ଇଟାମାଡ଼ କରିଥିଲେ । ଏଥିରେ ୨୧ଜଣ ପୋଲିସ କର୍ମଚାରୀ ଲହୁଲୁହାଣ ହୋଇଛନ୍ତି । କଟକ ଜୋନ୍‌-୨ ଏସିପି ଅମିତାଭ ମହାପାତ୍ରଙ୍କ ମୁ୍‌ଣ୍ଡ ଫାଟିଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଏପରିକି ପୋଲିସର ଚାରି ପାଞ୍ଚଟି ଗାଡିକୁ ଭଙ୍ଗାରୁଜା କରାଯିବା ସହିତ ପୋଲିସ ଭ୍ୟାନ ପୋଡିବାକୁ କର୍ମୀମାନେ ଉଦ୍ୟମ କରିଥିଲେ । ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଲାଠି ଚାର୍ଜ କରାଯାଇଥିଲା । ଆହତ ପୋଲିସ କର୍ମଚାରୀଙ୍କୁ  କ୍ୟାପିଟାଲ ହସ୍ପିଟାଲରେ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଓ ପୋଲିସ ଡିଜି । ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିଜି ସୁନୀଲ ବଂଶଲ । ସୂଚନା ଅନୁସାରେ ନବଦାସ ହତ୍ୟା ମାମଲା ଏବଂ ଆଇନଶୃଙ୍ଖଳା ପ୍ରସଙ୍ଗରେ ଲୋୟର ପିଏମ୍‌ଜିରେ ଏକାଠି ହୋଇଥିଲେ ଶହ ଶହ ବିଜେପି ଯୁବମୋର୍ଚ୍ଚା କର୍ମୀ । ପରେ ବିଧାନସଭା ଘେରାଉ ପାଇଁ ଶୋଭାଯାତ୍ରାରେ ବାହାରିଥିଲେ । ବ୍ୟାରିକେଡ୍‌ ଭାଙ୍ଗି ଧସେଇ ପଶିବା ବେଳେ ବିଜେପି କର୍ମୀଙ୍କୁ ପୋଲିସ ଅଟକାଇଥିଲା । ଏହାକୁ ନେଇ ପୋଲିସ ଏବଂ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଦୀର୍ଘସମୟର ତୁମୁଳକାଣ୍ଡ ପରେ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ ବହୁ ଯୁବମୋର୍ଚ୍ଚା କର୍ମୀଙ୍କୁ ପୋଲିସ କ୍ୟାପିଟାଲ ଥାନାରେ ଅଟକ ରଖିଛି । ଅନ୍ୟପକ୍ଷରେ ପୋଲିସ ଲାଠିମାଡ କରିବା ଯୋଗୁ ଅନେକ କର୍ମୀ ଆହତ ହୋଇଥିବା ଅଭିଯୋଗ କରିଛି ବିଜେପି । ବିଜେପିର ଏହି ହିଂସାକାଣ୍ଡକୁ ବିଜେଡି ଏବଂ କଂଗ୍ରେସ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି ।

Leave A Reply

Your email address will not be published.