ଚେତାଇଲା ‘ହୁ’:ଆସିପାରେ କରୋନାର ଆଉ ଏକ ଲହର

0 178

ଜେନେଭା: କୋଭିଡ-୧୯ ଭୂତାଣୁ ଓମିକ୍ରନର ସବ୍‌ ଭାରିଏଣ୍ଟ ଏକ୍ସବିବି ଏବେ ଡରଉଛି । ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଙ୍କ ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ୱାମୀନାଥନ ଏ ନେଇ ଚେତାବନୀ ଦେଇ କିଛି ଦେଶରେ ଓମିକ୍ରନର ଏକ୍ସବିବି ସବ ଭାରିଏଣ୍ଟ ସଂକ୍ରମଣ ଯୋଗୁ କୋଭିଡ ସଂକ୍ରମଣର ଆଉ ଏକ ଲହର ଦେଖାଯାଇପାରେ ବୋଲି କହିଛନ୍ତି । ଡା.ସ୍ୱାମୀନାଥନ କହିଛନ୍ତି ଯେ ଓମିକ୍ରନର ୩୦୦ରୁ ଅଧିକ ସବଭାରିଏଣ୍ଟ ଅଛି । ତେବେ ଏଥିରୁ ଏବେ ଯାହା ଚିନ୍ତାର କାରଣ ତାହା ଏକ୍ସବିବି ବୋଲି ସେ କହିଛନ୍ତି । ଭୂତାଣୁର ଏହି ପ୍ରକାର ଇମ୍ୟୁନେଣ୍ଟ ସିଷ୍ଟମରୁ ବର୍ତ୍ତିବାର କ୍ଷମତା ରଖୁଛି । ଏହାର ଅର୍ଥ ହେଉଛି ଏହି ସଂକ୍ରମଣ ଉପରେ ଆଣ୍ଟିବଡିର ମଧ୍ୟ କୌଣସି ଅସର ପଡୁ ନାହିଁ ବୋଲି ଡବ୍ଲୁଏଚଓ ମୁଖ୍ୟ ବୈଜ୍ଞାନିକ କହିଛନ୍ତି । ଏଣୁ ଧିରେ ଧିରେ ଏକ୍ସବିବି ଯୋଗୁ କିଛି ଦେଶରେ ସଂକ୍ରମଣର ନୂଆ ଲହର ଆସିପାରେ ବୋଲି ବୈଜ୍ଞାନିକ କହିଛନ୍ତି । ଏକ୍ସବିବି ଅଧିକ ସଂକ୍ରାମକ, ଏଣୁ ମୁକାବିଲା ଲାଗି ଡା.ସ୍ୱାମୀନାଥନ ଦେଖରେଖ ଉପରେ ଗୁରୁତ୍ୱ ଦେଇଥିବା ବେଳେ ମାସ୍କ ପିନ୍ଧିବା ଜାରି ରଖିବା ପାଇଁ କହିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ରିପୋର୍ଟ ଅନୁସାରେ ଓମିକ୍ରନ ବିଏ.୫ ସବ ଭାରିଏଣ୍ଟ ଏବେ ସାରା ବିଶ୍ୱରେ ବ୍ୟାପୁଛି, ଯାହା ୭୬.୨ ପ୍ରତିଶତ ସଂକ୍ରମଣ ଲାଗି ଦାୟି ବୋଲି କୁହାଯାଇଛି । ତେବେ ଭାରତରେ କୋଭିଡ ସଂକ୍ରମଣ ବର୍ତ୍ତମାନ ସମୟର ସବୁଠୁ ନିମ୍ନ ସ୍ତରରେ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ୨୦୬୦ ନୂଆ ସଂକ୍ରମଣ ମାମଲା ମିଳିଛି । ତଥାପି ସତର୍କତା ଅବଲମ୍ବନ କରିବା ଜରୁରି ଡବ୍ଲୁଏଚଓ ବୈଜ୍ଞାନିକ କହିଛନ୍ତି ।

Leave A Reply

Your email address will not be published.