୩୦ ଦିନରେ କୋଭିଡ୍ ମୃତ୍ୟୁ ସହାୟତା: ଆଜିଠୁ ଆବେଦନ

212

ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ଲାଗି ରାଜ୍ୟ ସରକାର ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି । ଏହି ମାର୍ଗଦର୍ଶିକା ଅନୁଯାୟୀ କୋଭିଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ଉଭୟ ଅଫଲାଇନ୍ ଏବଂ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଏହି ଆବେଦନ ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଅଫଲାଇନରେ ଫର୍ମ ପୂରଣ କରି ଜମା କରିବା କିମ୍ବା ଅନଲାଇନରେ ସିଧାସଳଖ ଆବଶ୍ୟକ ତଥ୍ୟ ପୂରଣ କରି ଆବେଦନ କରାଯାଇପାରିବ । ଏଥିଲାଗି ରାଜ୍ୟ ସରକାର ବିପର୍ଯ୍ୟୟ ମୁକାବିଲା ପାଙଋିରୁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ରାଶି ସହାୟତା ଆବେଦନ କରିବାର ୩୦ ଦିନ ମଧ୍ୟରେ ଯୋଗାଇ ଦେବେ । ଏହି ଅର୍ଥ ଆବେଦନକାରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ସିଧାସଳଖ ଜମା କରାଯିବ । ଆବେଦନକାରୀମାନଙ୍କୁ ନିଜ ନାମ ସହ ଠିକଣା, ମୋବାଇଲ୍ ନମ୍ବର, ଇମେଲ୍ ଏବଂ ଆଧାର କାର୍ଡ଼ ନମ୍ବର ସହ ମୃତ୍ୟୁର ତାରିଖ, ସ୍ଥାନ, ସ୍ଥାୟୀ ଠିକଣା, ବ୍ୟାଙ୍କ୍ ଆକାଉଣ୍ଟ୍ ନମ୍ବର ଏବଂ କୋଭିଡ୍ ନାଇଣ୍ଟିନ୍ ମୃତ୍ୟୁ ପ୍ରମାଣପତ୍ର ଦେବାକୁ ପଡ଼ିବ । ଯଦି ଏହି ସହାୟତା ରାଶି ପାଇବା ପାଇଁ ଏକାଧିକ ନିକଟତମ ସମ୍ପର୍କୀୟ ଯୋଗ୍ୟ ହୋଇଥାନ୍ତି, ତେବେ ସମସ୍ତ ସମ୍ପର୍କୀୟଙ୍କ ନାମ ଓ ବ୍ୟାଙ୍କ୍ ବିବରଣୀ ଦେବାକୁ ପଡ଼ିବ । ଅଫଲାଇନ୍ ମାଧ୍ୟମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ଫର୍ମ ଜମା କରାଯିବ । ଅନଲାଇନ୍ ମାଧ୍ୟମରେ caps.odisha.gov.in ୱେବସାଇଟରେ ଆବେଦନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ବିଶେଷଜ୍ଞ କମିଟି ଦ୍ୱାରା କରୋନା ଜନିତ ମୃତ୍ୟୁ ହୋଇଥିବା ବ୍ୟକ୍ତିବିଶେଷଙ୍କ ପରିବାରବର୍ଗ ଏହି ଆବେଦନ କରିପାରିବେ । କିଛିଦିନ ପୂର୍ବେ ସର୍ବୋଚ୍ଚ ନ୍ୟାୟାଳୟ କୋଭିଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ ।

Comments are closed.