ବାଗ୍ଦାଦ, ୨୫ ।୪ : ଜଳିଗଲା କୋଭିଡ ହସ୍ପିଟାଲ । ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ଚାଲିଗଲା ୨୩ ଜଣଙ୍କ ଜୀବନ । ଏଭଳି ଏକ ଦୁର୍ଘଟଣା ଘଟିଛି ଇରାକ୍ର ରାଜଧାନୀ ବାଗ୍ଦାଦ୍ରେ । ସେଠାରେ ଥିବା ଇବନ୍-ଅଲ୍-ଖାତିବ’ ହସ୍ପିଟାଲରେ ଗତ ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ସୂଚନା ମୁତାବକ, ହସ୍ପିଟାଲର କରୋନା ଭାଇରସ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍’ରେ ଏହି ଅଗ୍ନିକାଣ୍ଡ ଘଟିଛି । ମେଡିକାଲ୍ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, “ଅକ୍ସିଜେନ୍ ସିଲିର୍ଣ୍ଡ ଗଚ୍ଛିତ ରଖିବାରେ ତ୍ରୁଟି ଯୋଗୁଁ ବିସ୍ଫୋରଣ ଘଟି ଏହି ନିଆଁ ଲାଗିଛି । ଏଥିରେ ପ୍ରାୟ ୨୩ ଜଣ ପ୍ରାଣ ହରାଇଛନ୍ତି । ୫୦ରୁ ଅଧିକ ଆହତ ହୋଇଛନ୍ତି । ଏହି ହସ୍ପିଟାଲର ଇଣ୍ଟେନ୍ସିଭ୍ କେୟାର୍ ୟୁନିଟ୍ରେ ପ୍ରାୟ ୩୦ଜଣ ରୋଗୀ ଥିଲେ । ସେମାନଙ୍କ ପାଖରେ ତାଙ୍କ ପରିବାର ଲୋକମାନେ ମଧ୍ୟ ଉପସ୍ଥିତ ଥିଲେ । ମଧ୍ୟରାତ୍ରିରେ ଅଗ୍ନିକାଣ୍ଡ ଘଟିଥିଲା । ଦେଖୁଦେଖୁ ନିଆଁ ହସ୍ପିଟାଲ୍ର ବିଭିନ୍ନ ମହଲାକୁ ବ୍ୟାପିଯାଇଥିଲା । ଖବରପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସେପଟେ ହସ୍ପିଟାଲରେ ନିଆଁ ଲାଗିବା ଦେଖି କେତେକ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଭୟରେ ହସ୍ପିଟାଲ ଭିତରୁ ଦୌଡି ପଳାଇଛନ୍ତି । ଇରାକ ରାଜଧାନୀର ଦକ୍ଷିଣପୂର୍ବ ଉପକଣ୍ଠରେ ଥିବା ଏହି ଡାକ୍ତରଖାନାରୁ ନିଆଁ ଲିଭାଇବା ନିମନ୍ତେ ଦମକଳ ବାହିନୀ ଉଦ୍ୟମ କରୁଥିବା ବେଳେ ରୋଗୀ ଏବଂ ସେମାନଙ୍କ ଆତ୍ମୀୟମାନେ ଡାକ୍ତରଖାନାରୁ ଧାଇଁ ପଳାଉଛନ୍ତି । ୧୨୦ଜଣ ରୋଗୀ ଏବଂ ସେମାନଙ୍କ ପରିବାର ସମ୍ପର୍କୀୟଙ୍କ ମଧ୍ୟରୁ ୯୦ଜଣଙ୍କୁ ଉଦ୍ଧାର କରାଯାଇଥିବା ନେଇ ଇରାକୀ ରାଷ୍ଟ୍ରାୟତ ନ୍ୟୁଜ୍କୁ “ସିଭିଲ୍ ଡିଫେନ୍ସ୍’ କହିଛି । ଅବହେଳା କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା କଥା ବିଭିତ୍ତ ସୂତ୍ରରୁ ଜଣାପଡ଼ିବା ପରେ ସାମାଜିକ ଗଣମାଧ୍ୟମରେ ଇରାକ୍ବାସୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଘଟଣାର ତଦନ୍ତ କରି କର୍ତ୍ତବ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ପ୍ରତି ଦଣ୍ଡବିଧାନ କରିବା ଲାଗି ଏକ ତଦନ୍ତ କମିସନ୍ ବସାଇବାକୁ ବାଗ୍ଦାଦ୍ର ରାଜ୍ୟପାଳ ମହମଦ୍ ଜର୍ବ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ।