ଶତଚେଷ୍ଟା କରି ବି ସ୍ୱାମୀଙ୍କୁ ବଞ୍ଚାଇ ପାରିଲେନି
ଲକ୍ଷେ୍ନø, ୨୫ ।୪ : ମଣିଷ ସମାଜକୁ ନାକେଦମ କଲାଣି କରୋନା ସଂକ୍ରମଣ । ଚାରିଆଡ଼େ ହାହା କାର । କିଏ ଚିକିତ୍ସା ପାଇଁ ଚିକ୍ରାର କରୁଛି ତ ଆଉ କିଏ ଅମ୍ଳଯାନ ପାଇବାକୁ ଗୋଟିଏ ହସ୍ପିଟାଲରୁ ଅନ୍ୟ ଏକ ହସ୍ପିଟାଲକୁ ଦୌଡ଼ୁଛି । ନିଜର ଲୋକକୁ ବଞ୍ଚାଇବାକୁ ଚାଲିଛି ପ୍ରାଣମୂର୍ଚ୍ଛା ଉଦ୍ୟମ । ଉତ୍ତରପ୍ରଦେଶର ଆଗ୍ରାରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଘଟଣାଟି ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ହୃଦୟ ବିଦାରକ ମଧ୍ୟ । ନିଜ କୋଭିଡ ପୀଡ଼ିତ ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ମୁହଁରେ ଲଗାତର ଫୁଙ୍କି ଚାଲିଥଲେ ପତ୍ନୀ । ସ୍ୱାମୀଙ୍କୁ ଶ୍ୱାସକ୍ରିୟା କରିବାରେ କଷ୍ଟ ଅନୁଭବ ହେଉଥିଲା । ସେପଟେ ୩-୪ ହସ୍ପିଟାଲ ବୁଲିଥିଲେ ବି ବେଡ୍ ମିଳିନଥିଲା । ଅଟୋରେ ସ୍ୱାମୀଙ୍କୁ ନିଜ କୂଳରେ ଶୋଆଇ ସ୍ତ୍ରୀ ତାଙ୍କ ପାଟିରେ ଅମ୍ଳାଯାନ ଦେବାକୁ ଚେଷ୍ଟା କରିଚାଲିଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା ସେ ତାଙ୍କ ସ୍ୱାମୀଙ୍କୁ ବଞ୍ଚାଇପାରିନାହାନ୍ତି । ଆଗ୍ରା ଜିଲ୍ଲାର ଆବାସ ବିକାଶ ସେକ୍ଟର ୭ରେ ରହୁଥିବା ବ୍ୟକ୍ତିଙ୍କୁ କରୋନା ହୋଇଥିବା ବେଳେ ସେ ଶ୍ୱାସକ୍ରିୟା କରିବାରେ କଷ୍ଟ ଅନୁଭବ କରୁଥିଲେ । ଶୁକ୍ରବାର ତାଙ୍କ ପତ୍ନୀ ରେଣୁ ସିଙ୍ଘଲ ଆମ୍ବୁଲାନ୍ସକୁ କଲ କରିଥିଲେ ବି ତାଙ୍କୁ ଆମ୍ବୁଲାନ୍ସ ମିଳିପାରିନଥିଲା । ବାଧ୍ୟ ହୋଇ ଅଟୋ ରିକ୍ସାରେ ସ୍ୱାମୀଙ୍କୁ ନେଇ ହସ୍ପିଟାଲ ଯାଇଥିଲେ । ସେଠାରେ ବେଡ୍ ନମିଳିବାରୁ ଏମିତି ୩-୪ଟି ହସ୍ପିଟାଲ ବୁଲିଥିଲେ ରେଣୁ । ଏହି ସମୟରେ ଅକ୍ସିଜେନ୍ ଅଭାବ ପୂରା କରିବାକୁ ନିଜ ସ୍ୱାମୀଙ୍କ ମୁହଁରେ ନିଜ ମୁହଁ ଲଗାଇ ସେ ଲଗାତାର ଫୁଙ୍କି ଚାଲିଥିଲେ । ଶେଷରେ ସେ ଏକ ସରକାରୀ ହସ୍ପିଟାଲରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ପହଞ୍ଚିବା ବେଳେକୁ ସ୍ୱାମୀଙ୍କ ଜୀବନ ଚାଲିଯାଇଥିଲା । ୩-୪ ଘରୋଇ ହସ୍ପିଟାଲ ତାଙ୍କ ସ୍ୱାମୀଙ୍କୁ ଭର୍ତ୍ତି କରିବାକୁ ମନା କରିଦେଇଥିବା ରେଣୁ କହିଛନ୍ତି । ଏନେଇ ଆଗ୍ରା ସିଡିଏମଓ କହିଛନ୍ତି ମେଡିକାଲ ଅକ୍ସିଜେନ୍ର ଅଭାବ ଥିବାରୁ , ଉପଲବ୍ଧତା ଅନୁସାରେ ବ୍ୟବସ୍ଥା କରାଯାଉଛି । ଶନିବାର ଆଗ୍ରାରେ ୫୩୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।