ନୂଆଦିଲ୍ଲୀ, ୧୦ ।୨: ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ଏମିତି ଜ୍ୱାଳାମୁଖୀ ଦେଖିଥିବେ ବା ଏହାରି ବିଷୟରେ ଶୁଣିଥିବେ ଯେଉଁଥିରେ ନିଆଁ ଉତ୍ପତ୍ତି ହୋଇଥାଏ ଏବଂ ଲାଭା ଫୁଟି ବାହାରିଥାଏ । କିନ୍ତୁ କେବେ ବରଫର ଜ୍ୱାଳାମୁଖୀ ସୃଷ୍ଟି ହୋଇଥିବାର ଆପଣ ଶୁଣିଛନ୍ତି କି ଦେଖିଛନ୍ତି । ହଁ ଏହା ସତ ଘଟଣା । କାଜାକିସ୍ଥାନର ଅଲ୍ମାଟି ପ୍ରାନ୍ତରରେ ଏପରି ଏକ ରହସ୍ୟମୟ ଜ୍ୱାଳାମୁଖୀ ସୃଷ୍ଟି ହୋଇଛି ଯାହାକୁ ଆଇସ୍ ବୋଲ୍କୈନୋ ବୋଲି କୁହାଯାଉଛି । ଅଲ୍ମାଟିର କେଗନ୍ ଓ ଶରଗାନକ ଗ୍ରାମ ମଧ୍ୟରେ ୪୫ ଫୁଟ୍ର ଏକ ବରଫର ଏକ ଉପରକୁ ଉଠୁଥିବା ଅଂଶ ସୃଷ୍ଟି ହୋଇଛି । ଯେଉଁଥିରେ ସାଧାରଣ ପାଣି ବାହାରକୁ ବାହାରୁଛି । କିନ୍ତୁ ଏହା ସଙ୍ଗେସଙ୍ଗେ ବରଫ ପାଲଟି ଯାଉଛି । ନୂର ସୁଲତାନ ଠାରୁ ପାଖାପାଖି ୪ ଘଣ୍ଟା ସମୟର ଦୂରରେ ଥିବା ଏହି ଜ୍ୱାଳାମୁଖୀକୁ ଦେଖିବା ପାଇଁ ଅତ୍ୟଧିକ ଥଣ୍ଡାରେ ମଧ୍ୟ ଲୋକଙ୍କ ଭିଡ଼ ଜମୁଛି । ଏହି ବରଫର ଜ୍ୱାଳାମୁଖୀ ପାଖାପାଖି ଅଞ୍ଚଳରେ ଥିବା ଜମିର କିଛି ଅଂଶ ହଲଚଲ୍ ହେବା କାରଣରୁ ଏପରି ସୃଷ୍ଟି ହୋଇଛି । ଏଥିପାଇଁ କମ୍ ତାପମାତ୍ରା ଏବଂ ତିନିଫୁଟ୍ର ବରଫ ଆବଶ୍ୟକ ହୋଇଥାଏ ବୋଲି କୁହାଯାଉଛି । ପୃଥିବୀ ହଲଚଲ୍ ହେବା କାରଣରୁ ଗରମ ପାଣି ବାହାରକୁ ବାହାରି ଆସୁଛି । ଥଣ୍ଡା ପବନ ଏବଂ କମ୍ ତାପମାତ୍ରା କାରଣରୁ ସଙ୍ଗେ ସଙ୍ଗେ ଏହି ପାଣି ବରଫରେ ପରିଣତ ହୋଇଯାଉଥିବା ଜଣାପଡ଼ିଛି ।