ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ : ୪ ମୃତ

0 186

ଥାନେ, ୨୮ ।୪: ମହାମାରୀ କରୋନା ସଂକ୍ରମଣ ଭିତରେ ମହାରାଷ୍ଟ୍ରର ପୁଣି ଗୋଟିଏ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଯୋଗୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୪ ଜଣ ରୋଗୀ ଏଯାଏ ପ୍ରାଣ ହରାଇଛନ୍ତି । ୨୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଥାନେରେ ଥିବା ଏକ ଘରୋଇ ହସ୍ପିଟାଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ପ୍ରଶାସନ ଓ ଅଗ୍ନିଶମ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି । ହସ୍ପିଟାଲ ମଧ୍ୟରେ ଏବେ ବି କିଛି କର୍ମଚାରୀ ଓ ରୋଗୀ ଫସି ରହିଥିବା ଆଶଙ୍କା କରାଯାଉଛି । ସୂଚନା ଅନୁସାରେ, ଥାନେର ମୁମ୍ୱ୍ରା ଅନ୍ତର୍ଗତ କାଉସ ଠାରେ ଥିବା ପ୍ରାଇମ କ୍ରିଟିକେୟାର ନାମକ ଏକ ଘରୋଇ ହସ୍ପିଟାଲରେ ଭୋର ୩.୪୦ରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା । ଏଠାରେ କୌଣସି କରୋନା ରୋଗୀ ନଥିଲେ । କେବଳ ଅନ୍ୟ ରୋଗରେ ଆକ୍ରାନ୍ତ ହୋଇଥିବା ଲୋକଙ୍କୁ ଏଠାରେ ଚିକିତ୍ସା ପ୍ରଦାନ କରାଯାଉଥିଲା । ନିଆଁ ଲାଗିବାର କିଛି ସେକେଣ୍ଡ ମଧ୍ୟରେ ଏହା ହସ୍ପିଟାଲର ବିଭିତ୍ତ ସ୍ଥାନକୁ ବ୍ୟାପି ଯାଇଥିଲା । ଖବର ପାଇ ୩ଟି ଆମ୍ୱୁଲାନ୍ସ ଓ ୮ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ହସ୍ପିଟାଲରେ ଫସିଥିବା ରୋଗୀ ଓ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଓ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ଜୋରଦାର ଉଦ୍ୟମ କରିଥିଲା । ଉଦ୍ଧାର ସମୟରେ ୪ ଜଣଙ୍କ ମୃତଦେହ ମିଳିଛି । ସେହିପରି ୨୦ ଜଣ ରୋଗୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏହି ୨୦ ରୋଗୀଙ୍କ ମଧ୍ୟରୁ ୬ ଜଣ ଆଇସିୟୁରେ ରହିଥିଲେ । ଏବେ ଉଦ୍ଧାର ଓ ନିଆଁ ଲାଭ କାର୍ଯ୍ୟ ଜାରି ରହିଥିବାରୁ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଜିତେନ୍ଦ୍ର ଅୱାଦ କହିଛନ୍ତି, ଅଗ୍ନିକାଣ୍ଡ ଯୋଗୁ ହସ୍ପିଟାଲର ପ୍ରଥମ ମହଲା ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ନିଆଁରେ ପୋଡ଼ି ହୋଇ ୩ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଛି । ମହାରାଷ୍ଟ୍ର ସରକାର ମୃତକଙ୍କ ପରିବାରକୁ ୫ ଲକ୍ଷ ଓ ଆହତ ହୋଇଥିବା ଲୋକଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ଯୋଗାଇଦେବେ । ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟିରେ ଥାନେ ମ୍ୟୁନସିପାଲ କର୍ପୋରେସନ ଓ ପୁଲିସ୍ ଅଧିକାରୀମାନେ ରହିବେ ବୋଲି ସେ କହିଛନ୍ତି । ଏପ୍ରିଲ ୨୩ରେ ପାଲଘର ଠାରେ ଥିବା ଗୋଟିଏ ଘରୋଇ ହସ୍ପିଟାଲରେ ନିଆଁ ଲାଗିବାରୁ ୧୫ ଜଣ କରୋନା ରୋଗୀ ଆଇସିୟୁ ମଧ୍ୟରେ ଫସି ରହି ପ୍ରାଣ ହରାଇଥିଲେ ।

Leave A Reply

Your email address will not be published.