ସାବାଡ୍ ହେବେ ଡିଜିଟାଲ ଅପରାଧୀ : ଖୋଲିବ ୧୧ ସାଇବର ଥାନା

0 208

-ନିୟୋଜିତ ହେବେ ୧୫୪ ପୋଲିସ ଓ ୯୦ ବିଶେଷଜ୍ଞ

ଭୁବନେଶ୍ୱର : ସାଇବର ଅପରାଧ ଏବେ ସାରା ବିଶ୍ୱରେ ଚିନ୍ତାର କାରଣ ହେଇଛି । ଦେଶ ତଥା ରାଜ୍ୟ ଓଡିଶାରେ ମଧ୍ୟ ସାଇବର ଅପରାଧର ଅନେକ ଘଟଣା ଦୃଷ୍ଟିକୁ ଆସୁଛି । ବ୍ୟାଙ୍କ ଦେଣନେଣ ତଥା ଜଟିଳ ଡିଜିଟାଲ ଦେଣନେଣରେ ଅଧିକ ଠକେଇ ହେଉଛି । ତେଣୁ ଏସବୁ ଅପରାଧ ରୋକିବା ଓ ସଠିକ୍ ଅନୁସନ୍ଧାନ ପାଇଁ ରାଜ୍ୟରେ ଖୋଲିବ ଆଉ ୧୧ଟି ସାଇବର ଥାନା । ଯଥାର୍ଥ ଅନୁସନ୍ଧାନ ଓ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଜ୍ଞାନ ଓ ଦକ୍ଷତା ଆବଶ୍ୟକ । ତେଣୁ ସାଇବର ଅପରାଧ ତଥା ତଦ୍ଜନିତ ଆର୍ଥିକ ଅପରାଧକୁ ରୋକିବା ତଥା ଏଭଳି ଅପରାଧର ଶିକାର ହୋଇଥିବା ଲୋକମାନେ ଯେପରି ଉପଯୁକ୍ତ ନ୍ୟାୟ ପାଇପାରିବେ, ତାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଥିପାଇଁ ସ୍ୱତନ୍ତ୍ର ସାଇବର ଥାନା ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ବର୍ତ୍ତମାନ ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ କାର୍ଯ୍ୟ କରୁଥିବା ତିନୋଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ଏହି ନୂଆ ବ୍ୟବସ୍ଥା ସହ ମିଶିଯିବ ।ଏହାଦ୍ୱାରା ଏହି ଥାନାର ସଂଖ୍ୟା ୧୪ରେ ପହଞ୍ଚିବ । ଏହି ୧୪ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ନିମ୍ନଲିଖିତ ୧୪ଟି ସ୍ଥାନରେ ପ୍ରତିଷ୍ଠା କରାଯିବ । ସେଗୁଡିକ ହେଲା-କଟକ, ଭୁବନେଶ୍ୱର, କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଅନୁଗୁଳ, ବାଲେଶ୍ୱର,ମୟୁରଭଞ୍ଜ, ପୁରୀ, କୋରାପୁଟ, ଭବାନୀପାଟଣା, ବଲାଙ୍ଗୀର ଓ କନ୍ଧମାଳ ।

ଏହି ଥାନାମାନଙ୍କରେ ନିଯୁକ୍ତି ପାଇଁ ପୋଲିସ ବିଭାଗରେ ୧୫୪ଟି ପଦବୀ ସୃଷ୍ଟି କରାଯାଇଛି । ସେମାନଙ୍କ ମଧ୍ୟରେ ୧୪ଟି ଇନ୍ସପେକ୍ଟର, ୨୮ଟି ସବ୍ଇନ୍ସପେକ୍ଟର, ୨୮ଟି ଏ.ଏସ୍.ଆଇ (ଯୋଗାଯୋଗ), ୨୮ଟି କନଷ୍ଟେବଳ (ଯୋଗାଯୋଗ) ଓ ୫୬ଟି କନଷ୍ଟେବଳ ପଦବୀ ଅନ୍ତର୍ଭୁକ୍ତ । ଏମାନଙ୍କ ବ୍ୟତୀତ ଫାଇନାନ୍ସ, ଆକାଉଣ୍ଟ ଅନାଲିଷ୍ଟ,ଆଇଟି ଏକ୍ସପର୍ଟ, ସାଇବର ଫରେନ୍ସିକ୍ ଏକ୍ସପର୍ଟ ପରି ୯୦ ଜଣ ବିଶେଷଜ୍ଞଙ୍କୁ ମଧ୍ୟ ଏହି ଥାନାମାନଙ୍କରେ ନିୟୋଜିତ କରାଯିବ ବୋଲି ଜଣାଯାଇଛି । ରାଜ୍ୟ ସାଇବର ତଥା ଆର୍ଥିକ ଅପରାଧ ରୋକିବାରେ ଏହା ସହାୟକ ହେବା ସହିତ ଲୋକଙ୍କୁ ଶୀଘ୍ର ନ୍ୟାୟ ଦେବା ଦିଗରେ ଫଳପ୍ରଦ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ନିକଟରେ ସାଇବର ଅପରାଧର ଶିକାର ହୋଇଥିଲେ ଓକାକ୍ ସିଇଓ । ଏଯାଏ ରାଜ୍ୟରେ ୭୭୯ଟି ସାଇବର ମାମଲା ରୁଜୁ ହୋଇଛି । ଗତବର୍ଷ ତୁଳନାରେ ରାଜ୍ୟରେ ଚଳିତବର୍ଷ ୩୧ ପ୍ରତିଶତ ସାଇବର ଅପରାଧ ବଢ଼ିଛି ।

Leave A Reply

Your email address will not be published.