ଭୁବନେଶ୍ୱର, ୭ା୧୦(ଡିକେ ନ୍ୟୁଜ): ୬୮ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସୁସ୍ଥ ପରିବେଶରେ ମଣିଷ ବଞ୍ଚିବାର ଯେପରି ଅଧିକାର ରହିଛି । ସେହିପରି ପ୍ରତ୍ୟେକ ଜୀବଜନ୍ତୁମାନଙ୍କର ମଧ୍ୟ ସମାନ ଅଧିକାର ରହିଛି । ଜୀବଜନ୍ତୁମାନଙ୍କ ସଂରକ୍ଷଣ ଆମ ସମସ୍ତଙ୍କର ଦାୟିତ୍ୱ । ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ସମସ୍ତଙ୍କୁ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଭର୍ଚୁଆଲରେ ଯୋଗ ଦେଇଥିଲେ । ଏହି ଅବସରରେ ବନ୍ୟପ୍ରାଣୀ ସପ୍ତାହ ପାଳନ ଉପଲକ୍ଷେ ଅନୁଷ୍ଠିତ ହୋଇଥବା ବିଭିନ୍ନ ପ୍ରତିଯୋଗିତାରେ କୃତ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି, ଓଡ଼ିଶାର ଜୈବ ବିବିଧତା ଅତୁଳନୀୟ । ବନ୍ୟପ୍ରାଣୀ
ଅଭୟାରଣ୍ୟରେ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟ । ହାତୀ ଓ ଅନ୍ୟ ବନ୍ୟଜନ୍ତୁଜନିତ ଅପ୍ରରାଧ ରୋକିବାକୁ ଯୁଗ୍ମ ଟ୍ୟାକ୍ସ ଫୋର୍ସ ଗଠନ କରାଯାଇଛି । ଏପଟେ ନନ୍ଦନକାନନକୁ ଅନ୍ତର୍ଜାତୀୟ ପ୍ରାଣୀ ଉଦ୍ୟାନରେ ପରିଣତ କରିବାକୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଉଛି । ବନ୍ୟଜନ୍ତୁ ମାନଙ୍କ କବଳରୁ ରକ୍ଷା କରିବା ପାଇଁ ଗତବର୍ଷ ଜଙ୍ଗଲ ଭିତରେ ଥିବା ୪୭୯
ପରିବାରକୁ ସ୍ୱେଚ୍ଛାକୃତ ସ୍ଥାନାନ୍ତର କରାଯାଇଛି । ଜଙ୍ଗଲ ଓ ପରିବେଶ ବିଭାଗ ମୁଖ୍ୟ ଶାସନ ସଚିବ ଡ଼. ମୋନା ଶର୍ମାଙ୍କ ସୂଚନା ଅନୁଯାୟୀ ବନ୍ୟଜନ୍ତୁଙ୍କ ଦ୍ୱାରା ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଅନୁଦାନ ଦେବାକୁ ଅନୁକମ୍ପା ଯୋଜନା ଆରମ୍ଭ ହୋଇଛି । ଏହା ଏକ ଅନଲାଇନ ଯୋଜନା । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଆର୍ଥିକ ସହାୟତା ପାଇବାକୁ ଏଥିରେ ଆବେଦନ ଦାଖଲ କରିପାରିବେ, ଯେଉଁଥିରେ ତାଙ୍କ ପରିବାରକୁ ସହାୟତା ମିଳିବ ।
ପ୍ରତ୍ୟେକ ଜୀବଜନ୍ତୁଙ୍କ ବଞ୍ଚିବାର ଅଧିକାର ରହିଛି: ମୁଖ୍ୟମନ୍ତ୍ରୀ
Prev Post
Next Post