ନିର୍ବାଚନ ଆୟୋଗକୁ ମାଡ୍ରାସ୍ ହାଇକୋର୍ଟଙ୍କ ଛାଟ : ସଂକ୍ରମଣ ବୃଦ୍ଧି ପାଇଁ ଇସିଆଇ ଦାୟୀ, ରୁଜୁ ହେଉ ହତ୍ୟା ମାମଲା

176

ଚେନ୍ନାଇ : ଦେଶରେ କରୋନା ସଂକ୍ରମଣର ପ୍ରକୋପ ଥମିବାର ନାଁ ନେଉନାହିଁ । ଦିନ ବିତିବା ସହ ସ୍ଥିତି ଜଟିଳ ହେବାରେ ଲାଗିଛି । ଏହା ମଧ୍ୟରେ ମାଡ୍ରାସ ହାଇକୋର୍ଟ ଗତ କିଛି ସପ୍ତାହରେ କରୋନାର ବଢୁଥିବା ସଂକ୍ରମଣ ପାଇଁ ନିର୍ବାଚନ ଆୟୋଗଙ୍କୁ ଦାୟୀ କରିଛନ୍ତି । କେବଳ ଏତିକି ନୁହେଁ ଅଦାଲତ ତୀବ୍ର ଭର୍ତ୍ସନା କରିବା ସହ ନିର୍ବାଚନ ଆୟୋଗ ବିରୋଧରେ ହତ୍ୟା ମୋକଦ୍ଦମା ଚାଲିବା ଉଚିତ୍ ବୋଲି କହିଛନ୍ତି । ଉଚ୍ଚନ୍ୟାୟାଳୟ କହିଛନ୍ତି ନିର୍ବାଚନ ଆୟୋଗ ନିଜର ଦାୟିତ୍ୱ ନିଭାଇରେ ବିଫଳ ହୋଇଛି ।

ହାଇକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି, ନିର୍ବାଚନରେ ରାଜନୈତିକ ଦଳଗୁଡିକ ଖୁଲମଖୁଲା କରୋନା ଗାଇଡ୍ଲାଇନ ଉଲ୍ଲଂଘନ କରିଛନ୍ତି ଏବଂ ନିର୍ବାଚନ ଆୟୋଗ ଏହାକୁ ସେମାନଙ୍କୁ ରୋକିବାରେ ସଂପୂର୍ଣ୍ଣ ବିଫଳ ହୋଇଛି । ଆୟୋଗଙ୍କ ବିଫଳତା କାରଣରୁ କରୋନା ସ୍ଥିତି ବିକଟାଳ ରୂପ ନେଇଛି । ସିଇସି ରାଜନୈତିକ ପାର୍ଟି ଉପରେ ଅଙ୍କୁଶ ଲଗାଇବାରେ ଅସମର୍ଥ ହୋଇଛନ୍ତି ।

ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ଓ ବିଚାରପତି ସେନ୍ଥିଲ କୁମାର ରାମମୂର୍ତ୍ତିଙ୍କ ପୀଠ କହିଛନ୍ତି, ସଂସ୍ଥାଗତ ଭାବେ ନିର୍ବାଚନ ଆୟୋଗ ଆଜିର ପରିସ୍ଥିତି ପାଇଁ ସଂପୂର୍ଣ୍ଣ ଦାୟୀ । ଆୟୋଗ ନିଜ ଅଧିକାରର କୌଣସି ଉପଯୋଗ କରିନାହାଁନ୍ତି । ଅଦାଲତ ପକ୍ଷରୁ ଅନେକ ଆଦେଶ ପରେ ମଧ୍ୟ ରାଜନୈତିକ ଦଳଗୁଡିକ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । କୋଭିଡ୍ ପ୍ରୋଟୋକଲ ପାଳନ ପାଇଁ ଅନେକ ଅପିଲ୍ ଏବଂ ଆଦେଶକୁ ଅଣଦେଖା କରାଯାଇଛି ।

ଅଦାଲତ କହିଛନ୍ତି, ଯଦି ଆପଣ କୋଭିଡ୍ ପ୍ରୋଟୋକଲର କୌଣସି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ନାହାନ୍ତି ତେବେ ମେ ୨ରେ ହେବାକୁ ଥିବା ଭୋଟ୍ ଗଣତିକୁ ରୋକି ଦେଇ ପାରିବେ । ଆୟୋଗ ଆପଣଙ୍କ ମୁର୍ଖତା କାରଣରୁ ଏମିତି ପରିସ୍ଥିତି ଉତ୍ପନ ହୋଇଥିବା ହାଇକୋର୍ଟ କହିଛନ୍ତି । ଆମେ ଚାହିଁବୁ ନାହିଁ ଯେ, ଆପଣଙ୍କ ମୁର୍ଖତା କାରଣରୁ ରାଜ୍ୟରେ କାହାରି ମୃତ୍ୟୁ ଘଟୁ । କୋର୍ଟ ଏହା ମଧ୍ୟ କହିଛନ୍ତି, କୌଣସି ବି ପରିସ୍ଥିତିରେ କରୋନା ପ୍ରୋଟୋକଲର ଉଲ୍ଲଂଘନ ମଧ୍ୟରେ ମତଗଣନା କରାଯାଇ ପାରିବ ନାହିଁ । ଜନତାଙ୍କ ସ୍ୱାସ୍ଥ୍ୟ ଏବଂ ଜୀବନ ଆମ ପାଇଁ ସର୍ବୋପରି । ଏଥିରେ କୌଣସି ପ୍ରକାରର ସାଲିସ୍ କରାଯାଇ ପାରିବ ନାହିଁ ବୋଲି ଅଦାଲତ କହିଛନ୍ତି ।

Comments are closed.