ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହରୀ ଦେଶରେ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି । ସ୍ଥିତି ଏପରି ହୋଇଛି ଯେ କରୋନା ଦ୍ୱାରା ପ୍ରଭାବିତ ହେଉଥିବା ରାଷ୍ଟ୍ରଗୁଡ଼ିକ ତାଲିକାରେ ଭାରତ ଦ୍ୱିତୀୟରେ ପହଞ୍ଚି ଯାଇଛି । ପୂର୍ବରୁ କରୋନା ଦ୍ୱାରା ସବୁଠାରୁ ପ୍ରଭାବିତ ତାଲିକାରେ ଆମେରିକା ପ୍ରଥମ ଓ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ରହିଥିଲା । ହେଲେ ଆଜି ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ବ୍ରାଜିଲକୁ ପଛରେ ପକାଇ ଭାରତ ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି । ତେବେ କରୋନା ପ୍ରଭାବିତ ତାଲିକାର ୧ନଂ ସ୍ଥାନରେ ଆମେରିକା ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୧,୬୮,୯୧୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ଏହା ଭାରତରେ କରୋନାର ସର୍ବକାଳୀନ ରେକର୍ଡ । କାରଣ ଭାରତରେ କରୋନା ପ୍ରବେଶ କରିବା ଦିନଠାରୁ କେବେ ହେଲେ ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ । ନୂଆ ଆକ୍ରାନ୍ତଙ୍କ ପରେ ଦେଶରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୧,୩୫,୨୭,୭୧୭ରେ ପହଞ୍ଚି ଯାଇଛି । ହେଲେ ବ୍ରାଜିଲର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୩୪,୮୨,୦୨୩ ରହିଛି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୧୧,୯୭,୫୧୧ । ପ୍ରଭାବିତ ତାଲିକାର ଟପ୍ ୫ରେ ଥିବା ଆଉ ରାଷ୍ଟ୍ର ହେଲେ ଫ୍ରାନ୍ସ(୫,୧୧,୯୫,୮୫) ଓ ରୁଷ(୪,୫,୮୯,୨୦୯) ।
ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆରୋଗ୍ୟ ହାର ହ୍ରାସ ପାଇବାରେ ଲାଗିଛି । ଏବେ ଦେଶର ଆରୋଗ୍ୟ ହାର ୯୦% ତଳେ ରହିଛି । ଆକ୍ଟିଭ କେସ୍ ୧୨ ଲକ୍ଷ ପାର କରିଛି । ୨୪ ଘଣ୍ଟାରେ ୯୦୪ ଜଣ କରୋନାରେ ଆଖି ବୁଜିବା ପରେ ମୋଟ ମୃତ୍ୟୁସଂଖ୍ୟା ୧,୭୦,୧୭୯ରେ ପହଞ୍ଚି ଯାଇଛି । ଦେଶରେ ୧୨,୦୧,୦୦୯ ଜଣ କରୋନାରେ ଏବେ ବି ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆରୋଗ୍ୟ ହାର ୮୯.୮୬% ଥିବା ସ୍ୱ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି ।
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଗଷ୍ଟ ୭ରେ ୨୦ ଲକ୍ଷ, ଅଗଷ୍ଟ ୨୩ରେ ୩୦ ଲକ୍ଷ, ସେପ୍ଟେମ୍ବର ୫ରେ ୪୦ ଲକ୍ଷ, ସେପ୍ଟେମ୍ବର ୧୬ରେ ୫୦ ଲକ୍ଷ, ସେପ୍ଟେମ୍ବର ୨୮ରେ ୬୦ ଲକ୍ଷ,ଅକ୍ଟୋବର ୧୧ରେ ୭୦ ଲକ୍ଷ, ଅକ୍ଟୋବର ୨୯ରେ ୮୦ ଲକ୍ଷ, ନଭେମ୍ବର ୨୦ରେ ୯୦ ଲକ୍ଷ ଓ ଡିସେମ୍ବର ୧୯ରେ ୧ କୋଟି ପାର କରିଥିଲା ।
ରାଜ୍ୟରେ ନୂଆ ୧୭୪୨ ପଜିଟିଭ୍
ଓଡ଼ିଶାରେ କୋଭିଡ-୧୯ର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଏବେ ନିୟନ୍ତଣ ବାହାରକୁ ଯିବା ସ୍ଥିତିରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ନୂଆ ୧୭୪୨ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦୧୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୭୨୬ଜଣ ରହିଥିବା ଜଣାଯାଇଛି । ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ଦୁଇଜଣଙ୍କର କରୋନାରେ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ମୋଟ ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡରୁ ସର୍ବାଧିକ ୨୬୮ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଖୋର୍ଦ୍ଧାରେ ୨୦୪ ଜଣ, ବାଲେଶ୍ୱରରେ ୧୫୮, ସମ୍ବଲପୁରରେ ୧୨୧ ଜଣ ରହିଛନ୍ତି ।
ଏଥିସହିତ କଳାହାଣ୍ଡିରୁ ୧୧୪, କଟକରୁ ୫୮, ଝାରସୁଗୁଡା ୪୩ ଏବଂ ଯାଜପୁରରୁ ୩୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୁରୀରୁ ୫୪, କେନ୍ଦୁଝରରୁ ୫୩, ଅନୁଗୁଳରୁ ୪୩, ମୟୁରଭଞ୍ଜରୁ ୩୯ ଜଣ ଏବଂ ଷ୍ଟେଟପୁଲରୁ ୪୬ ଜଣ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । କରୋନାରେ ମୃତ୍ୟୁ ଘଟିଥିବା ଦୁଇଜଣ ନୂଆପଡା ଜିଲ୍ଲାର ବୋଲି ଜଣାଯାଇଛି । ଏଥିସହିତ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୧୯୨୮କୁ ବୃଦ୍ଧିପାଇଛି । ତାହାସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୫୧,୩୦୨କୁ ବୃଦ୍ଧିପାଇଛି । ସେମାନଙ୍କ ମଧ୍ୟରୁ ୩,୪୦,୦୬୨ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯୨୫୯ ରହିଛି ।
ଦେଶରେ ୨ଲକ୍ଷ ମୁହାଁ ସଂକ୍ରମଣ: ୯୦୪ ମୃତ
କରୋନା ଭୂତାଣୁର ୨ୟ ତରଙ୍ଗ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୬୮ ହଜାର ୯୧୨ ନୂଆ ସଂକ୍ରମିତ ଚିହ୍ନଟ ହେବା ଚିନ୍ତାର ବିଷୟ ପାଲଟିଛି । ଏହାକୁ ମିଶାଇ ଦେଶରେ ଏବେ ମୋଟ ୧ କୋଟି ୩୫ ଲକ୍ଷ ୨୭ ହଜାର ୭୧୭ରେ ପହଞ୍ଚିଛି । ସେହିପରି ଦେଶରେ ଗୋଟିଏ ଦିନରେ ୯୦୪ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି ।
ମୋଟ ମୃତ୍ୟୁସଂଖ୍ୟା ୧ଲକ୍ଷ ୭୦ ହଜାର ୧୭୯କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ ୧୨ ଲକ୍ଷ ୧ ହଜାର ୯ ସକ୍ରିୟ ରୋଗୀ ରହିଥିବାବେଳେ ୧କୋଟି ୨୧ଲକ୍ଷ ୫୬ ହଜାର ୫୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ କରୋନା ଟିକାକରଣ ଜାରି ରହିଥିଲେ ହେଁ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ଏହାକୁ ନେଇ କେନ୍ଦ୍ର ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି । ଗତ ରବିବାର ୨୯ ଲକ୍ଷ ୩୩ ହଜାର ୪୧୮ ଜଣଙ୍କୁ ଟିକା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୧୦ କୋଟି ୪୫ ଲକ୍ଷ ୨୮ ହଜାର ୫୬୫ ଜଶଙ୍କୁ ଟିକାକରଣ କରାଯାଇଛି ।
Comments are closed.