ଭୁବନେଶ୍ୱର, ୬ା୧୦(ଡିକେ ନ୍ୟୁଜ): ରାଜ୍ୟରେ ତୁହାକୁ ତୁହା ବର୍ଷା । ଉପାନ୍ତରୁ ଉପକୂଳ ସବୁଠି ଛେଚୁଛି । ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି । ଲଘୁଚାପ ଦୁର୍ବଳ ଥିଲେ ହେଁ ଘୂର୍ଣ୍ଣିବଳୟ ପ୍ରଭାବରେ ଜାରି ରହିଛି ବର୍ଷା । ବିଶେଷତଃ ଟ୍ୱିନ୍ସିଟିରେ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏଭଳି ବର୍ଷା ଆଉ ୩ଦିନ ଲାଗିରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଭାଗରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ସେହିପରି ଗତକାଲି ଆନ୍ଧ୍ରପ୍ରଦେଶ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ଅବସ୍ଥିତ ଘୂର୍ଣ୍ଣିବଳୟ ବର୍ତ୍ତମାନ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ସକ୍ରିୟ ରହିଛି । ଏହି ଘୂର୍ଣ୍ଣିବଳୟ ସହ ଏକ ଟ୍ରଫ୍ ଲାଇନ ମଧ୍ୟ ଆନ୍ଧ୍ର ପ୍ରଦେଶ ଠାରୁ କେନ୍ଦ୍ରୀୟ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ବ୍ୟାପିଛି । ଏହା ସହ ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପାଣିପାଗର ୩ଟି ନିୟାମକ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ୯ତାରିଖ ଯାଏ ଏଭଳି ପାଗ
ଲାଗି ରହିବ । ବଙ୍ଗୋପସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଏବେ ଦକ୍ଷିଣ-ଉପକୂଳ ଆନ୍ଧ୍ରପ୍ରଦେଶରେ ସମୁଦ୍ର ପୃଷ୍ଠରୁ ୩.୧ କିଲୋମିଟର ଉପରେ ରହିଛି । ଏହାର ପ୍ରଭାବରେ ଉପକୂଳ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ବର୍ଷା ଲାଗି ରହିଛି । ଅନ୍ୟପକ୍ଷରେ ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଓ ଉପକୂଳ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ସେହିପରି ଟୁଇନ୍ ସିଟି ଭୁବନେଶ୍ୱର ଓ କଟକରେ ମଧ୍ୟ ତୁହାକୁ ତୁହା ବର୍ଷା ଲାଗି ରହିଛି । ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗିରହିବ । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଟକ, ରାୟଗଡ଼ା, ଅନୁଗୁଳ, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଉପାନ୍ତରୁ ଉପକୂଳ: ତୁହାକୁ ତୁହା ଛେଚୁଛି, ୯ ଯାଏ ବର୍ଷାରୁ ନିସ୍ତାର ନାହିଁ
Next Post