ଭୁବନେଶ୍ୱର, ୧୪ା୧୦(ଡିକେ ନ୍ୟୁଜ): ଓଡ଼ିଶାକୁ ଦେଶର ଶିଳ୍ପାନୟର କେନ୍ଦ୍ରସ୍ଥଳ ରୂପେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଉଦ୍ୟମ ଜାରି ରଖିଛନ୍ତି । ଖ୍ୟାତାନାମା ଶିଳ୍ପଦ୍ୟୋଗୀଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଦୁବାଇରୁ ପ୍ରଥମ ନିବେଶକ ସମ୍ମିଳନୀ ଆରମ୍ଭ କରିବା ପରେ ଅହମ୍ମଦାବାଦ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁରେ ପରେ ଆସନ୍ତା ୧୭ ତାରିଖରେ ହାଇଦ୍ରାବାଦଠାରେ ଷଷ୍ଠ ନିବେଶକ ସମ୍ମିଳନୀ କରିବାକୁ ଯାଉଛନ୍ତି । ଏହାପରେ ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣକ୍ରମେ ସୁଇଜରଲାଣ୍ଡ, ଫ୍ରାନ୍ସ, ୟୁଏଇ, ଗୁଆଟେମାଲାର ରାଷ୍ଟ୍ରଦୂତ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ।
ଏହାଦ୍ୱାରା ଓଡ଼ିଶାକୁ ପୁଞ୍ଜିନିବେଶ ପାଇଁ ଏକ ବଡ଼ ବାଟ ଫିଟିବା ନେଇ ଆଶା କରାଯାଉଛି । ସୂଚନାଯୋଗ୍ୟ ଯେ, ଆସନ୍ତା ନଭେମ୍ବରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପାଇଁ ରାଜ୍ୟ ସରକାର ରୋଡ ଶୋ’ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଦେଶ ଓ ବିଦେଶରେ ନିବେଶ ସମ୍ମିଳନୀ କରି ପୁଞ୍ଜିନିବେଶକାରୀଙ୍କୁ ଆମନ୍ତ୍ରଣ କରୁଛନ୍ତି । ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଶିଳ୍ପାୟନ ପାଇଁ ରାଜ୍ୟ ସରକାର ଅଧିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ପ୍ରଦାନ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରୟାସକୁ ବିଶେଷଜ୍ଞମାନେ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏପରି ପ୍ରୟାସର ପରିମାଣ ଆସନ୍ତା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଏବଂ ପରବର୍ତ୍ତି ସମୟରେ ଦେଖିବାକୁ ମିଳିବ ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ୩୦ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଦିଲ୍ଲୀରେ ଆଲୋଚନା କରିଥିଲେ । ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ଖଣି, ଆଇଟି, କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଛି ବୋଲି ରାଷ୍ଟ୍ରଦୂତଙ୍କୁ ବୁଝାଇଥିଲେ ମୁଖ୍ୟମନ୍ତ୍ରୀ । ଆସନ୍ତା ୧୭ ତାରିଖ ଦିନ ହାଇଦ୍ରାବାଦରେ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିବେଶକାରୀଙ୍କୁ ପୁଞ୍ଜିନିବେଶ ପାଇଁ ନିମନ୍ତ୍ରଣ କରିବେ । କେବଳ ସେତିକି ନୁହେଁ, ମେକ୍ ଇନ୍ ଓଡ଼ିଶା ସଂସ୍କରଣ-୩ ପୂର୍ବରୁ ଆସିଆନାର ଏକ ପ୍ରତିନିଧି ଦଳ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ । ଏହି ଦଳରେ ମିଆଁମାର, ଇଣ୍ଡୋନେସିଆ, ଫିଲିପାଇନ୍ସ,
ଥାଇଲାଣ୍ଡ, ମାଲେସିଆ ଓ ଭିଏତନାମ ଆଦି ଦେଶର ପ୍ରତିନିଧିମାନେ ପର୍ଯୟାୟକ୍ରମେ ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି ।