ସ୍ପିଡ୍ ଧରିଲା ନବୀନ ଏକ୍ସପ୍ରେସ୍

-ସ୍ମାର୍ଟ ହେଲ୍ଥ କାର୍ଡ, ସ୍କୁଲ ରୂପାନ୍ତରୀକରଣ, ମହିଳା ସଶକ୍ତିକରଣ ପରେ ଖାଦ୍ୟ ସୁରକ୍ଷା
-ପିଏମ୍ଜିକେଏୱାଇରେ ଆଉ ୮ ମାସ ଚାଉଳ ଦେବା ପାଇଁ ମୋଦୀଙ୍କୁ ଚିଠି
-ଆଜି କନ୍ଧମାଳ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
-କୋଭିଡ୍ ସମୟରେ କ୍ରୀଡ଼ା ଗୁରୁତ୍ୱ ହରାଇନାହିଁ

ଭୁବନେଶ୍ୱର : କୋଭିଡ୍ ସଂପୂର୍ଣ୍ଣ ସରିନାହିଁ । ରାଜ୍ୟରେ ସ୍ଥିତି କିନ୍ତୁ ନିୟନ୍ତ୍ରଣରେ ରହିଛି । ସଂକ୍ରମଣ ବହୁ ପରିମାଣରେ କମିଛି । ଏ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଦିଗକୁ ପ୍ରାଥମିକତା ଦେଇ କାମ ଜାରି ରଖିଛନ୍ତି । ପ୍ରଥମେ ସେ ସ୍ୱାସ୍ଥ୍ୟସେବା ଉପରେ ଫୋକସ୍ କରିଥିଲେ । ଅଗଷ୍ଟ ୨୦ରୁ ବିଏସ୍କେୱାଇ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଛି । ଏଥିରେ ଗରିବ ଲୋକମାନେ ବଡ଼ ବଡ଼ ହସ୍ପିଟାଲରେ ମାଗଣରେ ସ୍ୱାସ୍ଥ୍ୟସେବା ପାଇବେ । ଜିଲ୍ଲାୱାରୀ କାର୍ଡ ବଣ୍ଟନ କରୁଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧା ଜିଲ୍ଲାରେ କାର୍ଡ ବଣ୍ଟନ ଆରମ୍ଭ ହୋଇସାରିଛି । କାଲି କନ୍ଧମାଳ ଜିଲ୍ଲାରେ ସ୍ମାର୍ଟ ହେଲ୍ଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟ ପରେ ଶିକ୍ଷା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟରେ ୫-ଟିରେ ରୂପାନ୍ତରିତ ହୋଇଥିବା ହାଇସ୍କୁଲ ଗୁଡ଼ିକର ଲୋକାର୍ପଣ କରାଯାଉଛି । ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲରେ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ଏହି ଯୋଜନାର ମୂଳ ଲକ୍ଷ୍ୟ । ନଭେମ୍ବର ୨୪ ସୁଦ୍ଧା ୧୦୭୫ ସ୍କୁଲର ରୂପାନ୍ତରଣ ସରିବ । ଏବେ ସୁଦ୍ଧା ପ୍ରାୟ ୮୦୦ରୁ ଊଦ୍ଧ୍ୱର୍ ସ୍କୁଲ ଲୋକାର୍ପିତ ହୋଇସାରିଛି । କୋଭିଡ୍ ସମୟରେ ଲୋକେ କଠିନ ଆର୍ଥିକ ସ୍ଥିତି ଦେଇ ଗତି କରିଥିଲେ । ଏହାକୁ ଦୃଷ୍ଟିରେ ରଖି ସେ ଏବେ ଖାଦ୍ୟ ସୁରକ୍ଷା ଉପରେ ଫୋକସ୍ କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ପିଏମ୍ଜିକେଏୱାଇରେ ହିତାଧିକାରୀଙ୍କୁ ଆଉ ୮ମାସ ଚାଉଳ ଦେବା ପାଇଁ ଅନୁରୋଧ କରିଛନ୍ତି । କୋଭିଡ୍ ଏବେବି ଶେଷ ହୋଇନି । ଲୋକମାନଙ୍କ ଜୀବିକା ଏବେବି ସ୍ୱାଭାବିକ ହୋଇନି । ତେଣୁ ଖାଦ୍ର ସୁରକ୍ଷା ଯୋଜନାକୁ ଆଉ ୮ ମାସ ବଢ଼ାଇବା ପାଇଁ ନବୀନ ଦାବି କରିଛନ୍ତି । ପିଏମ୍ଜିକେଏୱାଇରେ ମାଗଣା ଚାଉଳ ହିତାଧିକାରୀଙ୍କୁ ମିଳୁଛି । ଏହି ଚାଉଳର ସମୟସୀମା ମେ’ରୁ ନଭେମ୍ବର ମାସ ପର୍ଯ୍ୟନ୍ତ ରହିଛି । ଏହାକୁ ଆଉ ୮ ମାସ ବଢ଼ାଇବା ପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏଜେଣ୍ଡାରେ ପୁରୀର ଐତିହ୍ୟ ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅଛି । ଆସନ୍ତା ୨୪ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭୂମିପୂଜନ କାର୍ଯ୍ୟକ୍ରମ ହେବାର ଅଛି । କୋଭିଡ୍ ସମୟରେ ମଧ୍ୟ କ୍ରୀଡ଼ା ଗୁରୁତ୍ୱ ହରାଇନାହିଁ । ଆସନ୍ତା ୨୬ରୁ ଭୁବନେଶ୍ୱରରେ ଆରମ୍ଭ ହେବ ଜୁନିୟର ପୁରୁଷ ହକି ବିଶ୍ୱକପ୍ । ଏସବୁ ଭିତରେ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ସହିତ ବିବାଦ
ତୁଟାଇବାକୁ ମଧ୍ୟ ନବୀନ ପ୍ରୟାସ ଜାରି ରଖିଛନ୍ତି । ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଥିବା ସୀମା ଏବଂ ଜଳବିବାଦ ତୁଟାଇବାକୁ ବାଟ ବାହାର କରିବେ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ । ଗତ ୯ ତାରିଖରେ ଏ ପ୍ରସଙ୍ଗରେ ନବୀନ-ଜଗନ ଆଲୋଚନା ହୋଇଥିଲା । କୋଟିଆ ଗ୍ରାମପୁଞ୍ଜ, ନିରିଡି ବ୍ୟାରେଜ, ଝଞ୍ଜାବତୀ ଜଳଭଣ୍ଡାର, ପୋଲାଭରମ୍, ବାହାତା ନଦୀରୁ ଜଳ ନିଷ୍କାସନ, ବାଲିମେଳା ଏବଂ ଅପରୁସିଲେରୁ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇଥିଲା । କୋଭିଡ୍ ମୁକାବିଲାରେ ମିଶନ ଶକ୍ତିରେ ମହିଳା ଉକ୍ରୃଷ୍ଟ କାମ କରିଥିଲେ । ମହିଳା ସଶକ୍ତିକରଣ ନେଇ ସୃଷ୍ଟି କରିଥିଲେ ଉଦାହରଣ । ମିଶନ ଶକ୍ତି ଗୋଷ୍ଠୀର ମହିଳାଙ୍କୁ ଅଧିକରୁ ଅଧିକ ସରକାରୀ କାମ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବ୍ୟାଙ୍କ ସୁବିଧା ନଥିବା ପଞ୍ଚାୟତ ଗୁଡ଼ିକରେ ମିଶନ ଶକ୍ତିର ମା’ ମାନଙ୍କୁ ବ୍ୟାଙ୍କ କରସପେଣ୍ଡେଣ୍ଟ ଭାବେ ନିଯୁକ୍ତି ପାଇଁ ଗୁରୁତ୍ୱ ଦିଆଯାଇଛି । ଅନ୍ୟପକ୍ଷରେ କୋଭିଡ୍ ନେଇ ଯେଉଁ କିଛି କଟକଣା ରହିଛି ତାକୁ ମଧ୍ୟ କୋହଳ କରାଯାଉଛି । ନଭେମ୍ବର ମାସରେ ଯାତ୍ରା ଏବଂ ଅପେରା ଉପରେ ଥିବା କଟକଣାକୁ ହଟାଯାଇଛି । ଆସନ୍ତା ମାସରେ ସହରାଞ୍ଚଳରେ ଥିବା ରାତ୍ରିକାଳୀନ କର୍ଫ୍ୟୁକୁ ହଟାଯାଇପାରେ । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ଜୋର୍ସୋର୍ରେ ଚାଲୁ ରଖିଛନ୍ତି ରାଜ୍ୟ ସରକାର । କୋଭିଡ୍ର ଧିମା ଗତିରେ ନବୀନଙ୍କ ଏକ୍ସପ୍ରେସ୍ ଖୁବ୍ ଜୋର୍ରେ ଧାଉଁଛି ବୋଲି ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି ।