ଭୁବନେଶ୍ୱର : କେବଳ କୋମଳ ନୁହେଁ, ଶିଶୁମାନେ ସମାଜର ସବୁଠାରୁ ସମ୍ବେଦନଶୀଳ ବର୍ଗ ହୋଇଥିବା ହେତୁ ରାଜ୍ୟ ସରକାର ଶିଶୁମାନଙ୍କ ଶିକ୍ଷା, ସୁରକ୍ଷା ଏବଂ ସାମଗ୍ରୀକ ବିକାଶ ପାଇଁ ସର୍ବାଧିକ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ଶିଶୁଙ୍କ ପ୍ରତି କୌଣସି ପ୍ରକାରର ଅନ୍ୟାୟ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ପ୍ରଦର୍ଶନ କରିଛନ୍ତି । ସେମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଯିବା ନିମନ୍ତେ ବିଜୁ ଶିଶୁ ସୁରକ୍ଷା ଯୋଜନା, ଆଶୀର୍ବାଦ, ବିଜୁ କନ୍ୟାରତ୍ନ ଯୋଜନା, ଆଦ୍ୱିକା ଭଳି ଶିଶୁ ଅନୁକୂଳ ଯୋଜନା ପ୍ରଣୟନ କରାଯାଇଛି । ନିକଟରେ ରାଜ୍ୟର ୩୪ଟି ପୋଲିସ ଜିଲ୍ଲାରେ ୩୪ଟି ଶିଶୁ ଅନୁକୂଳ ଥାନା ସ୍ଥାପନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଶିଶୁଙ୍କୁ କୋଭିଡ୍ର ପ୍ରତିକୂଳ ପ୍ରଭାବରୁ ସୁରକ୍ଷିତ ରଖିବା ନିମନ୍ତେ ବହୁବିଧ ପଦକ୍ଷେପ ନିଆଯାଇଛି । ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷିସାଧନ ସହ ମାନସିକ ଓ ସାମାଜିକ ସ୍ତରରେ ସେମାନଙ୍କୁ ସଶକ୍ତ କରି ପରବର୍ତ୍ତୀ ପିଢ଼ିକୁ ଉତ୍ତମ ନାଗରିକ କରି ଗଢ଼ିତୋଳିବା ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଏକଦଶତମ ପ୍ରତିଷ୍ଠା ଦିବସ ଅବସରରେ ଭିଡିଓ ବାର୍ତ୍ତାରେ ଏହା କହିଛନ୍ତି । କିଟ୍ ପ୍ରେକ୍ଷାଳୟରେ ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସକୁ ରାଜ୍ୟ ଆରକ୍ଷୀ ନିର୍ଦ୍ଦେଶକ ଶ୍ରୀ ଅଭୟ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଏବଂ ବିଶିଷ୍ଟ ଅତିଥିମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଶ୍ରୀମତୀ ଗର୍ଗ କୋଭିଡ୍ ମହାମାରୀ ସମୟରେ ବିଭାଗ ଦ୍ୱାରା ଶିଶୁଙ୍କୁ ମାନସିକ ଓ ଶାରୀରିକ ସ୍ତରରେ ସକ୍ରିୟ ରଖିବା ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ଆଭାସୀ ମାଧ୍ୟମରେ ଯୋଗଦେଇ ସାଂସଦ ଅମର ପଟ୍ଟନାୟକ କହିଥିଲେ, ଶିଶୁ ସୁରକ୍ଷା ଆଇନକୁ କାର୍ଯ୍ୟକାରୀ କରିବା ଦିଗରେ ପ୍ରତ୍ୟେକ ରାଜ୍ୟରେ ଶିଶୁ ସୁରକ୍ଷା କମିଶନ ଗଠନ କରାଯାଇଛି ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫ୍ର ଓଡ଼ିଶା ମୁଖ୍ୟ ମୋନିକା ନିଲେସନ୍, ରାଜ୍ୟ ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷା ସୁଲୋଚନା ଦାସ, ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପ୍ରାରମ୍ଭରେ ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଆୟୋଗର ଉଦ୍ଦେଶ୍ୟ, ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଶିଶୁ ଅଧିକାର ସୁରକ୍ଷା ଆୟୋଗର ନୂତନ ୱେବସାଇଟ୍ ଏବଂ ଅନଲାଇନ୍ରେ କେସ୍ ପରିଚାଳନା ବ୍ୟବସ୍ଥା ଲୋକାର୍ପଣ ହୋଇଥିଲା । ଆୟୋଗ ତରଫରୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ମାନସ ରଞ୍ଜନ ମଙ୍ଗରାଜ, କ୍ରୀଡ଼ାବିତ କେ.ରବି କୁମାରଙ୍କ ସମେତ ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଦେବଗଡ଼ର ଶିଶୁ ସୁରକ୍ଷା ଅଧିକାରୀ, ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ,କୋରାପୁଟ ଡିଏସ୍ଡବ୍ଲୁଓ, ଗଜପତି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସମ୍ବଲପୁର ଅଇଁଠାପାଲିର ଥାନା ଅଧିକାରୀ, ସାମ୍ବାଦିକ ଡାଏନା ସାହୁ, ସୁପ୍ରିୟା ଦାସ ତଥା ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବିଭିନ୍ନ ଜିଲ୍ଲାରୁ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ମୋଦୀଙ୍କୁ ଚିଠି ଲେଖିଲେ ନବୀନ : ମନରେଗାରେ ୨୫ କୋଟି କାର୍ଯ୍ୟଦିବସ ଦାବି
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଏମ୍ଜିଏନଆରଇଜିଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଏହି ଚିଠି ଲେଖିଛନ୍ତି । ତେବେ ଏହି ଚିଠିରେ ନବୀନ କେନ୍ଦ୍ର ସରକାରଙ୍କ ଉପରେବକେୟା ଥିବା ୧୦୮୮.୭୨ କୋଟି ଟଙ୍କା ପ୍ରଦାନ କରିବାକୁ ଦାବି କରିଛନ୍ତି । ଖାଲି ସେତିକି ନୁହେଁ ୨୦୨୧-୨୨ ଆର୍ଥିକ ବର୍ଷରେ ୨୫ କୋଟି କାର୍ଯ୍ୟଦିବସ ଦେବାକୁ ମୁଖ୍ୟମନ୍ତ୍ରୀ ଏହି ଚିଠିରେ ଉଲ୍ଲେଖ କରିଛନ୍ତି । ଏହି ଚିଠିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗ୍ରାମ ଉନ୍ନୟନ ମନ୍ତ୍ରାଳୟ ସଠିକ୍ ସମୟରେ ଅର୍ଥ ମଞ୍ଜୁର କରୁ । ଏହାଫଳରେ ଶ୍ରମିକଙ୍କୁ ଠିକ୍ ସମୟରେ ପାରଶ୍ରମିକ ଦିଆଯାଇପାରିବ । ଗ୍ରାମାଞ୍ଚଳରେ ଅର୍ଥନୀତିକୁ ସୁଧାରିବାକୁ କେନ୍ଦ୍ରର ଉଦ୍ୟମ ପ୍ରଶଂସାଯୋଗ୍ୟ । କରୋନା ସମୟରେ ଏମ୍ଜିଏନ୍ଆରଇଜିଏର ଚାହିଦା ବଢୁଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ।