ମିଶନ ପିପିଲି: ବିଜୟ ଲକ୍ଷ୍ୟରେ ବିଜେଡି, ପିପିଲି-ଡେଲାଙ୍ଗ ବିକାଶ କଥା ମୁଁ ବୁଝିବ

ବିଜେପୁର, ତିର୍ତ୍ତୋଲ ଓ ବାଲେଶ୍ୱର ପରେ ମିଶନ ପିପିଲି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ପିପିଲି ହେଉଛି ଚତୁର୍ଥ ଉପନିର୍ବାଚନ । ପିପିଲିରେ ବିରୋଧୀଙ୍କୁ କ୍ଲିନ୍ ବୋଲ୍ଡ୍ କରି ବିଜୟ ଶଙ୍ଖ ଫୁଙ୍କିବା ଲକ୍ଷ୍ୟରେ ଅଛି ବିଜେଡି । ବିପୁଳ ଭୋଟ ବ୍ୟବଧାନରେ ବାଜି ଜିତିବା ପାଇଁ ଗୋଟିଚାଳନା ଚାଲିଛି । ପୂର୍ବରୁ ତିନୋଟି ଉପନିର୍ବାଚନରେ ବିଜେପିର ଭୋଟହାର କମିଥିବା ବେଳେ ବିଜେଡିର ବଢ଼ିଛି । ତେବେ ପିପିଲିରେ ବିଜେଡିର ଭୋଟହାର କେତେ ରହୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର ।

ଭୁବନେଶ୍ୱର : ପିପିଲି ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପିପିଲି ନିର୍ବାଚନ ମଣ୍ଡଳୀର ୬ଟି ଜିଲ୍ଲା ପରିଷଦ ଜୋନ୍ବାସୀଙ୍କୁ ସମ୍ବୋଧନ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ଯେ ଏହି ପବିତ୍ର ଐତିହ୍ୟ ସମ୍ପୂର୍ଣ୍ଣ ମାଟିକୁ ମୋର ପ୍ରଣାମ । ପିପିଲିର ସମସ୍ତ ଭାଇ-ଭଉଣୀଙ୍କୁ ନମସ୍କାର ଜଣାଇବା ସହ ପିପିଲି ଚାନ୍ଦୁଆକୁ ନେଇ ଗର୍ବିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଆଜି ପିପିଲି ଯାଇ ଆପଣମାନଙ୍କୁ ଭେଟିଥିଲେ ବହୁତ ଖୁସି ହୋଇଥାନ୍ତି । ମୋ ପ୍ରତି ଭଲପାଇବା ଯୋଗୁ ଆପଣମାନେ ବହୁ ସଂଖ୍ୟାରେ ଆସିଥାନ୍ତେ । କିନ୍ତୁ କରୋନା କାଳରେ ଏହା ଭଲ ହେବ ନାହିଁ ବୋଲି ମୁଁ ଭାବିଲି । ଏଥିପାଇଁ ଭିଡିଓ କନ୍ଫରେନ୍ସିଂରେ ଆପଣମାନଙ୍କୁ ଭେଟୁଛି । କୋଭିଡ୍ ପରେ ଭେଟିବାକୁ ଯିବି । ପିପିଲି ଓ ଡେଲାଙ୍ଗର ବିକାଶ କଥା ମୁଁ ବୁଝିବି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିକାଶ ଆଜି ଓଡ଼ିଶାର ନୂଆ ପରିଚୟ ହୋଇଛି । ପିପିଲି-ଡେଲାଙ୍ଗର ବିକାଶ ଆଗକୁ ଆହୁରି ଆଗେଇବ । ପିପିଲିଡେଲାଙ୍ଗରେ ଅନେକ ବିକାଶ ହୋଇଛି, ଆଗକୁ ମଧ୍ୟ ଏହି ପ୍ରକ୍ରିୟା ତ୍ୱରିତ ହେବ । ଏଥିପାଇଁ ସ୍ୱର୍ଗତ ମହାରଥିଙ୍କ ଅବଦାନ ଅତୁଳନୀୟ । ପୁନର୍ବାର ଏହି କାର୍ଯ୍ୟକୁ ଆଗେଇ ନେବା ପାଇଁ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ରୁଦ୍ର ମହାରଥିଙ୍କୁ ଭୋଟ ଦେବା ପାଇଁ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି ।

ପିପିଲି ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବା ପାଇଁ ଆଜି ଶଙ୍ଖ ଫୁଙ୍କିଛନ୍ତି ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ଯୋଗେ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ତାରକା ପ୍ରଚାରକ ନବୀନ ପଟ୍ଟନାୟକ । ପିପିଲି ଉପନିର୍ବାଚନର ବିଜେଡ଼ି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥିଙ୍କ ପାଇଁ ଉପସ୍ଥିତ ଭୋଟରଙ୍କୁ ଭୋଟ ଦେବାକୁ ଆହ୍ୱାନ ଦେଇଛନ୍ତି ନବୀନ ।

ସୁରକ୍ଷା ବଳୟରେ ପିପିଲି : ୩ ପ୍ଲାଟୁନ୍ କେନ୍ଦ୍ରୀୟ ଫୋର୍ସ ସହ ମୁତୟନ ହେବେ ୨୯ ପ୍ଲାଟୁନ୍ ଓଏସ୍ଏପ 

ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ । ଏହା ପୂର୍ବରୁ ସୋମବାର ପିପିଲିରେ ଆଇନଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ପିପିଲି ଉପନିର୍ବାଚନରେ ୩ ପ୍ଲାଟୁନ୍ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ । ୨୯ ପ୍ଲାଟୁନ୍ ଓଏସ୍ଏପି ମୁତୟନ ରହିବେ । ସୁରକ୍ଷା ଦୃଷ୍ଟିରୁ ପିପିଲି ନିର୍ବାଚନ ମଣ୍ଡଳୀକୁ ଏକାଧିକ ଜୋନ୍ରେ ବିଭକ୍ତ କରାଯାଇଛି । ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ଡିଜିପି ଅଭୟ । ପ୍ରତ୍ୟେକ ଜୋନ୍ ରେ
ଦୁଇଜଣ ଅତିରିକ୍ତ ଏଏସ୍ପି, ୩ଜଣ ଲେଖାଏଁ ଡିଏସ୍ପି ସୁରକ୍ଷା ଦାୟିତ୍ୱର ତଦାରଖ କରିବେ । ୮୦ଟି ସମ୍ବେଦନଶୀଳ ବୁଥ୍ ରେ ବିଏସ୍ଏଫ୍ ଯବାନ ମୁତୟନ ହେବେ । ପିପିଲିରେ ଆଜିର ଏହି ସମୀକ୍ଷା ବେଳେ ଡିଜିପିଙ୍କ ସହ ଏଡିଜି ଯଶୱନ୍ତ ଜେଠୱା ଓ ଗୁଇନ୍ଦା ନିର୍ଦ୍ଦେଶକ ରାଧାକ୍ରିଷ୍ଣ ଶର୍ମା, ଡିଆଇଜି ଜୟ ନାରାୟଣ ପଙ୍କଜ, ପୁରୀ ଏସ୍ପି ପ୍ରମୁଖ ଉପସ୍ଥିତ ଥିଲେ ।