ନୂଆଦିଲ୍ଲୀ: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ) ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏସବୁ ଭିତରେ ପିକେ ଖୋଲାଖୋଲି ଭାବେ ନୀତୀଶ କୁମାରଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି । ଯଦି ବିଜେପି ସହ କୌଣସି ସମ୍ପର୍କ ନାହିଁ, ତା’ହେଲେ ନୀତୀଶ କୁମାର ନିଜ ଦଳର ସାଂସଦ ହରିବଂଶ ନାରାୟଣଙ୍କ ସିଂହଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପଦ ଛାଡ଼ିବାକୁ କହିକି ଦେଖାନ୍ତୁ ବୋଲି ପିକେ ଖୋଲା ଆହ୍ୱାନ ଦେଇଛନ୍ତି । ଏହାପୂର୍ବରୁ ପିକେ ବିଜେପି ସହ
ନୀତୀଶ କୁମାର ସମ୍ପର୍କ ରଖିଛନ୍ତି ଓ ହରିବଂଶ ଏହାର ମାଧ୍ୟମ ସାଜିଛନ୍ତି ବୋଲି ଦାବି କରିଥିଲେ । ଏହାକୁ ଜେଡିୟୁ ଖଣ୍ଡନ କରିବା ସହ ନୀତୀଶ କୁମାର ମଧ୍ୟ ପରୋକ୍ଷରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ବିବାଦ ଲାଗି ରହିଥିବା ବେଳେ ଆଜି ପିକେ ଗୋଟିଏ ଟ୍ୱିଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ ଯଦି ଆପଣ(ନୀତୀଶ କୁମାର)ଙ୍କ ସମ୍ପର୍କ ବିଜେପି/ଏନଡିଏ ସହ ନାହିଁ, ତା’ହେଲେ ଆପଣ ନିଜ ଦଳର ସାଂସଦଙ୍କୁ ରାଜ୍ୟଦସଭାର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ କୁହନ୍ତୁ । ଆପଣ ସବୁବେଳେ ଉଭୟ ପକ୍ଷରେ ରହିପାରିବେ ନାହିଁ । ଗତକାଲି ପିକେ ଦାବି କରିଥିଲେ ଯେ ୧୭ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ନୀତୀଶ କୁମାର ଏହା ମଧ୍ୟରୁ ୧୪ଥର ବିଜେପି ସମର୍ଥନରେ ଗାଦିରେ ବସିଛନ୍ତି । ପିକେ କହିଥିଲେ ଯେ ମୁଁ ଯାହା ଜାଣିଛି ନୀତୀଶ କୁମାର ନିଶ୍ଚିତ ଭାବେ ମହାଗଠନ୍ଧନରେ ଅଛନ୍ତି । କିନ୍ତୁ ସେ ବିଜେପି ସହ ସମ୍ପର୍କ ରଖିବା ବନ୍ଦ କରିନାହାନ୍ତି । ଏହାର ସବୁଠାରୁ ବଡ଼ ପ୍ରମାଣ ହେଲା, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ । ସେ ଜେଡିୟୁର ସାଂସଦ । ତାଙ୍କୁ ଏଯାଏ ପଦରୁ ଇସ୍ତଫା ଦେବାକୁ କୁହାଯାଇ ନାହିଁ । ସେ ମଧ୍ୟ ଇସ୍ତଫା ଦେଇନାହାନ୍ତି । ତାଙ୍କ ବିରୋଧରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି । ଯଦି ନୀତୀଶ କୁମାର ଏନଡିଏରୁ ବାହାରି ଯାଇଛନ୍ତି, ତା’ହେଲେ ତାଙ୍କ ଦଳର ସାଂସଦ କେମିତି ଗୁରୁତ୍ତ୍ୱପୂର୍ଣ୍ଣ ପଦବୀରେ ରହିଛନ୍ତି? ଏକଥା ବୁଝବା ଭାରି କଷ୍ଟ । ତେଣୁ ନୀତୀଶ କୁମାର ବିଜେପି ସହ ଗୁପ୍ତ ଭାବେ ଯୋଗାଯୋଗରେ ରହିଛନ୍ତି । ପରିସ୍ଥିତି ଆସିଲେ, ସେପୁଣି ବିଜେପିରେ ସାମିଲ ହୋଇଯିବେ । ଚଳିତ ବର୍ଷ ଅଗଷ୍ଟ ମାସରେ ନୀତୀଶ କୁମାର ବିଜେପିର ହାତ ଛାଡ଼ିଥିଲେ । ଏହାପରେ ସେ ଆରଜେଡି ଓ କଂଗ୍ରେସ ସହ ମିଶି ବିହାରରେ ସରକାର ଗଠନ କରିଛନ୍ତି ।