ସମ୍ବଲପୁର:-ରାଜ୍ୟରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାର ବିକାଶ ଓ ଗ୍ରାମୀଣ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜି ସମ୍ବଲପୁର ଜିଲ୍ଲାରେ ପ୍ରସ୍ତାବିତ ୭ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ର ଭବ୍ୟ ଶିଳାନ୍ୟାସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଏହି ସମସ୍ତ ବିଦ୍ୟାଳୟଗୁଡ଼ିକର ଶିଳାନ୍ୟାସ ସମ୍ପନ୍ନ କରିଛନ୍ତି ।
ଓସେପା (OSEPA) ର ନିର୍ଦ୍ଦେଶନାମା ଅନୁଯାୟୀ ଜମନକିରାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (Govt UPS) ଖରସନମାଲ, କୁଚିଣ୍ଡାର କୁଟୁରାଚୁଆଁ ନୋଡାଲ ହାଇସ୍କୁଲ (Kuturachuan NHS) ଓ ମନୋହର ଉଚ୍ଚ ବିଦ୍ୟାଳୟ କୁନ୍ତରା, ଯୁଯୁମୁରାର ଗମ୍ଭାରୀପଙ୍କ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (Ghambaripank UGUP) ଏବଂ ମାନେଶ୍ୱର ବ୍ଲକର ମଥୁରା ପ୍ରସାଦ ସରକାରୀ ଉଚ୍ଚ ବିଦ୍ୟାଳୟ (MP Govt HS) ଧମା, ସରକାରୀ ଉଚ୍ଚ ବିଦ୍ୟାଳୟ (Govt HS) ମୁରା ଓ ଗୋକୁଳାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ (Gokulananda Govt H.S) ବତେମୁରା ପରିସରରେ ଏହି କାର୍ଯ୍ୟକ୍ରମଗୁଡ଼ିକ ସଫଳତାର ସହ ସମାପ୍ତ ହୋଇଛି ।
ଯୋଜନାର ମୂଳ ଲକ୍ଷ୍ୟ ଓ ଆଭିମୁଖ୍ୟ :‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳରେ ପ୍ରାଥମିକ ଶିକ୍ଷାର ସ୍ତରକୁ ବିଶ୍ୱସ୍ତରୀୟ କରିବା । ଏହି ମହତ୍ତ୍ୱାକାଂକ୍ଷୀ ଯୋଜନା ମାଧ୍ୟମରେ: ଗୁଣାତ୍ମକ ଶିକ୍ଷାର ବିକାଶ:ଗ୍ରାମାଞ୍ଚଳର ପ୍ରାଥମିକ ସ୍ତରର ଛାତ୍ରଛାତ୍ରୀମାନଙ୍କୁ ଆଧୁନିକ ଓ ମାନସମ୍ପନ୍ନ ଶିକ୍ଷା ପ୍ରଦାନ କରି ସେମାନଙ୍କ ବୌଦ୍ଧିକ ବିକାଶର ମୂଳଦୁଆ ସୁଦୃଢ଼ କରିବା ।
ଆଧୁନିକ ଗ୍ରାମୀଣ ଭିତ୍ତିଭୂମି: ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ସ୍ମାର୍ଟ କ୍ଲାସରୁମ୍, ଉନ୍ନତ ପାଠାଗାର, ଖେଳପଡ଼ିଆ ଓ ଅତ୍ୟାଧୁନିକ ଶିକ୍ଷା ଉପକରଣ ପ୍ରତିଷ୍ଠା କରି ଗ୍ରାମୀଣ ଶିକ୍ଷା ଭିତ୍ତିଭୂମିକୁ ସଂସ୍କାର କରିବା ।ଶିକ୍ଷାର ସମାନ ସୁଯୋଗ:ସହରାଞ୍ଚଳ ଭଳି ସମସ୍ତ ସୁବିଧା ସୁଯୋଗ ଗ୍ରାମାଞ୍ଚଳର ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ନିକଟରେ ସହଜରେ ପହଞ୍ଚାଇବା, ଯାହାଦ୍ୱାରା ପ୍ରାଥମିକ ସ୍ତରରୁ ହିଁ ଶିକ୍ଷାର ମାନରେ ଥିବା ପ୍ରଭେଦ ଦୂର ହୋଇପାରିବ ।
ଏହି ଉତ୍ସବରେ ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ (ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତୀରାଜ ଓ ପାନୀୟ ଜଳ), ସମ୍ବଲପୁର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର, ରେଢ଼ାଖୋଲ ବିଧାୟକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ରେଙ୍ଗାଲି ବିଧାୟକ ଶ୍ରୀ ସୁଦର୍ଶନ ହରିପାଲ, ପୂର୍ବତନ ବିଧାୟକ ତଥା ସାଂସଦଙ୍କ ପ୍ରତିନିଧି ଶ୍ରୀ ନାଉରୀ ନାୟକ ଏବଂ ଜିଲ୍ଲା ପରିଷଦ ସଭାନେତ୍ରୀ ଶ୍ରୀମତୀ କୁମୁଦିନୀ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଜิଲ୍ଲାପାଳ ସମ୍ବଲପୁର ତଥା ସମଗ୍ର ଶିକ୍ଷାର ସଭାପତି ଶ୍ରୀ ସିଦ୍ଧେଶ୍ବର ବଳିରାମ ବୋନ୍ଦର, ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ମୁଖ୍ୟ ନିର୍ବାହୀ ଅଧିକାରୀ (CDO-cum-EO), ଜିଲ୍ଲା ପରିଷଦ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ (DEO)-ତଥା-ଜିଲ୍ଲା ପ୍ରକଳ୍ପ ସଂଯୋଜକ (DPC), ସମ୍ବଲପୁରଙ୍କ ପ୍ରତ୍ୟକ୍ଷ ପ୍ରେରଣା ଓ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।
ଉତ୍ସବରେ ସମ୍ପୃକ୍ତ ଅଞ୍ଚଳର ଉପ-ଜิଲ୍ଲାପାଳ (Sub Collector), ଗୋଷ୍ଠୀ ଉନ୍ନୟନ ଅଧିକାରୀ (BDO), ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ADEO), ଗୋଷ୍ଠୀ ଶିକ୍ଷା ଅଧିକାରୀ (BEO) ଏବଂ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ (DPO) ର କର୍ମଚାରୀମାନେ ଉପସ୍ଥିତ ରହି ପ୍ରଶାସନିକ ସହଯୋଗ କରିଥିଲେ । ଏହା ସହିତ ସ୍ଥାନୀୟ ପଞ୍ଚାୟତରାଜ ଅନୁଷ୍ଠାନର ପ୍ରତିନିଧି (PRI Members), ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ପ୍ରତି ଭେନ୍ୟୁରେ ପ୍ରାୟ ୫୦୦ ରୁ ୧୦୦୦ ଜନସାଧାରଣ ଉପସ୍ଥିତ ରହିଥିଲେ । ଆଗାମୀ ଦିନରେ ଏହି ଆଦର୍ଶ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଆଧୁନିକ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ଏକ ପ୍ରମୁଖ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ (DEO), ସମ୍ବଲପୁର, ଲକ୍ଷ୍ମଣ ଭୋଇ ପ୍ରକାଶ କରିଛନ୍ତି ।