ପାଣିରେ ଫସିଛନ୍ତି ୨ହାତୀ
କଟକ ୦୬।୦୩ : କଟକ ନରାଜ ବ୍ୟାରେଜ୍ ନିକଟରେ ୨ଟି ହାତୀ ପାଣିରେ ଫସିରହିଥିବା ଦେଖିବାକୁ ମିଳିଛି । ଯାହାପରେ ବନବିଭାଗ ଟିମ୍ ତତ୍ପର ହୋଇପଡିଛି । ବନବିଭାଗର ଏକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଜଗିରହିଛି । ଖବର ଅନୁଯାୟୀ, ରବିବାର ଦିନ ଅପରାହ୍ନ ସମୟରେ ୨ଟି ହାତୀ ନରାଜ ନିକଟରେ ଫସିଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ବନବିଭାଗକୁ ଖବର ଦିଆଯାଇଥିଲା । ବନବିଭାଗ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୨ଟି ହାତୀକୁ ଜଗିରହିଛି । ତେବେ କିଭଳି ହାତୀପାଖକୁ ସ୍ଥାନୀୟଲୋକମାନେ ନଯିବେ, ସେଥିପାଇଁ ବନବିଭାଗ ସଜାଗ ରହିଛି । ସୂଚନାଯୋଗ୍ୟ ଯେ, କିଛି ମାସ ତଳେ ନରାଜ ବ୍ୟାରେଜ୍ ନିକଟରେ ଗୋଟିଏ ହାତୀ ଫସିରହିଥିଲା । ପାଣିରେ ପଶି ପାର୍ ହେଉଥିବା ବେଳେ ଗୋଟିଏ ହାତୀ ଫସିଯାଇଥିଲା। ସେହି ହାତୀଟିକୁ ଉଦ୍ଧାର କରିବା ପାଇଁ ଅନେକ ପ୍ରୟାସ କରାଯାଇଥିଲା । ଏପରିକି ହାତୀ ଖବର ପ୍ରସାରଣ କରିବା ସମୟରେ ବୋଟରେ ଯାଇଥିବା ସାମ୍ବାଦିକ ଅରିନ୍ଦମ୍ ଦାସ , ତାଙ୍କ କ୍ୟାମେରାମ୍ୟାନ୍ ଏବଂ ଓଡ୍ରାଫ୍ ଟିମ୍ ଭାସିଯାଇଥିଲା । ଶେଷରେ ପାଣିରେ ବୁଡି ସାମ୍ବାଦିକ ଅରିନ୍ଦମ୍ ଦାସ ଏବଂ ୨ଜଣ ଓଡ୍ରାଫ୍ ଟିମ୍ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା । ଯାହାକି ସେତେବେଳେ ସବୁଠାରୁ ଚର୍ଚ୍ଚାର ଖବରଥିଲା । ଆଉ ଏବେ ସେହି ନରାଜ ବ୍ୟାରେଜ୍ ନିକଟରେ ୨ଟି ହାତୀ ଫସିରହିଛନ୍ତି । ତେବେ ଯେପରି ପୂର୍ବ ଭୁଲ୍ର ପୁନରାବୃତ୍ତି ନହୁଏ, ସେଥିପାଇଁ ସଜାଗ ରହିଛି ବନବିଭାଗ ।