ବିଶ୍ୱ ପରିବେଶ ସୁରକ୍ଷା ସପ୍ତାହ ଉଦଯାପିତ

ଆଜିର ଆହ୍ୱାନ ପରିବେଶ ପାଇଁ ଗଛଟିଏ : କୁଳପତି

ସତ୍ୟବାଦୀ :- ଓଡ଼ିଆ ବିଶ୍ୱବିଦ୍ୟାଳୟ ସତ୍ୟବାଦୀ, ପୁରୀ ସୁରକ୍ଷା ପରିଷଦ ଓ ଲତା ଚାରିଟେବୁଲ ଟ୍ରଷ୍ଟ ସହାଭାଗିତାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ, ସତ୍ୟବାଦୀ ଠାରେ ବିଶ୍ୱ ପରିବେଶ ସୁରକ୍ଷା ସପ୍ତାହ ଉଦଯାପନ ଓ ବିଶ୍ୱ ପରିବେଶ ସୁରକ୍ଷା ଦିବସ ପାଳିତ ହୋଇଯାଇଛି l ପୂର୍ବରୁ ମେ ୩୦ ତାରିଖ ଠାରୁ ଜୁନ ୫ ପର୍ଯ୍ୟନ୍ତ ଅନୁଷ୍ଠାନ ପକ୍ଷରୁ ସପ୍ତାହବ୍ୟାପି ଜିଲ୍ଲାର ବିଭିନ୍ନ ସ୍ଥାନ ଯଥା ପୁରୀ, କାକଟପୁର, ଅସ୍ତରଙ୍ଗ, ବ୍ରହ୍ମଗିରି, ଗୋପ, ନିମାପଡାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଶେଷରେ ସତ୍ୟବାଦୀ ଠାରେ ବିଶ୍ୱ ପରିବେଶ ସୁରକ୍ଷା ସପ୍ତାହ ଉଦଯାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଉଦଯାପନ ଦିବସରେ ପରିଷଦର କାର୍ଯ୍ୟକାରୀ ସଭାପତି ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ସ୍ୱାମୀ ନିର୍ମଳା ନନ୍ଦ ଗିରି ଯୋଗଦାନ କରିଥିଲେ l ମୁଖ୍ୟଅତିଥି ଭାବେ ଓଡ଼ିଆ ବିଶ୍ୱବିଦ୍ୟାଳର କୁଳପତି ସତ୍ୟ ନାରାୟଣ ଆଚାର୍ଯ୍ୟ ଯୋଗଦେଇ କହିଲେ ବିଶ୍ୱରେ ଯେଉଁଭଳି ତାପମାତ୍ରାରେ ପରିବର୍ତ୍ତନ ଦେଖାଦେଲାଣି ତାହା ବିଶ୍ୱ ପାଇଁ ସତର୍କ ଘଣ୍ଟି l ଆସନ୍ତୁ ଆମେ ସମସ୍ତେ ଆଜି ଏକତ୍ରିତ ଭାବେ ଏକ ସ୍ୱରରେ ସଂକଳ୍ପ ନେବା ପରିବେଶକୁ ସୁରକ୍ଷା କରିବା ସହିତ ବୃକ୍ଷ ରୋପଣକୁ ଗୁରୁତ୍ୱ ଦେବା l କେବଳ ଗ୍ରୀଷ୍ମ ଋତୁକୁ ଛାଡିଦେଲେ ଅନ୍ୟ ସବୁ ଋତୁରେ ବାଡ଼ି ବଗିଚା, ବିଦ୍ୟାଳୟ ଓ ପାର୍କ ଆଦି ସ୍ଥାନମାନଙ୍କରେ ବୃକ୍ଷ ରୋପଣ କରିବା ସହିତ ଆମ ମାତୃଭାଷା ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ପାଇଁ ଏକାଠି ହେବା l ଆଜିର ଆହ୍ୱାନ ପରିବେଶ ପାଇଁ ଗଛଟିଏ ଲଗାଇବା l

ମୁଖ୍ୟବକ୍ତା ଭାବେ ଉଦ୍ଭିଦ ବିଜ୍ଞାନର ପ୍ରଫେସର ଡକ୍ଟର ଅଭିମନ୍ୟୁ ଭୂୟାଁ ଯୋଗଦେଇ କହିଲେ ପରିବେଶ ବିଗିଡ଼ିବାରେ କେବଳ ଆମେ ହିଁ ଦାୟୀ l ଆମେ କେବେବି ଆମ ପରିବେଶ ପ୍ରତି ସଚେତନତା ହେଉ ନଥିବା ଯୋଗୁଁ ପରିବେଶ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି l ସାଉଥ ମେରୁ ବା ଦକ୍ଷିଣ ମେରୁରେ ଯେଉଁ ବରଫ ତରଳିବାରେ ଲାଗିଲାଣି ତାହା ଜଳରୂପ ଧାରଣ. କଲେ ବିଶ୍ୱରେ ଜଳ ପ୍ରଳୟ ସୃଷ୍ଟି ହେବାର ଆଶଙ୍କା ରହିଛି l ଏଥିପାଇଁ ବିଶ୍ୱ ସ୍ତରରେ ପରିବେଶ ସୁରକ୍ଷା, ଜଙ୍ଗଲ ସଂରକ୍ଷଣ ଓ ବୃକ୍ଷ ରୋପଣ ଅନିର୍ଵାର୍ଯ୍ୟ ଅଟେ l ବିଶିଷ୍ଟ ଅତିଥିଭାବେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ଉପ ନିର୍ଦେଶକ ସନ୍ତୋଷ କୁମାର ସେଠି, ସମ୍ମାନିତ ଅତିଥିଭାବେ ଡକ୍ଟର କାର୍ତ୍ତିକ କୁମାର ଦାସ, ଲତା ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଲତା ଦାସ, ସଂଯୋଜିକା ଡକ୍ଟର ଲିପିକା ନାୟକ ଓ ସମ୍ପାଦକ ଭାଗବତ ପ୍ରସାଦ ପଟ୍ଟନାୟକ ପ୍ରମୁଖ ମଂଚାସୀନ ଥିଲେ l

ଏହି ଅବସରରେ ପୁରୀ ସୁରକ୍ଷା ପରିଷଦ ପକ୍ଷରୁ କୁଳପତି ଡକ୍ଟର ଆଚାର୍ଯ୍ୟଙ୍କୁ ସମ୍ମାନିତ କରାଯାଇଥିବା ବେଳେ ପରିବେଶ ବିତ ଦୟାନିଧି ତ୍ରିପାଠୀ, ପ୍ରତିଭା ଦାସ, ସନ୍ତୋଷ କୁମାର ବେହେରା, ସୁଦର୍ଶନ ପ୍ରଧାନ, ପ୍ରଦୀପ କୁମାର ନାୟକ, ପ୍ରଶାନ୍ତି ମିଶ୍ର, ଜ୍ୟୋତିମୟୀ ରାୟ ପ୍ରୀତମ, ଭାସ୍କର ନାୟକ, ପଠାଣି ଜେନା ଓ ଜୁପିଟର ଦାସଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା l ଆୟୋଜନ ସମିତିର ଅଧ୍ୟକ୍ଷ ବିନୟ ନୃସିଂହ ମହାପାତ୍ର ପ୍ରାରମ୍ଭରେ ବିଶ୍ୱ ପରିବେଶ ସୁରକ୍ଷା ସପ୍ତାହର ଆଭିମୁଖ୍ୟ ବର୍ଣ୍ଣନା କରିଥିବା ବେଳେ ଆଦିତ୍ୟ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ l କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ତପନ କୁମାର ସେଠି l ପରିଶେଷରେ ଶିକ୍ଷାବିତ୍ ସତ୍ୟବାଦୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l

#worldenvironmentweak #puri #dumanikhabar
Comments (0)
Add Comment