ଦ୍ୱିତୀୟ ଦିନରେ ବି ଇଂଲଣ୍ଡର ସ୍ଥିତି ମଜବୁତ

0 208

ଦ୍ୱିତୀୟ ଦିନ ସୁଦ୍ଧା ଦଳ ୫୫୫/୮

ଚେନ୍ନାଇ, ୬ ।୨: ଅଧିନାୟକ ଜୋ ରୁଟ୍ଙ୍କ ଦ୍ୱିଶତକ ବଳରେ ଭ୍ରମଣକାରୀ ଇଂଲଣ୍ଡ ଚେନ୍ନାଇରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟରେ ନିଜର ସ୍ଥିତି ମଜବୁତ କରି ନେଇଛି । ଅନ୍ୟପଟେ ଭାରତର ମୁସ୍କିଲ ବଢି ଯାଇଛି । ଜୋ ରୁଟ୍ଙ୍କ ୨୧୮ ରନର ଦମଦାର ଇନିଂସ ଓ ବେନ ଷ୍ଟୋକ୍ସଙ୍କ ୮୨ ରନ ଇନିଂସ ବଳରେ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୮ ୱିକେଟ୍ ହରାଇ ୫୫୫ ରନର ବିଶାଳ ସ୍କୋର କରିଛି । ଡୋମିନିକ୍ ବେସ୍ ୨୮ ଓ ଜ୍ୟାକ୍ ଲିଚ୍ ୬ ରନ କରି ଖେଳୁଛନ୍ତି । ପ୍ରଥମ ଦିନ ପରି ଦ୍ୱିତୀୟ ଦିନରେ ମଧ୍ୟରେ ୱିକେଟ୍ ପାଇଁ ଭାରତୀୟ ବୋଲରଙ୍କୁ ନାକେଦମ ହେବାକୁ ପଡିଛି । ପ୍ରଥମ ଦୁଇ ଦିନରେ ଭାରତୀୟ ବୋଲର ପ୍ରଭାବହୀନ ରହିଛନ୍ତି । ଦ୍ୱିତୀୟ ଦିନ ଖେଳ ରୁଟ୍ ଓ ଷ୍ଟୋକ୍ସଙ୍କ ନାମରେ ରହିଛି । ପ୍ରଥମ ଦିନର ଅସମାପ୍ତ ଖେଳ ୩/୨୬୩ରୁ ଇଂଲଣ୍ଡ ଦ୍ୱିତୀୟ ଦିନର ବ୍ୟାଟିଂ ଆରମ୍ଭ କରିଥିଲା । ଅଧିନାୟକ ଜୋ ରୁଟ୍ ୧୨୮ ରନ କରି ଅପରାଜିତ ଥିଲେ । ସେ ବେନ ଷ୍ଟୋକ୍ସଙ୍କୁ ସାଥୀ କରି ଦଳର ସ୍କୋରକୁ ଆଗକୁ ବଢାଇଥିଲେ । ପ୍ରଥମ ଦିନରେ ଡୋମିନିକ ସିବଲିଙ୍କ ସହ ୨୦୦ ରନ ଭାଗିଦାରୀ କରିଥିବା ରୁଟ୍ ଷ୍ଟୋକ୍ସଙ୍କ ସହ ମିଶି ଭାରତର ଚିନ୍ତା ବଢାଇଥିଲେ । ପ୍ରଥମ ସେସନରେ ଦୁଇ ବ୍ୟାଟମ୍ୟାନ ଭାରତକୁ କୌଣସି ସୁଯୋଗ ଦେଇନଥିଲେ । ଉଭୟ ଚତୁର୍ଥ ୱିକେଟ୍ରେ ୧୨୪ ରନ ଯୋଡି ଦଳର ସ୍କୋରକୁ ୩୮୭ରେ ପହଞ୍ଚାଇଥିଲେ । ବେନଷ୍ଟୋକ୍ସଙ୍କୁ ଆଉଟ୍ କରି ନଦୀମ ଭାରତକୁ ଚତୁର୍ଥ ସଫଳତା ଦେଇଥିଲେ । ଷ୍ଟୋକ୍ସ ୮୨ ରନ କରି ଆଉଟ୍ ହୋଇଥିଲେ । ଟେଷ୍ଟରେ ଏହା ତାଙ୍କର ୨୩ ତମ ଅର୍ଦ୍ଧଶତକ । ଏହା ପରେ ରୁଟ୍ ଓ ଓଲି ପପଙ୍କ ମଧ୍ୟରେ ଆଉ ଏକ ଅର୍ଦ୍ଧଶତକୀୟ ଭାଗିଦାରୀ ଭାରତର ଚିନ୍ତାକୁ ଆହୁରି ବଢାଇଥିଲା । ଉଭୟ ପଞ୍ଚମ ୱିକେଟ୍ରେ ୮୬ ରନ ଯୋଡିଥିଲେ । ଓଲି ପପ ୩୪ ରନ କରି ଅଶ୍ୱିନଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ । ଜୋ ରୁଟ୍ ଦମଦାର ବ୍ୟାଟିଂ କରି ଟେଷ୍ଟ କ୍ୟାରିୟରରେ ପଞ୍ଚମ ଦ୍ୱିଶତକ ପୂରଣ କରିଥଲେ । ରୁଟ୍ ନିଜର ୨୧୮ ରନର ଇନିଂସ ଜରିଆରେ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି । ଏହା ପରେ ଦିନର ଶେଷ ସେସନରେ ହିଁ ଭାରତୀୟ ବୋଲରକୁ ସଫଳତା ମିଳିଥିଲା । ଏହି ସେସନରେ ଭାରତକୁ ୪ ସଫଳତା ମିଳିଛି । ରୁଟ୍ ୨୧୮ ରନ କରି ନଦୀମଙ୍କ ବଲ୍ରେ ଏଲବିଡବ୍ଲ୍ୟୁ ହୋଇ ପାଭିଲିୟନ ଫେରିଥିଲେ । ପରେ ଜୋସ୍ ବଟଲର(୩୦ ରନ) ଇଶାନ୍ତ ଶର୍ମାଙ୍କ ଶିକାର ହୋଇଥିଲେ । ଜୋଫ୍ରା ଆର୍ଚର ଖାତା ଖୋଲିବା ପୂର୍ବରୁ ଇଶାନ୍ତଙ୍କ ବଲ୍ରେ କ୍ଲିନ ବୋଲ୍ଡ ହୋଇଥିଲେ । ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୮ ୱିକେଟ୍ରେ ୫୫୫ ରନ କରିଛି । କ୍ରିଜରେ ଡୋମିନିକ୍ ବେସ୍ ୨୮ ଓ ଜ୍ୟାକ୍ ଲିଚ୍ ୬ ରନ କରି ଖେଳୁଛନ୍ତି । ଭାରତ ପକ୍ଷରୁ ଇଶାନ୍ତ ଶର୍ମା, ଯଶପ୍ରୀତ ବୁମରା, ରବିଚନ୍ଦ୍ରନ ଅଶ୍ୱିନ ଓ ଶାହବାଜ ନଦୀମ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି ।

Leave A Reply

Your email address will not be published.