ଚାଷୀଙ୍କ ପାଇଁ ଷ୍ଟିଲ ଲାଠି, ରାସ୍ତାରେ କଣ୍ଟା!

0 190

ନୂଆଦିଲ୍ଲୀ, ୨ ।୨: ଶକ୍ତ ହେଲା ପୁଲିସ । ଦିଲ୍ଳୀରେ ତିଆରି କଲା ଅଭେଦ୍ୟ ଦୁର୍ଗ । ରାସ୍ତାର ଉପରେ ପୁଲିସ ପୋତିଲା କଣ୍ଟା । ଆନ୍ଦୋଳନକାରୀ ଯେପରି ଦିଲ୍ଲୀରେ ପ୍ରବେଶ ନ କରିପାରିବେ ସେଥିପାଇଁ ଗାଜିପୁର ଏବଂ ଟିକ୍ରି ସୀମାରେ ୧୨ ଲେଆର ବ୍ୟାରିକେଡିଂ କରାଯିବା ସହ ତୀକ୍ଷ୍ଣ ଲୁହା ଛଡ ସାଙ୍ଗକୁ କଣ୍ଟା ପୋତାଯାଇଛି । କେବଳ ସେତିକି ନୁହେଁ ସୀମାରେ ଚାଷୀଙ୍କୁ ଅଟକାଇବା ପାଇଁ ରୋଲର ମଧ୍ୟ ଠିଆ କରାଯାଇଛି । ୨୬ ଜାନୁଆରୀ ଦିନ ଦିଲ୍ଲୀରେ ଚାଷୀଙ୍କ ହିଂସାକୁ ଦୃଷ୍ଟିରେ ରଖି ପୁଲିସ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିଛି । ଗାଜିପୁର-ଟିକ୍ରି ସୀମାରେ ରାସ୍ତା ଉପରେ ଲୁହା ଛଡ ପୋତାଯାଇଛି । କେବଳ ସେତିକି ନୁହେଁ କଣ୍ଟା ଯକ୍ତତାର ବାଡ ବିଛାଇଛି ପୁଲିସ । ଟିକ୍ରି ସୀମାର ବିଭିନ୍ନ ସ୍ଥାନରେ ୪ ଫୁଟ ମୋଟାର ଅସ୍ଥାୟୀ କଙ୍କ୍ରିଟ କାନ୍ଥ ମଧ୍ୟ ତିଆରି କରାଯାଇଛି । ଦିଲ୍ଲୀ ନିକଟସ୍ଥ ଏମସିଡି ଟୋଲ ନିକଟ ସୀମାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିବାକୁ ଯାଇ ପୁଲିସ ଶକ୍ତ ବ୍ୟାରିକେଡ ତିଆରି କରିଛି । ଦିଲ୍ଲୀ ପୋଲିସ କହିଛି ଯେ, କୌଣସି ଚାଷୀଙ୍କୁ ଏଠାରୁ ଦିଲ୍ଲୀ ଯିବାକୁ ଅନୁମତି ଦିଆଯିବ ନାହିଁ । ଏଠାରୁ ବାହାରି କୌଣସି ଚାଷୀ ଦିଲ୍ଲୀ ସୀମାରେ ପ୍ରବେଶ କରିପାରିବେ ନାହିଁ । ଅନ୍ୟପକ୍ଷରେ ଦିନକୁ ଦିନ ବଢ଼ୁଥିବା ସୁରକ୍ଷା ବ୍ୟବସ୍ଥା ଏବଂ ବ୍ୟାରିକେଡ୍ ଯୋଗୁଁ ଚାଷୀଙ୍କ ମଧ୍ୟରେ ଭୟ ବ୍ୟାପିବାରେ ଲାଗିଛି । କୃଷକ କହିଛନ୍ତି ଯେ ଦେଶର ଅନ୍ନଦାତାଙ୍କୁ ଅଟକାଇବା ପାଇଁ ଏଭଳି ବ୍ୟବସ୍ଥା କରାଯାଉଛି, ଯେପରି ଆମେ ଜଣେ କୃଷକ ନୁହଁ ବରଂ ଉପଦ୍ରବକାରୀ । ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ଅନେକ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି ବିଭିନ୍ନ କୃଷକ ସଙ୍ଗଠନ । ସରକାରଙ୍କ ସହ ବାରମ୍ବାର ଆଲୋଚନା ପରେ ବି ସେମାନେ ନିଜ ଜିଦରେ ଅଟଳ ଅଛନ୍ତି । ସେପଟେ ଚାଷୀଙ୍କ ଆନ୍ଦୋଳନକୁ ନେଇ ଏବେ ସ୍ଥାନୀୟ ଲୋକେ ମଧ୍ୟ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି । ଆନ୍ଦୋଳନସ୍ଥଳକୁ ଖାଲି କରିବା ପାଇଁ ସେମାନେ ଚାଷୀଙ୍କୁ ଜୋର ଦେଉଛନ୍ତି । ସେହିପରି ଚାଷୀଙ୍କ ଆନ୍ଦୋଳନ ବେଳେ ନିଜର ସୁରକ୍ଷା ପାଇଁ ଦିଲ୍ଲୀ ପୁଲିସ୍ ଷ୍ଟିଲର ଲାଠି ଓ ଢାଲ ପିନ୍ଧି ରାସ୍ତାରେ ଛିଡ଼ା ହୋଇଥିବା ଫଟୋ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ବିବାଦ ଉପୁଜିବାରୁ ଦିଲ୍ଲୀ ପୁଲିସ୍ ପୂରା ଘଟଣା ଉପରେ ସଫେଇ ଦେଇଛି । ଦିଲ୍ଲୀ ପୁଲିସ୍ କହିଛି ଯେ କର୍ମଚାରୀମାନଙ୍କୁ ଏଭଳି ଷ୍ଟିଲର ଲାଠି ଓ ଢାଲ ବ୍ୟବହାର କରିବାକୁ ବରିଷ୍ଠ ଅଧିକାରୀମାନେ କୌଣସି ପ୍ରକାରର ଅନୁମତି ଦେଇନାହାନ୍ତି । ପୁଲିସ୍ କର୍ମଚାରୀମାନେ ନିଜ ଆଡ଼ୁ ଏଭଳି ସୁରକ୍ଷା କବଚ ପିନ୍ଧିଛନ୍ତି । ସେହିପରି ଘଟଣାର ଖବର ମିଳିବା ପରେ ପୁଲିସ୍ କର୍ମଚାରୀମାନଙ୍କ ଠାରୁ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି । ଶାହଦାରା ଜିଲ୍ଲାରେ ମୁତୟନ ପୁଲିସ୍ କର୍ମଚାରୀମାନେ ଏପରି ଷ୍ଟିଲ ଲାଠି ଓ ଢାଲ ବ୍ୟବହାର କରିଥିଲେ । ସ୍ଥାନୀୟ ଅଞ୍ଚଳର ଜଣେ ପୁଲିସ୍ ଅଧିକାରୀ ବରିଷ୍ଠ ଅଫିସରଙ୍କ ବିନା ଅନୁମତିରେ କର୍ମଚାରୀଙ୍କ ପାଇଁ ଷ୍ଟିଲ ଲାଠି ବ୍ୟବହାର କରିବାକୁ କହିଥିଲେ । ଦିଲ୍ଲୀ ପୁଲିସ୍ ଷ୍ଟିଲର ଲାଠି ବ୍ୟବହାର କରିବା ପାଇଁ କୌଣସି ପ୍ରକାରର ଯୋଜନା କରିନି । ତେଣୁ ଏହି ଘଟଣାକୁ ଏହିଠାରେ ବନ୍ଦ କରାଯାଉ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି । ଜାନୁଆରୀ ୨୬ରେ ଆୟୋଜିତ ଟ୍ରାକ୍ଟର ରାଲି ବେଳେ ଚାଷୀ ଓ ପୁଲିସ୍ ମଧ୍ୟରେ ତୀବ୍ର ସଂଘର୍ଷ ଘଟିଥିଲା । ଏହି ସମୟରେ କିଛି ସ୍ଥାନରେ ଆନ୍ଦୋଳନକାରୀ ପୁଲିସ୍କୁ ଲାଠି ଓ ଖଣ୍ଡାରେ ଆକ୍ରମଣ କରିଥିଲେ । ଏଥିରେ ୪୦୦ରୁ ଅଧିକ ପୁଲିସ୍ କର୍ମଚାରୀ ଆହତ ବି ହୋଇଥିଲେ । ଏହି କାରଣରୁ ଦିଲ୍ଲୀ ପୁଲିସ୍ ଚାଷୀ ଆନ୍ଦୋଳନର ମୁକାବିଲା କରିବା ପାଇଁ ଷ୍ଟିଲର ଲାଠି ଓ ଢାଲ ପରିଧାନ କରିଥିବା କୁହାଯାଇଥିଲା । ଏହାର ଭିଡିଓ ଏବଂ ଫଟୋ ମଧ୍ୟ ଭାଇରାଲ ହୋଇଥିଲା ।

Leave A Reply

Your email address will not be published.