ନିମ୍ନମାନର ଛତୁଆ ବଣ୍ଟନ ଅଭିଯୋଗର ତଦନ୍ତ ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟାଙ୍କ ବରଗଡ଼ ଗସ୍ତ

0 24
ବରଗଡ଼:- ବରଗଡ଼ ଜିଲ୍ଲାର କେତେକ କେନ୍ଦ୍ରରେ ନିମ୍ନମାନର ପୋକ ବାହାରୁଥିବା ଛତୁଆ ବଣ୍ଟନ ହେଉଥିବା ଅଭିଯୋଗ ଅନୁଯାଇ ଓଏସସିପିସିଆର ଠାରେ ରୁଜୁ ହୋଇଥିବା କେସ୍ ନଂ–୯୨/୨୦୨୬ର ତଦନ୍ତ ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା ଶ୍ରୀମତୀ କଳ୍ପନା ଲେଙ୍କା ଦିନିକିଆ ବରଗଡ଼ ଜିଲ୍ଲା ଗସ୍ତରେ ଆସି କେତେକ ଅଙ୍ଗନୱାଡ଼ି ଓ ଛତୁଆ ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ କରି ପ୍ରକୃତ ସ୍ଥିତି ଅନୁଧ୍ୟାନ କରିବା ସହ ଛତୁଆର ମାନ ଯାଞ୍ଚ କରିଛନ୍ତି ।
         ଅଭିଯୋଗ ଅନୁଯାଇ ଶ୍ରୀମତୀ ଲେଙ୍କା ବରଗଡ଼ ପୌରାଞ୍ଚଳର ୱାର୍ଡ ନଂ–୧୫, ଗୋବିନ୍ଦପାଲି ସ୍ଥିତ ସୂର୍ଯ୍ୟମୁଖୀ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଛତୁଆ ପ୍ରସ୍ତୁତି କେନ୍ଦ୍ର, ପ୍ରିୟଦର୍ଶିନୀ ଛତୁଆ କେନ୍ଦ୍ର ଏବଂ ମାଷ୍ଟରଟିକ୍ରା ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରି ଛତୁଆର ଗୁଣବତ୍ତା, ସଂରକ୍ଷଣ ବ୍ୟବସ୍ଥା ଓ ବଣ୍ଟନ ପ୍ରକ୍ରିୟାର ସମୀକ୍ଷା କରିବା ସହ ସ୍ଥାନୀୟ କର୍ମଚାରୀ ଏବଂ ସଂପୃକ୍ତ ପକ୍ଷମାନଙ୍କ ସହ ଆଲୋଚନା କରିଥିଲେ।
         ଏହାପରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ସମୀକ୍ଷା କରିବା ସହ ଛତୁଆର ଗୁଣବତ୍ତା ନିୟନ୍ତ୍ରଣ, ସଂରକ୍ଷଣ, ଯୋଗାଣ ବ୍ୟବସ୍ଥା, ନିରୀକ୍ଷଣ ପ୍ରକ୍ରିୟା ଏବଂ ହିତାଧିକାରୀମାନଙ୍କୁ ନିରାପଦ ଓ ଗୁଣବତ୍ତାସମ୍ପନ୍ନ ପୂଷ୍ଟିକର ଖାଦ୍ୟ ଯୋଗାଣ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରିଶେଷରେ ସେ ତାଙ୍କ ଗସ୍ତର ଉଦ୍ଦେଶ୍ୟ ଓ ତଦନ୍ତ ସମ୍ପର୍କିତ ତଥ୍ୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ ।
        ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁଙ୍କ ସମେତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସନ୍ଧ୍ୟାରଣୀ ନେପାକ, ଡିସିପିଓ ମଞ୍ଜୁ ଇକା, ବରଗଡ଼ ସାଂସଦ ପ୍ରତିନିଧି ଲିପ୍ସିତ ମିଶ୍ର, ସହରାଞ୍ଚଳ ସିଡିପିଓ ରେଣୁକା ଷଡ଼ଙ୍ଗୀ, ପିଓ-କମ୍-ସୁପରିଣ୍ଟେଣ୍ଡେଣ୍ଟ ମଙ୍ଗଳିକା ଦାଶ, ଜିଲ୍ଲାର ସମସ୍ତ ସିଡିପିଓ, ଡିସିପିୟୁ ସମାଜକର୍ମୀ ସୁରେନ୍ଦ୍ର ଦାଶ, ଚାଇଲ୍ଡ ହେଲ୍ପଲାଇନ୍ ସଂଯୋଜକ ସଞ୍ଜୟ ଶତପଥି, ବରଗଡ଼ ଶିଶୁ କଲ୍ୟାଣ ସମିତି ଓ ଡିସିପିୟୁର କର୍ମଚାରୀ ବୃନ୍ଦ ଏବଂ ଏଏସଆଇ ଭଗତ ସିଂହ ମାଝୀ ଓ ଟାଉନ ଥାନାର କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ ।
Leave A Reply

Your email address will not be published.