ଭୁବନେଶ୍ୱର, : ଦରଦାମ୍ ନିୟନ୍ତ୍ରଣରେ ରଖିବା ଲାଗି କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ଦୀର୍ଘଦିନ ଲଢ଼େଇ କରିବା ପରେ ଯେଉଁ ସଫଳତା ପାଇଛନ୍ତି, ସେଥିପ୍ରତି ଚିନି ଏକ ବଡ଼ ବିପଦ ଭାବେ ଉଭା ହୋଇଛି । ଉତ୍ପାଦନ
କମିବାରୁ ମାସକ ଭିତରେ ଦେଶରେ ଚିନି କେଜି ୬.୫ ପ୍ରତିଶତ ମହଙ୍ଗା ହୋଇଛି । ଆଗକୁ ଦାମ୍ ଆହୁରି ବଢ଼ିବା
ଆଶଙ୍କା କରାଯାଉଛି । ଚିନି ଦରବୃଦ୍ଧିର ପ୍ରତିଫଳନ ଓଡ଼ିଶା ବଜାରରେ ମଧ୍ୟ ଦେଖିବାକୁ ମିଳିଛି । ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡାଙ୍କ ସୂଚନା ଅନୁଯାୟୀ ମାସକ ଭିତରେ ରାଜ୍ୟର ଖୁଚୁରା ବଜାରରେ ଚିନି କେଜି ୫ ଟଙ୍କା ମହଙ୍ଗା ହୋଇଛି । ପୂର୍ବରୁ କେଜି ୪୫ ଟଙ୍କା ଥିଲା । ଏବେ ତାହା ୫୦ ଟଙ୍କା ପାଖାପାଖି ବିକ୍ରି ହେଉଛି । ପାଇକାରୀ ବଜାରରେ ଚିନି କ୍ୱିଣ୍ଟାଲ ଦାମ୍ ୩୯୫୦ ଟଙ୍କା ଥିଲା । ସେହି ଦାମ୍ ବୃଦ୍ଧି ପାଇ ୪୩୦୦ ଟଙ୍କା ପାଖାପାଖି ହୋଇଯାଇଛି । ଅର୍ଥାତ ଦାମରେ କ୍ୱିଣ୍ଟାଲ ପିଛା ୩୫୦ ଟଙ୍କାର ବୃଦ୍ଧି ଘଟିଛି । ଚିନି ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ରୂପେ ବାହାର ରାଜ୍ୟ ଉପରେ ର୍ନିଭରଶୀଳ କହିଲେ ସମ୍ପୂର୍ଣ୍ଣ ଭୁଲ ହେବ ନାହିଁ । କାରଣ ନିଜ ଆବଶ୍ୟକତାର ମାତ୍ର ୫ ପ୍ରତିଶତ ଚିନି
ରାଜ୍ୟରେ ଉତ୍ପାଦନ ହେଉଛି । ୯୫ ପ୍ରତିଶତ ବାହାରୁ ମଗାଇବାକୁ ପଡ଼ୁଛି । ଗଞ୍ଜାମର ଆସ୍କା, କଳାହାଣ୍ଡି, ନୟାଗଡ଼ରେ ଥିବା ଚିନି କଳ ବନ୍ଦ ରହିଛି । ଢେଙ୍କାନାଳରେ ଥିବା ଶକ୍ତି ସୁଗାରରୁ ଯାହା କିଛି ଉତ୍ପାଦନ ହେଉଛି । ଓଡ଼ିଶାରେ ବର୍ଷକୁ ୯.୫- ୧୦ ଲକ୍ଷ ଟନ୍ ଚିନି ଦରକାର ହେଉଛି । ଦେଶରେ ଖରାପ ପାଣିପାଗ ଦ୍ୱାରା ଆଖୁ ଚାଷ ପ୍ରଭାବିତ ହେବା ଏବଂ ଦୀର୍ଘ ୨ ବର୍ଷ ବ୍ୟବଧାନ ପରେ ଚିନି ରପ୍ତାନି ପାଇଁ ଅନୁମତି ଦିଆଯିବାରୁ ବଜାରରେ ଚିନି ଯୋଗାଣ କମ୍ ହୋଇଛି । ତାହାର ପ୍ରଭାବରେ ଦାମ୍ ବଢ଼ିଛି । ବହୁଳ ଭାବେ ବ୍ୟବହାର ହେଉଥିବା ମହାରାଷ୍ଟ୍ର ଚିନିର ଏକ୍ସ-ମିଲ୍ ଦାମ୍ ଯାହା ଦୁଇ ମାସ ପୂର୍ବେ କ୍ୱିଣ୍ଟାଲ ପିଛା ୩୩୮୦ ଟଙ୍କା ଥିଲା ତାହା ଏବେ ୩୭୯୦ ଟଙ୍କାକୁ ବୃଦ୍ଧି ପାଇଛି । ମାସକ ତଳେ ତାହାର ଦାମ୍ କ୍ୱିଣ୍ଟାଲ ପିଛା ୩୫୬୫ ଟଙ୍କା ଥିଲା । ଦୁଇ ମାସ ଭିତରେ ଚିନି ମୂଲ୍ୟ ୧୨ ପ୍ରତିଶତ ବିଗିଲାଣି । ଆଖୁ ଅଭାବ
ଦେଖାଦେବାରୁ ଚିନି କଳ ଗୁଡ଼ିକ ଆଗୁଆ ବନ୍ଦ ହୋଇଛି । ଭାରତରେ ସାଧାରଣତଃ ଅକ୍ଟୋବରରୁ ମେ\’ ମାସ ପର୍ଯ୍ୟନ୍ତ ୪-୬ ମାସ ଲାଗି ଚିନି କଳଗୁଡ଼ିକ ଚାଲିଥାଏ । ଏଥର ସେଗୁଡ଼ିକ ଆଗୁଆ ବନ୍ଦ ହୋଇଛି । ଗତବର୍ଷ ୫୦୫ଟି ଚିନି କଳ
ଚାଲୁଥିଲା । ଏଥର ମାତ୍ର ୪୫୪ଟି ଚିନି କଳ ଚାଲିଛି । ୭୭ଟି କଳ ବନ୍ଦ ହୋଇଛି । ତେଣୁ ଏବେ କେବଳ ୩୭୭ଟି ଚିନି କଳରେ ଉତ୍ପାଦନ ହେଉଛି । ବନ୍ଦ ହୋଇଥିବା ଅଧିକାଂଶ ଚିନି କଳ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ରହିଛି । ୨୦୨୪- ୨୫ରେ ଚିନି ଉତ୍ପାଦନ କମ୍ ରହିବା ନେଇ ବିଭିନ୍ନ ସଂସ୍ଥା ଆକଳନ କରୁଛନ୍ତି । ଚଳିତ ମାସ ୧୫ ସୁଦ୍ଧା ଚିନି ଉତ୍ପାଦନ ପରିମାଣ ୧୯୭.୬୫ ଲକ୍ଷ ଟନ୍ ରହିଛି ଯାହା ଗତବର୍ଷ ତୁଳନାରେ ୨୭.୧୦ ଟନ୍ କମ୍ ।
ଚିନି ଉତ୍ପାଦନ କମ୍ ହେବାରୁ ପ୍ରତିଫଳନ ଓଡ଼ିଶା ବଜାରରେ ମହଙ୍ଗାମାଡ
Prev Post
Next Post