ପାରଳାଖେମଣ୍ଡି, : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ କେରାଣ୍ଡି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଆରକ୍ଷୀ ଅଧିକ୍ଷକ
ଯତୀନ୍ଦ୍ର କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଏହି ମିଳିତ ଜନଅଭିଯୋଗ ଶୁଣାଣିରେ ଯୋଗଦାନ କରି କରାଣ୍ଡି ଗ୍ରାମ ପଞ୍ଚାୟତ ସମେତ ଗଙ୍ଗାବାଡ଼, ଲକ୍ଷ୍ମୀପୁର ଓ କଇଁପୁର ପଞ୍ଚାୟତର ସମୁଦାୟ ମୋଟ-୧୦୨ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା୬୩ଟି, ଗ୍ରାମ ଭିତ୍ତିକ ସମସ୍ୟା- ୩୯ ଓ ୨ଟି ଅଭିଯୋଗକୁ ତୁରନ୍ତ ସମାଧାନ କରାଯାଇଛି । ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ପ୍ରଧାନମନ୍ତ୍ରୀ ଆବାସୀ ଯୋଜନା, ସାମାଜିକ ସୁରକ୍ଷା, ଜମି ପଟ୍ଟା, ମନରେଗା, ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା, ଜଳ ସେଚନ, ସ୍ୱାସ୍ଥ୍ୟ ଓ ରାସ୍ତା ସମସ୍ୟା ବୋଲି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା । ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନଅଭିଯୋଗ ଶୁଣାଣି ସମୟରେ ରାୟଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ଉପଅଧ୍ୟକ୍ଷ । ଜ୍ୟୋତି ପ୍ରସାଦ ପାଣି, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ । ସୁଧୀର ସିଂ, ତହସିଲଦାର ସୁକାନ୍ତ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମହମ୍ମଦ ଅଲ୍ଲୀ, ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ସନ୍ତୋଷ ନାୟକ ସ୍ଥାନୀୟ ସରପଞ୍ଚ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଗଣ ଅଭିଯୋଗ ଶୁଣାଣିରେ ଉପସ୍ଥିତ ଥିଲେ ।