ରିସର୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୬୬ଜଣ ଜୀବନ୍ତ ଦଗ୍ଧ

0 133

ଚାରିଆଡ଼େ ବରଫର ପାହାଡ଼ । ଏହା ଉପରେ ରହିଛି ହୋଟେଲ । ପାହାଡ଼ ଉପରେ ଥିବା ହୋଟେଲରେ ରହି ପୂରା ତୁଷାରପାତର ମଜା ନେଉଥିଲେ ଲୋକ । ରାତିରେ ମଧ୍ୟ ସେହି ହୋଟେଲରେ ରହିଥିଲେ । କିନ୍ତୁ ରାତିରେ ଶୋଇବାକୁ ଯାଇଥିବା ୬୬ ଜଣ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ହୋଟେଲର ରେଷ୍ଟୁରାଣ୍ଟରୁ ଆରମ୍ଭ
ହୋଇଥିବା ନିଆଁ ରିସର୍ଟରେ ରହୁଥିବା ୬୬ ଜଣଙ୍କ ଜୀବନର ଦୀପକୁ ସବୁଦିନ ପାଇଁ ଲିଭାଇ ଦେଇଛି । ନିଆଁ ଓ ଧୂଆଁରେ ୬୩ ଜଣ ପ୍ରାଣ ହରାଇଛନ୍ତି । ସେହିପରି ନିଆଁକୁ ଦେଖି ଭୟରେ ହୋଟେଲର ଝରକା ପଟେ ବାହାରକୁ ଡେଇଁ ପଡ଼ିଥିବା ଆଉ ୩ ଜଣଙ୍କ ମଧ୍ୟ ଜୀବନ ଯାଇଛି । ଏହି ଘଟଣାରେ ବାକି ୫୧ ଜଣ ଆହତ ହୋଇଛନ୍ତି । ତୁର୍କୀର
ଉତ୍ତରପଶ୍ଚିମ ଦିଗରେ ଥିବା ଗୋଟିଏ ହୋଟେଲରେ ଏପରି ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି । ତୁର୍କୀର ବୋଲୁ ପ୍ରଦେଶର କାର୍ତାଲକୟା ଠାରେ ରହିଛି ୧୨ ମହଲା ବିଶିଷ୍ଟ ଗ୍ରାଣ୍ଡ କର୍ତାଲ ହୋଟେଲ । ଏହି ହୋଟେଲଟି ପାହାଡ଼ ଉପରେ ଅବସ୍ଥିତ । ଏହାର ଚାରିପଟକୁ ଏକାଧିକ ପାହାଡ଼ ଘେରି ରହିଛି । ସେହିପରି ତୁଷାରପାତ ମଧ୍ୟ ହୋଇଥାଏ । ଉକ୍ତ ହୋଟେଲରେ ୨୩୪ ଜଣ ଲୋକ ରହିଥିଲେ । ସେମାନେ ଦିନ ତମାମ ସୁନ୍ଦର ପରିବେଶକୁ ଉପଭୋଗ କରି
ରାତିରେ ଶୋଇବାକୁ ଚାଲି ଯାଇଥିଲେ । କିନ୍ତୁ ରାତି ୩.୩୦ରେ ଘଟିଥିଲା ଅଘଟଣ । ହଠାତ ହୋଟେଲର ରେଷ୍ଟୁରାଣ୍ଟରେ ଲାଗି ଯାଇଥିଲା ନିଆଁ । ଚାହୁଁଚାହୁଁ ନିଆଁ ହୋଟେଲକୁ ବ୍ୟାପି ଯାଇଥିଲା । ଏଥିଯୋଗୁ ୬୬ ଜଣ ପ୍ରାଣ ହରାଇଛନ୍ତି । ସେହିପରି ଆଉ ୫୧ ଜଣ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିଆଁକୁ
ଦେଖି କିଛି ଲୋକ ହୋଟେଲର ଝରକା ଦେଇ ଭୟରେ ତଳକୁ ଡେଇଁ ପଡ଼ିଥିଲେ । ଫଳରେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ଆଉ କିଛି ଜଣ ଆହତ ହୋଇଥିଲେ । ନିଆଁ ଲିଭା କାର୍ଯ୍ୟରେ ୩୦ଟି ଗାଡ଼ି ନିୟୋଜିତ ହୋଇଥିବା ବେଳେ ଗୁରୁତରମାନଙ୍କୁ ହସ୍ପିଟାଲ ପଠାଇବା ପାଇଁ ୨୮ଟି ଆମ୍ବୁଲାନ୍ସର ବ୍ୟବହାର କରାଯାଇଥିଲା । ଗ୍ରାଣ୍ଡ କର୍ତାଲରେ ନିଆଁ ଲାଗିଥିଲେ ହେଁ ଆଖପାଖ ଅଞ୍ଚଳରେ ଥିବା ଅନ୍ୟ ହୋଟେଲରୁ ମଧ୍ୟ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ଆଭ୍ୟନ୍ତରୀଣ ମନ୍ତ୍ରୀ ଅଲୀ ୟେରଲିକାୟା କହିଛନ୍ତି, ବିଳମ୍ବିତ ରାତିରେ ରେଷ୍ଟୁରାଣ୍ଟରେ ଲାଗିଥିବା ନିଆଁ ହୋଟେଲକୁ ବ୍ୟାପିଥିଲା । ନିଆଁ ଲିଭା କାର୍ଯ୍ୟରେ ୨୬୭ ଜଣ ଲୋକ ନିୟୋଜିତ ହୋଇଥିଲେ । ବିଭିନ୍ନ ସରକାରୀ ସଂସ୍ଥା ସହ ସଂଗଠନର ସଦସ୍ୟମାନେ ବି ନିଆଁ ଲିଭାଇବାରେ ସହାୟତା କରିଥିଲେ । ତୁର୍କୀର ରାଜଧାନୀ ଅଙ୍କାରା ଠାରୁ ୧୦୦ କିମି ଦୂରରେ ହୋଟେଲଟି ରହିଛି । ୪ର୍ଥ ମହଲାରେ ଥିବା ରେଷ୍ଟୁରାଣ୍ଟରୁ ଆରମ୍ଭ ହୋଇଥିବା ନିଆଁ ପୂରା ହୋଟେଲକୁ ମାତ୍ର କିଛି ସେକେଣ୍ଡ ମଧ୍ୟରେ ବ୍ୟାପୀ ଯାଇଥିଲା । ହୋଟେଲର ଛାତ ଓ ଉପର ମହଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ତେଣୁ ତଳ ମହଲାରେ ଥିବା ଲୋକମାନେ ସୁରକ୍ଷିତ ଭାବେ ବାହାରକୁ ଚାଲି ଆସିବାକୁ ସକ୍ଷମ ହୋଇଥିଲେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.