କେନ୍ଦୁଝର,: କେନ୍ଦୁଝର ଜିଲ୍ଲା ପାଟଣା ବୈତରଣୀ ନଦୀରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପାଟଣା ବୈତରଣୀ ନଦୀର ଅନୁସୟା ଘାଟରେ ମକର ସ୍ନାନ କରି ଦେବ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ । ପବିତ୍ର ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ମୁଖ୍ୟାଳୟ ଦେଇ ପ୍ରବାହିତ ପୁଣ୍ୟତୋୟା ବୈତରଣୀ ନଦୀରେ ମକର ସ୍ନାନ କରିଛନ୍ତି । ସ୍ନାନ ପରେ ପ୍ରଥମେ ପାଟଣା ବୈତରଣୀ ନଦୀ ସନ୍ନିକଟ ପରମେଶ୍ୱର ମହାଦେବଙ୍କ ଦର୍ଶନ ପରେ ପୁରାତନ ଆନନ୍ଦେଶ୍ୱର ମହାଦେବ ଦର୍ଶନ କରି ବ୍ରାହ୍ମଣଙ୍କ ଦ୍ୱାରା ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ଜଳାଭିଷେକ କରିଛନ୍ତି । ଏଠାରୁ ମୁଖ୍ୟମନ୍ତ୍ରୀ ସଡ଼କ ପଥରେ ଯାଇ ଚାକୁଣ୍ଡାପାଳ ପଞ୍ଚାୟତ ଶ୍ୟାମ ସୁନ୍ଦରପୁର ଗ୍ରାମର ବିଜେପି କାର୍ଯ୍ୟକର୍ତ୍ତା ହରିହର ମହାନ୍ତଙ୍କ ଘରେ ମକର ପିଠା ଖାଇଥିଲେ । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ସଦର ବିଧାୟକ ଥିବା ବେଳେ ପାଟଣା ମୁଖ୍ୟାଳୟ ବୈତରଣୀ ନଦୀର ଅନୁସୟା ଘାଟରେ
ମକର ବୁଡ ପକାଇଥିଲେ । ପ୍ରତିବର୍ଷ ସେ ମକର ସଂକ୍ରାନ୍ତିରେ ଦ୍ୱିତୀୟ ଗଙ୍ଗା ପାଟଣା ବୈତରଣୀ ନଦୀରେ ବୁଡ ପକାନ୍ତି । ଚଳିତ ବର୍ଷ ସେ ମୁଖ୍ୟମନ୍ତ୍ରୀ ହେବା ପରେ ବି ନିଜ ସଂସ୍କୃତିକୁ ନ ଭୂଲି ବୈତରଣୀରେ ବୁଡ ପକାଇବା ନିଷ୍ପତ୍ତିକୁ କେନ୍ଦୁଝର ବାସି ସ୍ୱାଗତ କରିଛନ୍ତି ।