ନୂଆଦିଲ୍ଲୀ, : ଭାରତକୁ ପୁଣି ଡରାଇବା ଆରମ୍ଭ କରିଛି ଚାଇନାରେ ଆତଙ୍କ ଖେଳାଇଥିବା ଏଚଏମପିଭି ଭାଇରସ । କରୋନା ଭଳିଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରୁଥିବା ଏହି ଭାଇରସରେ ଭାରତରୁ ୩ ଜଣ ଚିହ୍ନଟ ହୋଇସାରିଲେଣି । ବେଙ୍ଗାଲୁରୁରେ ୨ ଜଣ ନବଜାତକଙ୍କ ନମୁନାରୁ ଏହି ଭାଇରାସ ଠାବ ହୋଇଛି । ସେହିପରି ଗୁଜରାଟରେ ଜଣଙ୍କ ରିପୋର୍ଟ ପଜିଟିଭି ଆସିଛି । ଦେଶରୁ ୩ଟି ଏଚଏମପିଭି ଆକ୍ରାନ୍ତ ହେବାରୁ ବିଭିନ୍ନ ରାଜ୍ୟ ପକ୍ଷରୁ ସ୍ୱାସ୍ଥ୍ୟଗତ ମାର୍ଗଦର୍ଶିକା ଜାରି କରାଯାଇଛି । କର୍ଣ୍ଣାଟକା ସରକାର ଭିଡ଼ ସ୍ଥାନରେ ମାସ୍କ ଲଗାଇବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ରାଜ୍ୟର ସମସ୍ତ ହସ୍ପିଟାଲକୁ ସବୁ ପ୍ରକାରର ପରିସ୍ଥିତିର ସାମ୍ନା କରିବାକୁ କହିଛନ୍ତି । ନମୁନା ପରୀକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି । ସେହିପରି କର୍ଣ୍ଣାଟକାରେ ଥିବା ଦିଲ୍ଲୀ ପବ୍ଲିକ ସ୍କୁଲ ପକ୍ଷରୁ ସର୍ଭେଲାନ୍ସକୁ ଜୋରଦାର କରିଛି । ସମାନ୍ୟ କାଶ, କଫ, ଥଣ୍ଡା କିମ୍ବା ତଣ୍ଟି ଜନିତ ସମସ୍ୟା ରହିଥିବା ପିଲାମାନଙ୍କୁ ସ୍କୁଲ ନ ପଠାଇବାରୁ କର୍ତ୍ତୃପକ୍ଷ ବାପା ମା\’ଙ୍କୁ ଅନୁରୋଧ କରିଛନ୍ତି । ଶ୍ରେଣୀ ଶିକ୍ଷକମାନଙ୍କୁ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୁଜରାଟ ସରକାର ମଧ୍ୟ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା ଜାରି କରିଛନ୍ତି । ରାଜସ୍ଥାନରୁ ଚିକିତ୍ସା ପାଇଁ ଅହମଦାବାଦ ଆସିଥିବା ଗୋଟିଏ ଛୋଟ ପିଲାର ନମୁନାରୁ ଏଚଏମପିଭି ଭାଇରାସ ଠାବ ହୋଇଛି । ଏହାପରେ ସରକାର ହସ୍ପିଟାଲଗୁଡ଼ିକୁ ଷ୍ଟାଣ୍ଡବାଇରେ ରହିବାକୁ କହିଛନ୍ତି । ସେହିପରି ଆରଟି-ପିସିଆର କିଟ କିଣିବା ସହ ଲକ୍ଷଣ ଥିବା ଲୋକଙ୍କ ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି । ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ଏଚଏମପିଭି
ଭାଇରସ ଯୋଗୁ ଲୋକେ ଆତଙ୍କିତ ହୋଇଛନ୍ତି । ଶ୍ୱାସକ୍ରିୟା ଜନିତ ମାମଲା ବିବାର ଆଶଙ୍କା ଥିବାରୁ ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ୱାଜ ସମସ୍ତ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ କହିଛନ୍ତି । ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ସେ ଯୁଦ୍ଧକାଳୀନ ଭିତ୍ତିରେ କାମ କରିବାକୁ ପରାମର୍ଶ ଦେଇଛନ୍ତି ।