ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ: ୧୦୯ରେ ଅଲ ଆଉଟ୍‌

0 222

ପୂର୍ବ ୨ଟି ଟେଷ୍ଟରେ କଙ୍ଗାରୁ ଦଳ ଅଷ୍ଟ୍ରେଲିଆକୁ ନାକରେ ପାଣି ପିଆଇଥିବା ଟିମ ଇଣ୍ଡିଆ ଆଜି ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଦୁର୍ବଳ ପ୍ରଦର୍ଶନ କରିଛି। ମ୍ୟାଚ୍‌ ଆରମ୍ଭରୁ ଟିମ୍‌ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ଅଷ୍ଟ୍ରେଲିଆର ଯାଦୁକରୀ ବୋଲିଂ ଆଗରେ ଭାରତୀୟ ବ୍ୟାଟ୍‌ମ୍ୟାନ୍‌ ମାନେ ଚକମା ଖାଇଛନ୍ତି। ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉ ଥିବା ଏହି ମ୍ୟାଚରେ ଆରମ୍ଭରୁ ଟିମ୍‌ ଇଣ୍ଡିଆର ହତାଶାଜନକ ପ୍ରଦର୍ଶନ କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଛି। ବର୍ଡର୍‌ ଗାଭାସ୍କର୍‌ ଟ୍ରଫିର ତୃତୀୟ ଟେଷ୍ଟ୍‌ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମ ଦିନର ଅଧାରୁ ମାତ୍ର ୧୦୯ରେ ଅଲ ଆଉଟ୍‌ ହୋଇଛି। ମ୍ୟାଚ ଆରମ୍ଭ ହେବାର ଘଣ୍ଟାଏ ମଧ୍ୟରେ ଭାରତ ୫ଟି ଉଇକେଟ ହରାଇଥିଲା। ମାଥ୍ୟୁ କୁହ୍ନେମାନ ଏକାକି ୫ଟି ଉଇକେଟ, ନାଥନ୍ ଲାୟନ ୩ଟି ଏବଂ ଟଡ୍‌ ମର୍ଫି ଗୋଟିଏ ଉଇକେଟ ହାସଲ କରି ଭାରତ ରନ୍‌ ସ୍କୋରକୁ ୧୦୯ରେ ସୀମିତ ରଖିଛନ୍ତି। ବିରାଟ କୋହଲି ସର୍ବାଧିକ ୨୨ ରନ୍‌ କରିଥିବା ବେଳେ ଅଧିନାୟକ ରୋହିତ ଶର୍ମା ମାତ୍ର ୧୨ ରନ୍‌ କରିଛନ୍ତି। ଟସ ଜିତି ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ କଙ୍ଗାରୁ ଦଳର ସ୍ପିନ୍‌ ଆଟାକରେ ଖେଳ ଆରମ୍ଭରୁ ଭାରତୀୟ ଖେଳାଳିମାନେ ଧରାଶାୟୀ ହୋଇଥିଲେ। ଏମିତି କି ଅଷ୍ଟ୍ରେଲିଆ ବୋଲରମାନଙ୍କୁ ସାମ୍ନା କରିବା ପାଇଁ ଖେଳାଳିମାନଙ୍କର ସାହସ୍‌ ନଥିବା ଭଳି ମନେ ହୋଇଥିଲା। ମ୍ୟାଚ ଆରମ୍ଭ ହେବାର ଏକ ଘଣ୍ଟା ମଧ୍ୟରେ ଭାରତ ୫ଟି ଉଇକେଟ ହରାଇବା ପରେ ବ୍ୟାଟିଂ ମେରୁଦଣ୍ଡ ଦୋହଲି ଯିବା ପରେ ଆଉ ୫ଟି ଉଇକେଟର ତୁରନ୍ତ ପତନ ଘଟିଥିଲା। ରୋହିତ ଶର୍ମା (୧୨), ଶୁଭମାନ ଗିଲ (୨୧), ଚେତେଶ୍ୱର ପୂଜାରା (୧), ରବିନ୍ଦ୍ର ଜାଡେଜା (୪) ଏବଂ ଶ୍ରେୟାସ ଆୟର (୦) କରି ପାଭିଲିୟନକୁ ଫେରିଛନ୍ତି।

Leave A Reply

Your email address will not be published.