ଘନେଇଲା ବାତ୍ୟା ଭୟ

0 179

ଭୁବନେଶ୍ୱର, ୯ା୧୦(ଡିକେ ନ୍ୟୁଜ): ଅକ୍ଟୋବରରେ ବାତ୍ୟା ଭୟ । ଆଣ୍ଡାମାନ୍‌ ସାଗରରେ ପଡ଼ିବ ମୂଳଦୁଆ । ୧୭ରୁ ୧୯ ତାରିଖ ମଧ୍ୟରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହା ଘନୀଭୂତ ହୋଇ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ବୋଲି ଆମେରିକାର ଜିଏଫଏସ୍‌ ମଡେଲ ଏପରି ଆକଳନ କରିଛି । ଏହା ଲଘୁଚାପ ରୂପ ନେଇ ଉତ୍ତର ପଶ୍ଚିମ ଦିଗକୁ ମୁହାଁଇବ । ବାତ୍ୟା ନେଇ ଅନୁକୂଳ ରହିଛି ବାତାବରଣ । ଆମେରିକାର ଜିଏଫ୍‌ଏସ୍‌ ମଡେଲର ଆକଳନ ପରେ ଓଡ଼ିଶାକୁ ପୁଣି ବାତ୍ୟା ଭୟ ଦେଖାଦେଇଛି । ବାତ୍ୟା ପାଇଁ ପାଗ ଅନୁକୂଳ ସହ ସମୁଦ୍ର ତାପମାତ୍ରା ୩୦ଡିଗ୍ରୀ ଉପରେ ରହିବ ବୋଲି ଆକଳନ କରାଯାଇଛି । ଫଳରେ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି । କେବଳ ଆମେରିକାର ଜିଏଫଏସ୍‌ ମଡେଲ ବ୍ୟତୀତ ଅନ୍ୟ କୌଣସି ମଡେଲ ଏଯାଏ ବାତ୍ୟା ହେବ ବୋଲି କହିନାହାନ୍ତି । ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମୟରେ ପାଗ କେତେ ଅନୁକୂଳ ହେଉଛି ଏବଂ ଚାପ କେତେ ସୃଷ୍ଟି ହେଉଛି ଦେଖିବା ପରେ ବାତ୍ୟାର ତୀବ୍ରତା ଜଣାପଡ଼ିବ । ତେବେ ୨୦ ତାରିଖ ମଧ୍ୟରେ ଚିତ୍ର ସ୍ପଷ୍ଟ ହେବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଅପରପକ୍ଷରେ ଆଇଏମ୍‌ଡିର ପୂର୍ବାନୁମାନ ଅନୁସାରେ ୨୧ ତାରିଖ ପୂର୍ବରୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ଗୁରୁବାର ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର(ଆଇଏମଡି) ବିସ୍ତୃତ ପୂର୍ବାନୁମାନ ଜାରି କରିଥିଲା । ଏଥିରେ ଅକ୍ଟୋବର ମାସ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ ସାଗରରେ ୧୩ରୁ ୧୯ ତାରିଖ ଭିତରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି କୁହାଯାଇଛି । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ହୋଇ ଆନ୍ଧ୍ରପ୍ରଦେଶ ଉପକୂଳକୁ ଗତି କରିବ ବୋଲି ଆକଳନ କରାଯାଇଛି । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ୧୭ ତାରିଖରେ ଦକ୍ଷିଣ ଥାଇଲାଣ୍ଡ ଉପକୂଳ ଓ ସଂଲଗ୍ନ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହୁଛି । ମଡେଲ କହୁଛି, ଏହା ତାମିଲନାଡୁ ଉପକୂଳକୁ ମୁହାଁଇବ । ଓଡ଼ିଶାରେ ଏହାର ପ୍ରଭାବ ରହିବ ଓ ଭଲ ବର୍ଷିବ । ୱିଣ୍ଡି ଡଟ୍‌ କମ୍‌ର ଜିଏଫଏସ୍‌ ମଡେଲ ଦର୍ଶାଇଛି, ୧୭ତାରିଖରେ ଆଣ୍ଡାମାନର ପୂର୍ବ ଉପକୂଳରେ ଏକ ଲଘୁ·ପ ସୃଷ୍ଟି ହେବ । ଏହା ଥାଇଲାଣ୍ଡ ଆଡ଼କୁ ପଳାଇବ । ଓଡ଼ିଶା ଉପରେ ଏହାର ପ୍ରଭାବ ନାହିଁ । ପ୍ରଫେସର ପଶୁପାଳକ ଆହୁରି କହିଛନ୍ତି, ଏବେ ଦକ୍ଷିଣ ବଙ୍ଗୋପସାଗରରେ ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ୧୨ ତାରିଖ ଯାଏ କମ୍‌ ବର୍ଷା ହେବ । ଆଜି ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ସଂଲଗ୍ନ ଉପକୂଳ ଅଞ୍ଚଳରେ ସ୍ୱଳ୍ପ ବର୍ଷା ହେବ । ଆଭ୍ୟନ୍ତରୀଣ ଦକ୍ଷିଣରେ ବର୍ଷା ସମ୍ଭାବନା ନାହିଁ । ଆଭ୍ୟନ୍ତରୀଣ ଉତ୍ତରରେ ୧୧ ତାରିଖ ଯାଏ ହାଲୁକା ବର୍ଷା ହୋଇପାରେ । ୧୪ରେ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ୧୭ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ । ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଗଜପତି, ଗଞ୍ଜାମ ଓ ପୁରୀର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି ।

Leave A Reply

Your email address will not be published.