ନୂଆଦିଲ୍ଲୀ, ୨୫ ।୪ : ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ମୋହନ୍ ଏମ୍ ଶାନ୍ତନାଗୌଡାରଙ୍କ ପରଲୋକ ହୋଇଛି । ଶନିବାର ବିଳମ୍ବିତ ରାତିରେ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ଗତ କିଛିଦିନ ତଳେ ଜଷ୍ଟିସ ଶାନ୍ତନାଗୌଡାରଙ୍କ ଫୁସଫୁସ ସଂକ୍ରମଣ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଥିସହ ସେ ଭାଇରାଲ ନିମୋନିଆରେ ମଧ୍ୟ ପୀଡିତ ଥିଲେ । ତାଙ୍କର ଅବସ୍ଥା ଗୁରୁତର ହେବାରୁ ଗତ କିଛି ଦିନ ହେବ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଥିଲା । ଶନିବାର ସନ୍ଧ୍ୟାରେ ତାଙ୍କର ଅବସ୍ଥା ଭଲ ଥିଲା । ହେଲେ ପରେ ବିଳମ୍ୱିତ ରାତିରେ ଅର୍ଥାତ୍ ୧୨.୩୦ରେ ତାଙ୍କର ପରଲୋକ ହୋଇଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି । ପରେ ପରିବାର ଲୋକଙ୍କୁ ତାଙ୍କ ମୃତ୍ୟୁ ନେଇ ଖବର ଦିଆଯାଇଥିଲା । ତେବେ ସେ କରୋନା ସଂକ୍ରମଣ ହୋଇଥିଲା କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନି । ବିଚାରପତି ଶାନ୍ତନାଗୌଡାରଙ୍କ ମୃତଦେହକୁ ବେଙ୍ଗାଲୁରୁ ସ୍ଥିତ ତାଙ୍କ ରାଜଜୀ ନାଗର ବାସଭବନକୁ ନିଆଯାଇଛି । ସେଠାରେ ତାଙ୍କ ଶେଷ ରୀତିନୀତି କରାଯିବ । ସୂଚନା ମୁତାବକ ୧୭ ଫେବୃୟାରୀ ୨୦୧୭ରେ ତାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ଦିଆଯାଇଥିଲା । ୧୯୫୮ରେ ମେ ୫ରେ କର୍ଣ୍ଣାଟକରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ୍ ଶାନ୍ତନାଗୌଡାର ।