ନୂଆଦିଲ୍ଲୀ : କୋଭିଡ୍-୧୯ ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ଆକ୍ରମଣରେ ବେହାଲ ଦିଲ୍ଲୀକୁ ସହାୟତାର ହାତ ବଢାଇଛି ଓଡ଼ିଶା । ଦିଲ୍ଲୀରେ ଅମ୍ଳଜାନ ଅଭାବ କାରଣରୁ ହସ୍ପିଟାଲରେ ରୋଗୀଙ୍କ ଅବସ୍ଥା ସାଂଘାତିକ ହୋଇଛି । ଏହା ଭିତରେ ଓଡ଼ିଶା ଦିଲ୍ଲୀକୁ ଅମ୍ଳଜାନ ଯୋଗାଇ ଦେବ ବୋଲି ଘୋଷଣା କରିଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ ।
ଅରବିନ୍ଦ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଅରବିନ୍ଦ ଟ୍ୱିଟ୍ରେ ଲେଖିଛନ୍ତି ଯେ, କିଛି ସମୟ ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋନ୍ କଲ ମୁଁ ଗ୍ରହଣ କରିଥିଲି । ଦିଲ୍ଲୀକୁ ଆବଶ୍ୟକ ଅମ୍ଳଜାନ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରସା ଦେଇଛନ୍ତି । ଏଥିପାଇଁ ସେ ଜଣେ ଅଧିକାରୀଙ୍କୁ ବିଶେଷ ଭାବେ ନିଯୁକ୍ତ କରିଛନ୍ତି । ଧନ୍ୟବାଦ ସାର୍ । ଦିଲ୍ଲୀ ଆପଣଙ୍କ ପାଖରେ ଋଣି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଦେଶର ବିଭିନ୍ନ ସ୍ଥାନରେ ଅମ୍ଳଜାନ ଅଭାବ ଦେଖାଦେଇଥିବା ବେଳେ ଓଡ଼ିଶା ସରକାରଙ୍କ ଆଗୁଆ ପଦକ୍ଷେପ କାରଣରୁ ରାଜ୍ୟରେ ଯଥେଷ୍ଟ ପରିମାଣର ଅମ୍ଳଜାନ ମହଜୁଦ ରହିଛି । ଦିଲ୍ଲୀ ହାଇକୋର୍ଟ ମଧ୍ୟ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ପ୍ରଂଶସା କରିଛନ୍ତି । କେବଳ ଦିଲ୍ଲୀ ନୁହଁ ମହାରାଷ୍ଟ୍ରକୁ ମଧ୍ୟ ଅକ୍ସିଜେନ୍ ଯୋଗାଇଛି ଓଡ଼ିଶା । ମହାରାଷ୍ଟ୍ରରେ ଅକ୍ସିଜେନ୍ ସଂକଟ ଉକ୍ରଟ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଦାନ୍ୟତା ଦେଖାଇଛନ୍ତି । ସେଠାରେ ସ୍ଥିତି ଏପରି ହୋଇଛି ଯେ, ସଂକ୍ରମିତଙ୍କ ପାଇଁ ସମ୍ପର୍କିୟ ଅକ୍ସିଜେନ୍ ସିଲିଣ୍ଡର ଧରି ମେଡିକାଲ ଆଗରେ ଲାଇନ ଲଗାଇଛନ୍ତି । ହୃଦୟବାନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡେରି ନକରି ମହାରାଷ୍ଟ୍ରକୁ ମଧ୍ୟ ଅକ୍ସିଜେନ୍ ପଠାଇଛନ୍ତି ।
ଯାହାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
Comments are closed.